puri-jagannath-socity

ବିଦେଶ ମାଟିରେ ଜଗନ୍ନାଥ ପ୍ରେମ ରହିଛି

18

ପୁରୀ,୧୭ା୧(ଆପ୍ର): ବିଦେଶ ମାଟିରେ ଜଗନ୍ନାଥ ପ୍ରେମ ରହିଛି । ଓଡ଼ିଶାରେ ୩୧୪୨ଟି ଜଗନ୍ନାଥ ମନ୍ଦିର ଥିବାବେଳେ ଭାରତର ଅନ୍ୟରାଜ୍ୟ ଗୁଡିକରେ ୨୪୪ଟି ମନ୍ଦିର ରହିଛି । ବିଦେଶରେ ୧୫୪ଟି ଜଗନ୍ନାଥ ମନ୍ଦିର ରହିଛି । କିନ୍ତୁ ସେଥିରୁ ୫୪ଟି କେବଳ ଆମେରିକାରେ । ଫଳରେ ଶ୍ରୀଜଗନ୍ନାଥଙ୍କ ପ୍ରେମ ବିଦେଶ ମାଟିରେ ଭରପୂର ରହିଛି ବୋଲି ଶ୍ରୀଜଗନ୍ନାଥ ସଂସ୍କୃତିର ବରିଷ୍ଠ ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି । ଅନ୍ତର୍ଜାତୀୟ ଜଗନ୍ନାଥ ସୋସାଇଟି ଆଲବାମା ଆମେରିକାର ଭାରତ ଶାଖା ଆନୁକୂଲ୍ୟରେ ହୋଟେଲ ଲ୍ୟାଣ୍ଡ୍ ମାର୍କରେ ବିଦେଶ ମାଟିରେ ଶ୍ରୀଜଗନ୍ନାଥ ପ୍ରେମ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଡଃ ମିଶ୍ର କହିଥିଲେ ଯେ ଆମେରିକାରେ ୧୯୬୮ରେ ରଥଯାତ୍ରା ଆରମ୍ଭ ହୋଇଥିଲା । କାନାଡାରେ ୧୯୭୨ ଓ ଫ୍ରାନ୍ସରେ ୧୯୯୧ ମସିହାରେ ରଥଯାତ୍ରା ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଭିନ୍ନ ରାଷ୍ଟ୍ରରେ ରଥଯାତ୍ରା ହେଉଛି । ଏଥିରୁ ବିଦେଶ ମାଟିରେ ମହାପ୍ରଭୁଙ୍କ ପ୍ରେମ ରହିଥିବା ଉଲ୍ଲେଖ କରି ବର୍ତ୍ତମାନ ସୁଦ୍ଧା ୧୦୨ ଜଣ ରାଜା ମହାପ୍ରଭୁଙ୍କ ସେବା କରିସାରିଲେଣି ବୋଲି ପ୍ରକାଶ କରିଥିଲେ । ସେ କହିଥିଲେ ଯେ ମହାପ୍ରଭୁ ହେଉଛନ୍ତି ମହାନ୍ । ସେ ୨୪ଟି ନାମରେ ପୂଜା ପାଉଛନ୍ତି । ଏଥିରେ ସଭାପତିତ୍ୱ କରି ସୋସାଇଟିର ସଭାପତି ଡାକ୍ତର ଭଗବତ ଚନ୍ଦ୍ର ସାହୁ କହିଥିଲେ ଯେ ଆଲବାମାର ହଣ୍ଟସଭିଲଠାରେ ସ୍ପେଶ ସଟ୍ଟଲ କାରଖାନା ରହିଛି । ମାଇକେଲ ନାମକ ଜଣେ ବୈଜ୍ଞାନିକ ଗତ ୮ବର୍ଷ ପୂର୍ବେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିିକୁ ନେଇ ଚନ୍ଦ୍ରକୁ ଯାଇଥିଲେ ଯାହା ଏକ ବିରଳ ଘଟଣା । ତେଣୁ ଆଗାମୀ ଦିନରେ ଚନ୍ଦ୍ରରେ ଘର ତିଆରି ହେଲେ ସେଠରେ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ସୋସାଇଟି ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ ଘୋଷଣା କରିଥିଲେ । ସୋସାଇଟିର ଭାରତୀୟ ଶାଖାର ଆବାହକ ସବ୍ୟସାଚୀ ରଥ କହିଥିଲେ ଯେ ବିଦେଶ ମାଟିରେ ଜଗନ୍ନାଥଙ୍କ ପ୍ରେମ କେଉଁ ଆବାହମାନ କାଳରୁ ଦେଖିବାକୁ ମିଳିଛି । ୧୦୦ ବର୍ଷର ଇତିହାସକୁ ଅନୁଧ୍ୟାନକଲେ ରଥଯାତ୍ରା ସମୟରେ ବିଦେଶୀମାନେ ଶ୍ରୀକ୍ଷେତ୍ରକୁ ଆସୁଥିଲେ ଓ ମହାପ୍ରଭୁଙ୍କ ଲୀଳାଖେଳାକୁ ଅନୁଭବ କରି ଫେରୁଥିବା ଜଣାଯାଏ । ବିଦେଶୀମାନଙ୍କ ଶ୍ରୀଜଗନ୍ନାଥ ପ୍ରେମ ବଢିବାରୁ ବିଦେଶୀ ରାଷ୍ଟ୍ରରେ ମଧ୍ୟ ମହାପ୍ରଭୁଙ୍କର ମନ୍ଦିର ଦେଖିବାକୁ ମିଳୁଛି । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସଂସ୍କୃତିର ଏକ ଗବେଷଣା କେନ୍ଦ୍ର ଖୋଲିବା ପାଇଁ ଶ୍ରୀ ରଥ ଘୋଷଣା କରିଥିଲେ । ଶ୍ରୀମନ୍ଦିର ପୁରୋହିତ ଡଃ ସିଦ୍ଧେଶ୍ୱର ମହାପାତ୍ର ଯୋଗଦେଇ ବିଦେଶରେ ଅବସ୍ଥାନ କରୁଥିବା ବ୍ୟକ୍ତିମାନେ ମହାପ୍ରଭୁଙ୍କ ପ୍ରସାର ପ୍ରଚାର ପାଇଁ ଉଦ୍ୟମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଆଲୋଚନାଚକ୍ରରେ ଜର୍ମାନୀରୁ ଆସିଥିବା ଡଃ ହରିଶ୍ଚନ୍ଦ୍ର ବେହେରା, ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ ବରଦା ପ୍ରସନ୍ନ ଦାସ, ସମାଜସେବୀ ଚକ୍ରଧର ମହାପାତ୍ର, ଦେବୀପ୍ରସନ୍ନ ନନ୍ଦ, ବରିଷ୍ଠ ସାମ୍ବାଦିକ ରାଜ କିଶୋର ମହାନ୍ତି, ପ୍ରଶାନ୍ତ ମହାପାତ୍ର ଓ ଜଗନ୍ନାଥ ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ । କଳ୍ପତରୁ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ଯୁବ ଆଇନ୍ଜୀବୀ ଅମିତ ଦାସ, ବାଲୁକା ଶିଳ୍ପୀ ନିକୁଞ୍ଜ କିଶୋର ନାୟକ, ଓଡିଶା ଐତିହ୍ୟ ପରିଷଦର ସଭାପତି ବିଭୁପ୍ରସାଦ ତି୍ରପାଠୀ, ଜାପାନ କ୍ୟୋତାର ରାଷ୍ଟ୍ରଦୂତ କୁନା ଦାସ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଭଗବାନ ସୁଆର ଓ ଶ୍ରୀଜଗନ୍ନାଥ ସଂସ୍କୃତିର ବରିଷ୍ଠ ଗବେଷକ ଡଃ ସୁରେନ୍ଦ୍ର ମିଶ୍ରଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସବ୍ୟସାଚୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।




Powered by odothemes.com