ତ୍ୟାଗ, ସଂଗ୍ରାମ ଓ ବାମ-ଗଣତାନ୍ତ୍ରିକ ଐକ୍ୟର ପ୍ରତୀକ ଥିଲେ ବର୍ଦ୍ଧନ

INSTITUTE-OF-ENGINEERS-RE-comred-A.B

ଭୁବନେଶ୍ୱର, ୧୩ା୧୨(ବୁ୍ୟରୋ): ଭାରତବର୍ଷର ପ୍ରଖ୍ୟାତ କମୁ୍ୟନିଷ୍ଟ ନେତା, ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ପୂର୍ବତନ ସାଧାରଣ ସମ୍ପାଦକ ଏ ବି ବର୍ଦ୍ଧନ ତାଙ୍କର ଦୀର୍ଘ ରାଜନୈତିକ ଜୀବନ କାଳ ମଧ୍ୟରେ ଶୋଷିତ, ନିର୍ଯାତିତ ଓ ମେହେନତି ମଣିଷ ପାଇଁ ଉତ୍ସର୍ଗୀକୃତ ଥିଲେ ବୋଲି ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଞ୍ଜିନିୟର୍ସରେ ଆୟୋଜିତ ଏ ବି ବର୍ଦ୍ଧନଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ଦଳର ନେତୃବର୍ଗ ମତ ପ୍ରକାଶ କରିଛନ୍ତି । ଶ୍ରମିକ ନେତା ସୌରୀବନ୍ଧୁ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସିପିଆଇର ଜାତୀୟ ସମ୍ପାଦକ ତଥା ସାଂସଦ ଡି ରାଜା ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ, ଏ ବି ବର୍ଦ୍ଧନ, ୧୯୪୦ ମସିହାରେ ନାଗପୁରରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଉଥିବା ସମୟରେ ଶ୍ରମିକମାନଙ୍କ ଦୁଃଖ ଦୁର୍ଦ୍ଧଶାକୁ ଅତି ନିକଟରୁ ଦେଖି ଶ୍ରମିକ ଆନ୍ଦୋଳନରେ ସାମିଲ୍ ହେବା ସହିତ ପରବର୍ତ୍ତୀ ସମୟରେ ଭାରତବର୍ଷର ଶ୍ରମିକ ଶ୍ରେଣୀର ସାଲିସହୀନ ମହାନ୍ ଯୋଦ୍ଧା ରୂପେ ଉଭା ହୋଇଥିଲେ । କୃଷକ, କ୍ଷେତମୂଲିଆ, ଦଳିତ ଓ ଆଦିବାସୀ ସମସ୍ତ ଖଟିଖିଆ ମଣିଷଙ୍କ ସ୍ୱାର୍ଥ ଓ ସଂଗ୍ରାମ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ ବୋଲି ଡି ରାଜା କହିଥିଲେ । ଏହା ସହିତ ଭାରତରେ ବାମପନ୍ଥୀ ଐକ୍ୟ ପ୍ରତିଷ୍ଠାର ସେ ଅନ୍ୟତମ ବିନ୍ଧାଣୀ ଏବଂ ବାମପନ୍ଥୀ-ଗଣତାନ୍ତ୍ରିକ ଐକ୍ୟର ମହାନ୍ ପ୍ରବକ୍ତା ଥିଲେ ବୋଲି ସାଂସଦ ଡି ରାଜା କହିଥିଲେ । ଏହି ସଭାରେ ବିଜେଡିର ସାଧାରଣ ସମ୍ପାଦକ ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁ, କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ଓ କୈଳାସ ଚନ୍ଦ୍ର ଆଚାର୍ଯ୍ୟ, ସିପିଆଇ ରାଜ୍ୟ ସମ୍ପାଦକ ଦିବାକର ନାୟକ ଓ ସହ ସମ୍ପାଦକ ଆଶିଷ କାନୁନ୍ଗୋ, ସିପିଆଇ(ଏମ୍)ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ସିପିଆଇ(ଏମ୍ଏଲ୍) ଲିବରେସନ୍ର ଯୁଧିଷ୍ଠିର ମହାପାତ୍ର, ଏସୟୁସିଆଇ(କମୁ୍ୟନିଷ୍ଟ) ପକ୍ଷରୁ ଉଦ୍ଧବ ଜେନା, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ଆର୍ଜେଡିର ରାଜ୍ୟ ସଭାପତି ହରିଶ ମହାପାତ୍ର ଓ ଫରୱାର୍ଡ ବ୍ଲକର ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।