ବିଦେଶୀ ମଦ: ୧୫ ବର୍ଷରେ ୧୦ ଗୁଣ ବୃଦ୍ଧି

25

ଭୁବନେଶ୍ୱର, (ତଥ୍ୟ): ଓଡିଶାରେ ମଦୁଆଙ୍କ ସଂଖ୍ୟା ବୃଦ୍ଧି ପାଇବା ସେଙ୍ଗସେଙ୍ଗ ଦେଶୀବିଦେଶୀ ମଦ ଚାହିଦା ଆଶାତୀତ ବୃଦ୍ଧିପାଉଛି । ବିଗତ ୧୫ ବର୍ଷରେ ସରକାରୀ ମଦଦୋକାନରେ ବିଦେଶୀମଦ ଯୋଗାଣ ପରିମାଣ ପ୍ରାୟ ୧୦ ଗୁଣ ବୃଦ୍ଧି ପାଇଥିବାବେଳେ ବିୟର କାରବାର ବଢିଛି ୮ ଗୁଣ । ଅବଶ୍ୟ ଏଥିସହ ତାଳଦେଇ ରାଜ୍ୟର ଅବକାରୀ ରାଜସ୍ୱ କ୍ଷେତ୍ରରେ ମଧ୍ୟ ପ୍ରାୟ ୧୮ ଗୁଣ ଅଭିବୃଦ୍ଧି ଘଟି ରାଜକୋଷ ସମୃଦ୍ଧ ହେଉଛି । ୧୯୯୯-୨୦୦୦ ବର୍ଷ ବେଳକୁ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ମାତ୍ର ୧୧୧ କୋଟି ଟଙ୍କା ଥିବାବେଳେ ୨୦୦୦-୦୧ ବର୍ଷରେ ଏହା ୧୩୫ କୋଟି ଟଙ୍କାକୁ ଟପିଥିଲା । ୨୦୦୯-୧୦ ରେ ଅବକାରୀ ରାଜସ୍ୱ ପରିମାଣ ୮୪୯ କୋଟି ଟଙ୍କାରେ ସୀମିତ ଥିବାବଳେ ୨୦୧୩-୧୪ ରେ ନିଶା ବିକ୍ରି ରାଜସ୍ୱରୁ ରାଜକୋଷକୁ ଆସିଥିଲା ୧୭୮୦ କୋଟି ଟଙ୍କା । ୨୦୧୪-୧୫ ରେ ଓଡିଶା ସରକାର ୨୦୩୮ କୋଟି ୭୯ ଲକ୍ଷ ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ କରିଥିବାବେଳେ ଗତ ଡିସେମ୍ବର ଶେଷସୁଦ୍ଧା ସଂଗୃହୀତ ଅବକାରୀ ରାଜସ୍ୱର ପରିମାଣ ପ୍ରାୟ ୧୮୦୦ କୋଟି ଟଙ୍କା ଥିଲା ଏବଂ ଆଗାମୀ ମାର୍ଚ୍ଚ ଶେଷସୁଦ୍ଧା ନିଶା ବିକ୍ରିରୁ ସରକାରୀ ତହବିଲକୁ ୨୫୦୦ କୋଟି ଟଙ୍କାର ରାଜସ୍ୱ ଆସିବ ବୋଲି ଲକ୍ଷ୍ୟ ରଖାଯାଇଛି । ସରକାରୀ ହିସାବ ଅନୁଯାୟୀ ୨୦୦୦-୦୧ ବର୍ଷରେ ଆମ ରାଜ୍ୟର ମଦୁଆ ମାନେ ୫୮ ଲକ୍ଷ ୬୮ ହଜାର ଲିଟର ଭାରତ ତିଆରି ବିଦେଶୀ ମଦ ଓ ୧୪୧ ଲକ୍ଷ ୯୫ ହଜାର ଲିଟର ବିୟର ପିଇ ଯାଇଥିବାବେଳେ ୨୦୧୪-୧୫ ବର୍ଷରେ ଏହାର ପରିମାଣ ଥିଲା ଯଥାକ୍ରମେ ୪୫୧ ଲକ୍ଷ ୩୧ ହଜାର ଲିଟର ଓ ୭୮୯ ଲକ୍ଷ ୭୪ ହଜାର ଲିଟର । ଚଳିତ ଆର୍ଥିକବର୍ଷରେ ରାଜ୍ୟରେ ବିଦେଶୀମଦ ବ୍ୟବହାର ପରିମାଣ ୫ କୋଟି ଲିଟର ଓ ବିୟର ବ୍ୟବହାର ପରିମାଣ ୮ କୋଟି ଲିଟରକୁ ଟପିପାରେ । ଏ ହେଉଛି ସରକାରୀ ମଦ ଦୋକାନରୁ ବିକ୍ରି ବିଦେଶୀ ମଦ ଓ ବିୟରର ହିସାବ ।
୨୦୦୯-୧୦ ବର୍ଷ ବେଳକୁ ଓଡିଶାରେ ସରକାରୀ ମଦଦୋକାନ ଗୁଡିକରେ ୬୮ ଲକ୍ଷ ୩୯ ହଜାର ଲିଟର ଦେଶୀ ମଦ ଓ ୨୬୬ ଲକ୍ଷ ୬ ହଜାର ଲିଟର ବାହାରଭାଟି ମଦ ବିକି୍ର ହୋଇଥିବାବେଳେ ୨୦୧୪-୧୫ ବର୍ଷରେ ଏହାର ପରିମାଣ ଯଥାକ୍ରମେ ୯୯ ଲକ୍ଷ ୨୩ ହଜାର ଲିଟର ଓ ୫୪୨ ଲକ୍ଷ ୫୮ ହଜାର ଲିଟରରେ ପହଞ୍ଚିଥିଲା । ଏବର୍ଷ ଏ କ୍ଷେତ୍ରରେ ୧୫ ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧି ଘଟିବା ଆଶା କରାଯାଉଛି । ଏସବୁ ହେଲା ସରକାରୀ ହିସାବରେ ଲାଇସେନ୍ସପ୍ରାପ୍ତ ଦୋକାନରେ ବିକା ଯାଇଥିବା ମଦର ହିସାବ । କିନ୍ତୁ ଗାଁ ଗହଳର ତେଜରାତି ଦୋକାନ ଠାରୁ ରାସ୍ତାକଡର ପାନଦୋକାନ ପର୍ଯ୍ୟନ୍ତ ଚାରିଆଡେ ଯେଭଳି ଖୋଲାଖୋଲି ଭାବେ ଚୋରାମଦ ମିଳୁଛି ସେଥିରୁ ସରକାରୀ ମଦର ଅନୁ୍ୟନ ୪/୫ ଗୁଣ କଳାବଜାରରେ ଚାଲୁଥିବା ଆଶଙ୍କା କରାଯାଏ ।
୨୦୦୦-୦୧ ବର୍ଷ ବେଳକୁ ଓଡିଶାରେ ଯେତେ ଲାଇସେନ୍ସପ୍ରାପ୍ତ ଅବକାରୀ ଦୋକାନ ଥିଲା ଏବେ ତାହାର ସଂଖ୍ୟା ଅଢେଇ ଗୁଣରୁ ଅଧିକ । ଉକ୍ତ ବର୍ଷ ବେଳକୁ ଓଡିଶାରେ ମୋଟ୍‍ ସରକାରୀ ଅବକାରୀ ଦୋକାନ ସଂଖ୍ୟା ୧୬୩୬ ଥିବାବେଳେ ଏବେ ତାହା ୪୨୬୩ ରେ ପହଞ୍ଚିଛି । ସେତେବେଳେ ମାତ୍ର ୬୧୩ ଟି ଠିପିବନ୍ଦ ବିଦେଶୀମଦ ଦୋକାନ ଥିବାବେଳେ ଏବେ ଏହିସଂଖ୍ୟା ୧୧୫୬ । ସେହିଭଳି ଠିପିଖୋଲା ମଦ ଦୋକାନସଂଖ୍ୟା ଏହିବର୍ଷ ମଧ୍ୟରେ ୧୪୦ ରୁ ୪୩୬ କୁ, ବିୟରପାର୍ଲର ସଂଖ୍ୟା ୧୩ ରୁ ୧୨୭ କୁ, ମିଲିଟାରୀ କ୍ୟାଣ୍ଟିନ ସଂଖ୍ୟା ୧୮ ରୁ ୩୭ କୁ ବୃଦ୍ଧିପାଇଛି । ଅବଶ୍ୟ ଓଡିଶାରେ ନିଶା କାରବାର ବୃଦ୍ଧିସହ ତାଳଦେଇ ଅପରାଧ, ଦୁର୍ଘଟଣା, ପାରିବାରିକ ଅଶାନ୍ତି, ସାମାଜିକ ବିଶୃଙ୍ଖଳା, ଆଇନ୍‍ଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯ୍ୟାତନା ଆଦି ବହୁଗୁଣିତ ହୋଇଛି ।




Powered by odothemes.com