ରାମଚନ୍ଦ୍ର ମର୍ଦ୍ଧରାଜ ଥିଲେ ସ୍ୱତନ୍ତ୍ର ଓଡ଼ିଶା ଗଠନର ପ୍ରମୁଖ ବିନ୍ଧାଣୀ

JAYADEV-BHAWAN-RE-raja-ramachandra-mardharaj-nkn-rajya-stariya-jayanti-ku-cm-udghatan-karuchanti-(5)

ଭୁବନେଶ୍ୱର, ୧୩ା୧(ବୁ୍ୟରୋ): ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଖଲ୍ଲିକୋଟ ମହାରାଜ ରାମଚନ୍ଦ୍ର ମର୍ଦ୍ଧରାଜ ଦେଓଙ୍କ ପ୍ରମୁଖ ଭୂମିକା ଥିଲା । ଜଣେ ପ୍ରଜାବତ୍ସଳ ଶାସକ ଭାବରେ ସେ ଗଂଜାମ ସମେତ ସାରା ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ସର୍ବଜନଆଦୃତ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଜୟଦେବ ଭବନରେ ରାଜବାହାଦୂର ରାମଚନ୍ଦ୍ର ମର୍ଦ୍ଧରାଜ ଦେଓଙ୍କ ୧୧୬ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଖଲ୍ଲିକୋଟ ସମେତ ସମଗ୍ର ଗଂଜାମ ଜିଲ୍ଲାରେ କୃଷି, ଜଳସେଚନ ଓ ଶିକ୍ଷାର ଉନ୍ନତି ପାଇଁ ମହାରାଜ ରାମଚନ୍ଦ୍ର ମର୍ଦ୍ଧରାଜ ବିଭିନ୍ନ ଜନହିତକର ଯୋଜନା ଆରମ୍ଭ କରିଥିଲେ । ଖଲ୍ଲିକୋଟ କଲେଜ, ସ୍କୁଲ ଓ ଗମନାଗମନର ବିକାଶ ପାଇଁ ରାସ୍ତା ନିର୍ମାଣ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଲଣ୍ଡନ୍ରେ ଗୋଲ୍ ଟେବୁଲ୍ ବୈଠକରେ ଓଡ଼ିଶାର ଦାବିକୁ ଦୃଢ଼ ଭାବରେ ଉପସ୍ଥାପିତ କରିଥିଲେ । ଫଳରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହୋଇପାରିଥିଲା । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସ୍ୱାସ୍ଥ୍ୟ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ଉକ୍ରଳ ସମ୍ମିଳନୀର ବୈଠକ ରମ୍ଭା ରାଜପ୍ରାସାଦରେ କରି ରାମଚନ୍ଦ୍ର ମର୍ଦ୍ଧରାଜ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୂଳଦୁଆ ପକାଇଥିଲେ । ଉକ୍ରଳଗୌରବ ମଧୁସୂଦନ ଦାସ ଓ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସହିତ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ତାଙ୍କର ଭୂମିକା ଅନସ୍ୱୀକାର୍ଯ୍ୟ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ । ଆସନ୍ତା ବର୍ଷ ଜୟନ୍ତୀ ପୂର୍ବରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ମହାରାଜା ରାମଚନ୍ଦ୍ର ମର୍ଦ୍ଧରାଜଙ୍କ ଜୀବନୀ ସମ୍ବଳିତ ଏକ ପୁସ୍ତିକା ପ୍ରକାଶ ପାଇ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ମହାରାଜା ରାମଚନ୍ଦ୍ର ମର୍ଦ୍ଧରାଜଙ୍କ ବୋହୂ ବିଧାୟିକା ଭି ସୁଜ୍ଞାନକୁମାରୀ ଦେଓ ଉଦ୍ବୋଧନ ଦେଇ କହିଥିଲେ, ରାମଚନ୍ଦ୍ରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟରେ ତାଙ୍କର ମାଆ କନକମଞ୍ଜରୀ ଦେବୀଙ୍କ ପ୍ରେରଣା ଥିଲା । ଖଲ୍ଲିକୋଟ ଅଞ୍ଚଳରେ ସେ ସମୟରେ ତାଙ୍କରି ଉଦ୍ୟମରେ ଏକ ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଓଡ଼ିଶାର ବିକାଶରେ ନାରୀମାନଙ୍କ ଅବଦାନ ସକାଶେ ଚଳିତ ଥର ମହାରାଜା ମର୍ଦ୍ଧରାଜା ସ୍ମୃତି କମିଟି ତରଫରୁ ପ୍ରକାଶ କରାଯାଇଥିବା ସ୍ମରଣିକାରେ ଓଡ଼ିଶାର ବିଭିନ୍ନ ମହିୟସୀ ମହିଳାଙ୍କ ଆଲେଖ୍ୟ ସ୍ଥାନ ପାଇଛି ବୋଲି ବିଧାୟିକା ସୁଜ୍ଞାନୀ ଦେଓ କହିଥିଲେ । ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ମହରାଜା ରାମଚନ୍ଦ୍ର ମର୍ଦ୍ଧରାଜଙ୍କ ନାମରେ ନାମିତ କରିବାକୁ ଦାବି ଉପସ୍ଥାପନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ବିଧାୟକ ଡା. ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଧାୟକ ଦେବରାଜ ମହାନ୍ତି, ବିଧାୟକ କେ ସୂର୍ଯ୍ୟରାଓ, ବିଧାୟକ ପୂର୍ଣ୍ଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ପୂଜ୍ୟପୂଜା ସଂସଦର ସଂପାଦକ ମହେଶ୍ୱର ବରାଡ ଧନ୍ୟବାଦ ଦେଇଥିଲେ ।