Sahitya-Academy-at-Abhilekhagara

ଜର୍ମାନୀରେ ସବୁ ବୃତ୍ତି ସମ୍ମାନଜନକ

35

ଭୁବନେଶ୍ୱର,୨୪ା୧(ବୁ୍ୟରୋ) : ଭାରତରେ ବିଶ୍ୱ ବିଦ୍ୟାଳୟର ଜଣେ କୁଳପତି ଯେତିକି ସମ୍ମାନ ପାଆନ୍ତି, ଜର୍ମାନୀରେ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ସେତିକି ସମ୍ମାନ ପାଆନ୍ତି । ସେଠାରେ ସବୁ ବୃତ୍ତିର ସମ୍ମାନ ରହିଛି । ଶିକ୍ଷକମାନେ କେବେ ଧର୍ମଘଟକୁ ଓହ୍ଲାନ୍ତି ନାହିଁ । ଶୃଙ୍ଖଳା ତାଙ୍କ ଅଭିଧାନର ପ୍ରଥମ ଶଦ୍ଧ । ଜର୍ମାନୀରେ ୫୫ ବର୍ଷର ରହଣି ଭିତରେ ନିଜ ଅନୁଭବକୁ ବ୍ୟକ୍ତ କରିବା ସମୟରେ ଏଭଳି କିଛି କଥାର ଅବତାରଣା କରିଥିଲେ ସଂସ୍କୃତି ଅନୁରାଗୀ ତଥା ସ୍ତମ୍ଭକାର ଇଂ ରାଜେନ୍ଦ୍ର ନାରାୟଣ ଦାସ । କେନ୍ଦ୍ର ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ‘ପ୍ରବାସୀ ମଞ୍ଚ’ରେ ଇଂ ଦାସ ବଖାଣିଥିଲେ ଜର୍ମାନୀ ସହ ସଂଶ୍ଳିଷ୍ଠ ତାଙ୍କ ଅନୁଭବକୁ । ବିଷୟ ଥିଲା ‘ମୋ ଦୃଷ୍ଟିରେ ଜର୍ମାନୀ’ । ଭିକାରୀ ବଳ ଗାଇଥିବା କୋଠ ଭୋଗ ଖିଆ ମୋ ଚକା ଆଖିଆ ପଂକ୍ତିକୁ ଉଦ୍ଧାର କରି ଜର୍ମାନୀର ପାରିବାରିକ ଜୀବନ, ଶିକ୍ଷା, ସ୍ୱାସ୍ଥ୍ୟ ସରକାରଙ୍କ ଦକ୍ଷତା ଓ କାର୍ଯ୍ୟକଳାପ, ଶିଳ୍ପ, ଆଇନ, ଅଦାଲତ ସମ୍ପର୍କରେ ନିଜସ୍ୱ ମତ ରଖିଥିଲେ । ଜର୍ମାନୀରେ ପାରିବାରିକ ଜୀବନ ବୃତ୍ତିଗତ ଜୀବନଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଘରର ମୁରବୀ ଯେତେ କୋଟିପତି ହୋଇଥିଲେ ବି ତାଙ୍କର ପିଲାମାନେ ୧୬ ବର୍ଷ ପରେ ରୋଜଗାର ଆରମ୍ଭ କରନ୍ତି । ବୃତ୍ତିକୁ ନେଇ ପରିବାର କେବେ ହସ୍ତକ୍ଷେପ କରେନାହିଁ ।
ସେହିପରି ଶିକ୍ଷା ବ୍ୟବସ୍ଥାରେ ପ୍ରୟୋଗଭିତ୍ତିକ ତଥା ବ୍ୟାବହାରିକ ଶିକ୍ଷା ଉପରେ ଗୁରୁତ୍ୱ ଯୋଗୁ ଜର୍ମାନୀରେ ବିଶ୍ୱର ସବୁଠୁ ଦକ୍ଷ ଯନ୍ତ୍ରୀ ସୃଷ୍ଟି ହୁଅନ୍ତି । ଅନାହାରରେ କାହାର ମୃତୁ୍ୟ ହୁଏ ନାହିଁ କିମ୍ବା ଧର୍ମଘଟ ପ୍ରାୟତଃ ହୁଏ ନାହିଁ । ପ୍ରତ୍ୟେକ ଲୋକଙ୍କର ସ୍ୱାସ୍ଥ୍ୟବୀମା ଅଛି । ଦେଶ ଓ ଭାଷା ପ୍ରୀତି ଯଥେଷ୍ଟ ଦେଖିବାକୁ ମିଳିଥାଏ । ଶିଳ୍ପକ୍ଷେତ୍ରରେ ବକ୍ତବ୍ୟ ରଖି କହିଥିଲେ ଯେ ୪୦ ମିଲିୟନ୍ ଟନ୍ ଇସ୍ପାତ୍ ଜର୍ମାନୀରେ ତିଆରି ହୁଏ । ଅଦାଲତରେ ଛୋଟ ଛୋଟ ମକଦ୍ଧମା ୩ମାସ ମଧ୍ୟରେ ସମାଧାନ ହୋଇଯାଏ । ବିନା ରକ୍ତପାତରେ ପୂର୍ବ ଜର୍ମାନୀ ଓ ପଶ୍ଚିମ ଜର୍ମାନୀ ଏକାଠୀ ହୋଇଛନ୍ତି । ୨୭ ନଭେମ୍ବର ୧୯୬୦ରେ ଜର୍ମାନୀରେ ମାତ୍ର ୨୦ ବର୍ଷରେ ପାଦ ଥାପି ବରଫ ରୂପକ ଧଳା ଚାଦରରେ ପାଦ ଥାପିଥିବା ଇଂ ଦାସ ୭୦ ଦଶକର ସେହି ସମୃଦ୍ଧ ଦେଶରୁ ଆରମ୍ଭ କରି ଆଜିର ଲକ୍ଷ୍ମୀବିଳାସ ଆମେରିକା ଓ ଇଂଲଣ୍ଡ ସହ ସମକକ୍ଷ ହୋଇଥିବା ବିଷୟର ଅବତାରଣା କରିଥିଲେ । କେନ୍ଦ୍ର ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଗୌରହରି ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଇଂ ଦାସଙ୍କୁ ଶ୍ରଦ୍ଧାର ଶରଧା ବାଲି ଓ ବିଶ୍ୱାସର ୨୨ ପାହାଚ ବୋଲି ସମ୍ବୋଧନ କରି ସାହିତ୍ୟର ପରିସର ବଢାଇବା ପାଇଁ ଏଭଳି ଏକ ଚର୍ଚ୍ଚାର ମହତ୍ତ୍ୱ ସମ୍ପର୍କରେ ମତ ରଖିଥିଲେ । ଅନ୍ୟତମ ଅତିଥି ଭାବେ ସାହିତ୍ୟ ଅକାଦେମିର ପୂର୍ବାଞ୍ଚଳ ଶାଖା କାର୍ଯ୍ୟକ୍ରମ ଅଧିକାରୀ ଡ. ମିହିର କୁମାର ସାହୁ ଯୋଗ ଦେଇଥିଲେ ।




Powered by odothemes.com