ଏନ୍ଏଫ୍ସିଏରେ ରାଜ୍ୟର ଚାଉଳ କୋଟା ବୃଦ୍ଧି ଲାଗି ଦାବି କରାଯିବ

Chief-Minister-Shri-Naveen-Patnaik-at-meeting-on-lifting-of-wheat-quota-at-Secretariat

ଭୁବନେଶ୍ୱର, (ବୁ୍ୟରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ (ଏନ୍ଏଫ୍ସିଏ)ରେ ରାଜ୍ୟକୁ ମିଳୁଥିବା ଚାଉଳ ପରିମାଣ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଂପର୍କରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ପତ୍ର ଲେଖିବେ ବୋଲି ଆଜି ସଚିବାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଏନ୍ଏଫ୍ସିଏ ଅନୁଯାୟୀ ରାଜ୍ୟରେ ଉପଭୋକ୍ତାଙ୍କୁ ସେମାନଙ୍କ ମତ ଅନୁଯାୟୀ ଚାଉଳ ଓ ଗହମ ଦିଆଯାଉଛି । ଉପଭୋକ୍ତାମାନଙ୍କୁ ୨୦୧୫ ନଭେମ୍ବରରୁ ଚାଉଳ ଓ ଗହମ ଯଥାକ୍ରମେ ୮୫.୮୨% ଓ ୧୪.୧୮% ଅନୁପାତରେ ବଣ୍ଟନ କରାଯାଉଛି । କିନ୍ତୁ କେନ୍ଦ୍ର ସରକାର ରାଜ୍ୟକୁ ଚାଉଳ ଓ ଗହମ ୭୮.୮୩% ଓ ୨୧.୧୭% ଅନୁପାତରେ ପ୍ରଦାନ କରୁଛନ୍ତି । ଫଳରେ ରାଜ୍ୟ ସରକାର ଅଧିକ ଚାଉଳ ଆବଣ୍ଟନ କରୁଛନ୍ତି । ଏହାଛଡ଼ା କେନ୍ଦ୍ର ସରକାର ଦେଉଥିବା ଗହମ ମଧ୍ୟ ଆବଣ୍ଟନ ହୋଇ ପାରୁନାହିଁ । ସୂଚନାଯୋଗ୍ୟ, ଆମ ରାଜ୍ୟର ଲୋକମାନେ ଗହମ ଅପେକ୍ଷା ଚାଉଳକୁ ଅଧିକ ପସନ୍ଦ କରନ୍ତି । ଏହି ବୈଠକରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ମୁଖ୍ୟ ସଚିବ ଆଦିତ୍ୟ ପାଢୀ, ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ୍, ଖାଦ୍ୟ ଓ ଯୋଗାର ବିଭାଗ ସଚିବ ମଧୂସୂଦନ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।