ଶହଶହ ଟ୍ରକ୍ ଲଘୁ ଖଣିଜ ଲୁଟ୍: ପ୍ରଶାସନ ନିରବ

Khanija-Sampada-Lut-Jajpur

ଯାଜପୁର (ଆ.ପ୍ର): ସ୍ଥାନୀୟ ଦର୍ପଣ ତହସିଲ ଅଞ୍ଚଳରେ ଦୈନିକ ଶହ ଶହ ଟ୍ରକ୍ ଖଣିଜ ସମ୍ପଦ ଲୁଟ୍ ହେଉଛି । ପ୍ରଶାସନ୍ ଏକ ଠିକାଦାରୀ ସଂସ୍ଥାକୁ ଲଘୁ ଖଣିଜ ସ୍ୱୀକୃତି(ସଂଶୋଧିତ) ଆଇନ୍୍, ୨୦୧୪ ଅନୁଯାୟୀ ମୋରମ୍ ଓ ମାଙ୍କଡ଼ା ପଥର ଉତ୍ତୋଳନ ନିମନ୍ତେ ଅନୁମତି ଦେଇଥିଲେ । ପ୍ରଶାସନ ଏହି କାର୍ଯ୍ୟକୁ ସଠିକ ଭାବରେ ତଦାରଖ କରୁନଥିବା କାରଣରୁ ଅଧିକ ପରିମାଣର ଲଘୁ ଖଣିଜ ପଦାର୍ଥ ଲୁଟ୍ ହେଉଥିବା ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏହି ଉତ୍ତୋଳନ ଫଳରେ ଅଞ୍ଚଳର ପ୍ରାକୃତିକ ପରିବେଶ ଓ ଭୂତଳ ଜଳ ବ୍ୟାପକ ଭାବେ ପ୍ରଦୂଷିତ ହେଉଛି । ଏଥିପାଇଁ ବନ୍ୟଜନ୍ତୁ ଓ ସ୍ଥାନୀୟ ଜନସାଧାରଣ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ବିଷୟ ପ୍ରସାଶନ ନଜରକୁ ଆସିଥିବା ବେଳେ ଏହି ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୫ ନମ୍ବର ଜାତୀୟ ରାଜପଥର ଜଗତପୁର ଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତାର ୬ ଲେନ୍ ନିର୍ମାଣ କାର୍ଯ୍ୟପାଇଁ ନିଯୁକ୍ତ ଏକ ଠିକାଦାରୀ ସଂସ୍ଥାକୁ ବନ୍ଧପାଲି ମୋ÷ଜାର ଏକ ଘରୋଇ ସ୍ଥିତିବାନ୍ ଜମିରୁ ବିଭିନ୍ନ ପର୍ଯ୍ୟାୟରେ ମୋଟ୍ ଏକ ହଜାର ଆଠ ଶହ ଘନ ଫୁଟ୍ ମୋରମ୍ ଉତ୍ତୋଳନ ପାଇଁ ଦର୍ପଣ ତହସିଲଦାର ଅନୁମତି ପ୍ରଦାନ କରିଥିଲେ । ସଂପୃକ୍ତ ସଂସ୍ଥା ଏହି ମୋରମ୍ ବାବଦକୁ ଘନଫୁଟ୍ ପିଛା ୩୦ ଟଙ୍କା ଦରରେ ମୋଟ୍ ମାତ୍ର ୫୪ ହଜାର ଟଙ୍କା ସରକାରଙ୍କୁ ରାଜସ୍ୱ ଆକାରରେ ଦେଇଛନ୍ତି । ମାତ୍ର ପ୍ରଶାସନର ଏହାକୁ ତଦାରଖ ନକରିବା କାରଣରୁ ସମ୍ପୃକ୍ତ ସଂସ୍ଥା ଆବଶ୍ୟକତା ଠାରୁ ଅଧିକ ମାଲ୍ ଲୁଟି ନେଇଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଏହା ପରେ ମାଫିଆ ଗୋଷ୍ଠୀ ମାଙ୍କଡା ପଥର ଖଣୀ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି । ଗତ କିଛି ଦିନ ତଳୁ ଏହି ସଂସ୍ଥା ଦିନ ରାତି ଏକ କରି ଧାର୍ଯ୍ୟ ହୋଇଥିବା ପରିମାଣର ମାଙ୍କଡା ପଥର ଲୁଟ କରୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଉତ୍ତୋଳନକୁ ଆକଳନ କଲେ ଏଠାରେ ପ୍ରାୟ କୋଟିଏ ଟଙ୍କାର ରାଜସ୍ୱ ଫାଙ୍କି ହୋଇଛି । ଅନ୍ୟ ପକ୍ଷରେ ଏହି ଲଘୁ ଖଣିଜ ଖନନ ସମୟରେ ପ୍ରଶାସନ ଓ ଅନୁମତି ପ୍ରାପ୍ତ ସଂସ୍ଥାମାନେ ସମସ୍ତ ଆଇନ୍ କାନୁନ୍କୁ ଜଳାଞ୍ଜଳି ଦେଇଥିବା ଜଣା ପଡିଛି । ଜନବସତି ଅଞ୍ଚଳରେ ଖଣି ଖନନ ଆଇନ ନଥିବା ବେଳେ ଏହାକୁ ସଂସ୍ଥା ଗୁଡିକ ବେଖାତିର କରି ଲୁଟ୍ କରିଥିବା ଜଣା ପଡିଛି । ସେହିଭଳି ଖନନ ପାଇଁ ପରିବେଶ ମଞ୍ଜୁରୀ ଓ ଆବଶ୍ୟକ ମାଇନିଙ୍ଗ୍ ପ୍ଲାନ୍ର ଆବଶ୍ୟକ ଓ ଖଣିର ଗଭୀରତା ଭୂତଳ ଜଳ ପ୍ରଦୂଷିତ ନଜରକୁ ନିଆଯାଇ ନାହିଁ । ପ୍ରଶାସନର ଅଣଦେଖା କାରଣରୁ ସମସ୍ତ ଆଇନ୍ କାନୁନ୍କୁ ବେଖାତିର କରି ମନଇଚ୍ଛା ଭାବେ ପାଖାପାଖି ୪୦ ଫୁଟ୍ ପର୍ଯ୍ୟନ୍ତ ଗଭୀରର ଖନନ କାର୍ଯ୍ୟ ହୋଇଛି । ବନ୍ଧପାଲି ଗ୍ରାମର ଲୋକମାନେ ଖରାପ ପାନୀୟ ଜଳ ଲାଭ କରୁଛନ୍ତି । ଏହି ଭଳି ବିଷୟକୁ ନଜରରେ ରଖି ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଖଣି ବିଭାଗକୁ ଅବଗତ କରାଇ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।