ଡବ୍ଲୁ୍ୟଏଫ୍ପିକୁ ମିଳୁଥିବା ସରକାରୀ ସହଯୋଗ ପ୍ରଶଂସନୀୟ

62

ଭୁବନେଶ୍ୱର (ବୁ୍ୟରୋ): ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁ୍ୟଏଫ୍ପି)ର ପାଞ୍ଚଜଣିଆ ଟିମ୍ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ କୁମାର ଦାସବର୍ମାଙ୍କୁ ସଚିବାଳୟସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି । ଡବ୍ଲୁ୍ୟଏଫ୍ପିର ନିର୍ବାହୀ ନିର୍ଦ୍ଧେଶକ ଇରଥାରିନ୍ କଉସିନ୍ଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳ ମନ୍ତ୍ରୀ ଶ୍ରୀ ଦାସବର୍ମାଙ୍କୁ ଓଡ଼ିଶାରେ ଡବ୍ଲୁ୍ୟଏଫ୍ପିର କାର୍ଯ୍ୟକ୍ରମରେ ସରକାରୀସ୍ତରରୁ ପାଉଥିବା ସହଯୋଗ ନିମନ୍ତେ ଧନ୍ୟବାଦ ଦେଇଥିଲେ । ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଚାଲିଥିବା ଡବ୍ଲୁ୍ୟଏଫ୍ପିର ପୁଷ୍ଟି ନିରାପତ୍ତା ପାଇଲଟ୍ ପ୍ରୋଜେକ୍ଟର ଅଭିଜ୍ଞତାକୁ ଆଧାର କରି ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ପ୍ରାନ୍ତରେ କାମରେ ଲଗାଯିବ ବୋଲି ମନ୍ତ୍ରୀ କହିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମକୁ ସରକାର ସଫଳ କରିବା ଦିଗରେ ଯଥେଷ୍ଟ ଯତ୍ନବାନ ରହିଥିବାବେଳେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଏହା ଏକ ଚ୍ୟାଲେଞ୍ଜ୍ ଭାବେ ଉଭା ହେଉଥିବା ସେ ଦର୍ଶାଇଥିଲେ । ଡବ୍ଲୁ୍ୟଏଫ୍ପିର ସହଯୋଗ ଓ ବିଭିନ୍ନ କ୍ଷେତ୍ରରେ ବୈଷୟିକ ସହାୟତା ପାଇଁ ମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ପ୍ରତିନିଧିମଣ୍ଡଳୀ ଡବ୍ଲୁ୍ୟଏଫ୍ପି ତରଫରୁ ତାଙ୍କର କାର୍ଯ୍ୟକ୍ରମକୁ ଓଡ଼ିଶାରେ ଚାଲୁ ରଖିବାକୁ ଆଗ୍ରହୀ ଥିବା ପ୍ରକାଶ କରିଥିଲେ । ବିଶେଷ ଭାବେ ଭୋଜନର ବିବିଧତା ଉପରେ ଅନୁଧ୍ୟାନ କରାଯିବା ସହ ଖାଦ୍ୟରେ ପ୍ରୋଟିନ୍ ଓ ଭିଟାମିନ୍ ବୃଦ୍ଧି କରାଯାଇ ସଂପୂର୍ଣ୍ଣ ପୁଷ୍ଟିକର ଖାଦ୍ୟ ବିକଶିତ କରି ଲୋକଙ୍କୁ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଡବ୍ଲୁ୍ୟଏଫ୍ପି ପକ୍ଷରୁ କୁହାଯାଇଛି ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ରାୟଗଡ଼ା ଜିଲ୍ଲାରେ ପୁଷ୍ଟି ନିରାପତ୍ତା ପାଇଲଟ୍ କାର୍ଯ୍ୟକ୍ରମ କେନ୍ଦ୍ର ଓ ରାଜ୍ୟ ସରକାର ୫୦:୫୦ ଭିତ୍ତିରେ ଚାଲୁଥିବା ଏକ କାର୍ଯ୍ୟକ୍ରମ ବୋଲି ଦର୍ଶାଇ ପରବର୍ତ୍ତୀ ସମୟରେ ଦିଆଯାଉଥିବା ଖାଦ୍ୟରେ ଶସ୍ୟାଦିକୁ ସାମିଲ ପାଇଁ ଯୋଜନା ରଖାଯାଇଥିବା କହିଥିଲେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକ ବେଞ୍ଚମାର୍କ ସର୍ବେକ୍ଷଣ କରାଯିବା ସହ ୧ ବର୍ଷ ପାଇଁ ଅନ୍ତତଃ ପରୀକ୍ଷାମୂଳକ ଭାବେ ଏହି କାର୍ଯ୍ୟକ୍ରମ ସଂଚାଳନ କରି ଏହାର ଫଳାଫଳ ଅନୁଧ୍ୟାନ କରିବାକୁ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ସଚିବ ପ୍ରକାଶ କରିଛନ୍ତି । ଅନ୍ୟ ଏକ ପାଇଲଟ୍ ଯୋଜନା କାର୍ଯ୍ୟକାରୀ କରି ଖାଦ୍ୟରେ ଭିନ୍ନ କିସମର ଖାଦ୍ୟ ଦ୍ରବ୍ୟ ମିଶ୍ରଣ କରାଯିବା ଉପରେ ଚିନ୍ତା କରାଯାଉଥିବା କଥା ମନ୍ତ୍ରୀ କହିଥିଲେ । କ୍ଷୁଧାମୁକ୍ତ ରାଷ୍ଟ୍ର ଗଠନ ଏହି ସମସ୍ତ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି ପ୍ରତିନିଧିମଣ୍ଡଳୀ ପ୍ରକାଶ କରିଛନ୍ତି ।
ଏହି ପ୍ରତିନିଧି ଦଳରେ ନିର୍ବାହୀ ନିର୍ଦ୍ଧେଶକ କଉସିନ୍ଙ୍କ ସହିତ ସହକାରୀ ନିର୍ବାହୀ ନିର୍ଦ୍ଧେଶକ ତଥା ମୁଖ୍ୟ ବିତ୍ତୀୟ ଅଧିକାରୀ ମନୋଜ ଜୁନେଜା, ଆଞ୍ଚଳିକ ନିର୍ଦ୍ଧେଶକ, ରିଜିଓନାଲ୍ ବୁ୍ୟରୋ ଏସିଆ ଓ ପ୍ରଶାନ୍ତ ସାଗରୀୟ ଅଞ୍ଚଳ ଡେଭିଡ୍ କାଟ୍ରୁଡ୍, ପ୍ରତିନିଧି ତଥା ରାଷ୍ଟ୍ରୀୟ ନିର୍ଦ୍ଧେଶକ ଡଃ ହମିଦ୍ ନୁରୁ, ଉପରାଷ୍ଟ୍ରୀୟ ନିର୍ଦ୍ଧେଶକ, ଜାଉ ଦେଲବାଇରେ ତଥା ଓଡ଼ିଶା ସଂଯୋଜକ ହିମାଂଶୁ ବଳ ସାମିଲ ଥିଲେ ।

ସେଆର କରନ୍ତୁ:



Powered by odothemes.com