ଧରଣୀ ଜଙ୍ଗଲର ମା’ ହୀରା ଦେଇ

ICCHA-SHAKTI-THILE-SABU-SAMBHAB

ନୂଆପଡା, ୧୭ ।୧(ସୁଜିତ ପ୍ରଧାନ): ଜଙ୍ଗଲ ହ୍ରାସ ପରିବେଶ ପ୍ରଦୂଷଣର ପ୍ରମୁଖ କାରଣ । ଏଥିପାଇଁ ସମଗ୍ର ବିଶ୍ୱ ଉଦ୍ବିଗ୍ନ । ଏହା ସତ୍ତ୍ୱେ ତଥାକଥିତ ଶିକ୍ଷିତ ସମାଜ ଓ ସଚେତନବର୍ଗ ସବୁଜ ବଳୟ ସୃଷ୍ଟି ଦିଗରେ କ୍ୱଚିତ୍ ଉଦ୍ୟମ କରୁଥିବା ଲକ୍ଷ୍ୟ କରାଯାଇଛି । ମାତ୍ର ଆଦିବାସୀ ଅଧ୍ୟୁଷିତ ନୂଆପଡା ଜିଲ୍ଲାର ଅଖ୍ୟାତପଲ୍ଲୀ ସିନାପାଲି ବ୍ଲକ୍ ଅନ୍ତର୍ଗତ କାପସି ଗାଁର ଅଶିକ୍ଷିତା ବୃଦ୍ଧା ହୀରା ମାଝୀଙ୍କ ପରିବେଶ ସଚେତନତା ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ । କାଠ ମାଫିଆଙ୍କ ପାଇଁ ଧୂଷର ପାହାଡ ପାଲଟିଥିବା ଧରଣୀ ଜଙ୍ଗଲରେ ସବୁଜ ସଂଚାର ପାଇଁ ଦୀର୍ଘ ୨୬ ବର୍ଷ ଧରି ନିଜ ମେହନତ ଲଗାଇଛନ୍ତି ହୀରା ଦେଇ । ତାଙ୍କ ଉଦ୍ୟମରେ ଧରଣୀ ଜଙ୍ଗଲ ଏବେ ସୁଉଚ୍ଚ ଶାଗୁଆନ୍, ଶାଳ, ପିଆଶାଳ, ଶିଶୁ ଆଦି ଗଛରେ ଭରପୁର ।
ଧୂଷର ଧରଣୀ ପାହାଡକୁ ସବୁଜ ଜଙ୍ଗଲରେ ରୂପାନ୍ତରିତ କରିଥିବା ହୀରା ଦେଇଙ୍କୁ ଏ ସମ୍ପର୍କରେ କେହି ପଚାରିଲେ ସେ କହନ୍ତି, ଜଙ୍ଗଲରେ ରହନ୍ତି ପ୍ରକୃତି ଦେବୀ । ଭବିଷ୍ୟତ ପିଢ଼ିର କଲ୍ୟାଣ ପାଇଁ ସେ ହୀରା ଜଙ୍ଗଲର ଯତ୍ନ ନେଉଛନ୍ତି । ଜଙ୍ଗଲକୁ ପ୍ରକୃତି ଦେବୀ ଭାବେ ବିଚାର କରି ସେ ଦୈନିକ ସକାଳୁ ମୁଣ୍ଡିଆ ମାରନ୍ତି । ଝଡ ବାତ୍ୟାରେ ଗଛ ଭାଙ୍ଗିଲେ କିମ୍ବା କୌଣସି ମାଫିଆ ଗଛ କାଟିନେଲେ ସେ ପାଆନ୍ତି ଅନେକ ଯନ୍ତ୍ରଣା । ଆଖିରୁ ଲୁହ ଝରିଆସେ । ଏହି ମହିଳାଙ୍କୁ ୨୦୦୬-୦୭ରେ ରାଜ୍ୟ ସରକାର ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନୀତ କରିଥିଲେ । ତେବେ ଏହି ସମ୍ମାନରେ ଆତ୍ମ ସନ୍ତୋଷ ଲାଭ ନକରି ଧରଣୀ ଜଙ୍ଗଲର ପ୍ରତିଟି ବୃକ୍ଷଲତାକୁ ସେ ନିଜ ସନ୍ତାନ ଭାବେ ଦେଖିଆସିଛନ୍ତି । ଧୂଷର ଧରଣୀ ପାହାଡକୁ ଜଙ୍ଗଲରେ ପରିଣତ କରିବା ପାଇଁ ହୀରା ଦେଇ ସ୍ୱାମୀ ଅଙ୍ଗଦ ମାଝୀଙ୍କ ସହ ୨୬ ବର୍ଷ ତଳେ ସ୍ୱପ୍ନ ଦେଖିଥିଲେ । ସପରିବାର ପଳାଇ ଆସିଥିଲେ ଧରଣୀ ପାହାଡର ପାଦଦେଶକୁ । ଦୈନିକ ପରିଶ୍ରମ କରି ଗଛ ଲଗାଇଲେ । ୨୦୦୬ରେ ଆରମ୍ଭ କରିଥିଲେ ବୃକ୍ଷ ରୋପଣ । ଏବେ ତାଙ୍କ ସ୍ୱପ୍ନ ସାକାର ହୋଇଛି ସତ, ମାତ୍ର ସ୍ୱାମୀ ଅଙ୍ଗଦ ନାହାନ୍ତି ଏହି ସଫଳତା ଦେଖିବାକୁ । ସ୍ୱାମୀଙ୍କ ମୃତୁ୍ୟ ପରେ ମଧ୍ୟ ହୀରା ଦେଇ ଲକ୍ଷ୍ୟଚୁ୍ୟତ ନହୋଇ ଜଙ୍ଗଲ ସୃଷ୍ଟିରେ ଲାଗି ପଡିଛନ୍ତି । ପୁଅ ଓ ଝିଅଙ୍କୁ ନେଇ ତାଙ୍କ ଅଭାବି ସଂସାର । ଦୈନିକ ପେଟ ନପୂରୁ ପଛେ କିନ୍ତୁ ଧରଣୀ ଜଙ୍ଗଲ ଦେଖି ସେ ଆତ୍ମସନ୍ତୋଷ ଲାଭ କରନ୍ତି ।