କୃଷିକୁ ଲାଭକରୀ ବୃତ୍ତିରେ ପରିଣତ କରିବା ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

30-1-2016=5

ଭୁବନେଶ୍ୱର (ବୁ୍ୟରୋ): କୃଷିକୁ ଏକ ଲାଭଜନକ ବୃତ୍ତିରେ ପରିଣତ କରିବା ଦିଗରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି । ଶନିବାର ସ୍ଥାନୀୟ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଆୟୋଜିତ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନର ଉଦ୍ୟାପନ ସମାରୋହରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ କୃଷି ରାଜ୍ୟ ସରକାରଙ୍କ ପ୍ରାଥମିକତା । ତେଣୁ କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ୨୦୧୫-୧୬ ଆର୍ଥିକ ବର୍ଷରେ ଜଳସଂପଦ ବିଭାଗର ବଜେଟ୍ରେ ୧୦୦୦ କୋଟି ଓ କୃଷି ବିଭାଗର ବଜେଟ୍ରେ ୫୦୦ କୋଟି ଟଙ୍କା ବୃଦ୍ଧି କରାଯାଇଛି । କୃଷି ପାଇଁ ମଧ୍ୟ ସ୍ୱତନ୍ତ୍ର ବଜେଟ୍ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଲେ ଯେ ପାଣି ପଞ୍ଚାୟତ ହେଉଛି ଚାଷୀମାନଙ୍କ ପଞ୍ଚାୟତ । ଆମର ଚାଷୀଭାଇମାନଙ୍କ ସଶକ୍ତୀକରଣ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପାଣି ପଞ୍ଚାୟତ କାର୍ଯ୍ୟକ୍ରମର ସଫଳତାକୁ ଦୃଷ୍ଟିରେ ରଖି ଅନେକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ପାଣି ପଞ୍ଚାୟତକୁ ଦିଆଯିବ । ପାଣି ପଞ୍ଚାୟତ ଗୁଡ଼ିକର ଦକ୍ଷତା ବୃଦ୍ଧି ଓ ଆନୁସଙ୍ଗିକ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ଜଳସଂପଦ ବିଭାଗ ପ୍ରମୁଖ ସଚିବ ପ୍ରଦୀପ ଜେନାଙ୍କ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜାନକୀବଲ୍ଲଭ ମହାପାତ୍ର ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପାଣି ପଞ୍ଚାୟତଗୁଡ଼ିକୁ ପୁରସ୍କୃତ କରିଥିଲେ ।