puri

ରଥ ପାଇଁ କାଠ କଟା ଅନୁକୂଳ

40

ଦଶପଲ୍ଳା(ବୁ୍ୟରୋ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧା ରଥାଯାତ୍ରା ନିମନ୍ତେ ମଙ୍ଗଳବାର କାଠ କଟା ଅନୁକୂଳ ହୋଇଛି । ପାରମ୍ପରିକ ରୀତି ନୀତି ଅନୁଯାୟୀ ନୟାଗଡ଼ ଜିଲ୍ଲା ଗଣିଆ ନିକଟସ୍ଥ ବଡ଼ମୂଳଠାରେ ଥିବା ମା’ ବଡ଼ ରାଉଳ ପୀଠରେ ବିଶେଷ ପୂଜାର୍ଚ୍ଚନା ପରେ ରଥ କାଠ କଟା ଅନୁକୂଳ ହୋଇଥିଲା । ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାଶ, ମନ୍ଦିର ତତ୍ତ୍ୱବଧାରକ ସୁଦର୍ଶନ ମେକାପ, ରଥ ଅମିନ ଲକ୍ଷ୍ମୀଧର ମହାପାତ୍ର, ଭୋଇ ସର୍ଦ୍ଧାର ରବି ଭୋଇ, ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ । ଶ୍ରୀମନ୍ଦିରରୁ ଏହି ଟିମ୍ ମହାପ୍ରଭୁଙ୍କ ମହାର୍ଦ୍ଧ, ଦୀପଧୂପ ପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ମାଳ, ଶ୍ରୀଅଙ୍ଗଲାଗି ଖଟୁଆ, ଶ୍ରୀଅଙ୍ଗଲାଗି ପତନି ଆଦି ଧରି ସୋମବାର ନୟାଗଡ଼ରେ ପହଞ୍ଚିବା ପରେ ବଡ଼ରାଉଳ ପୀଠରେ ହୋମ, ଯଜ୍ଞ ଓ ପୂଜାର୍ଚ୍ଚନା କରାଯାଇଥିଲା । ନୟାଗଡ଼ ଡିଏଫ୍ଓ ଏଲ୍ ଏନ୍ ବେହେରା, ଅଂଶୁମାନ ଦାସ, ଏସିଏଫ୍ ଶଙ୍କର୍ଷଣ ବେହେରା, ରେଞ୍ଜର ଅରବିନ୍ଦ ମହାନ୍ତି, ଦଶପଲ୍ଲା ଆସିଷ୍ଟାଣ୍ଡ ରେଞ୍ଜର ଅର୍ଜ୍ଜୁନ ନାୟକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ନବକଳେବର ସମୟରେ ୧୮୦ ଖଣ୍ଡ କାଠ ବଳକା ଅଛି । ତେଣୁ ଏଥର ୬୬୫ ଖଣ୍ଡ କାଠ ଆବଶ୍ୟକ ହେବ । ଏଥିମଧ୍ୟରେ ୧୦୦ ଖଣ୍ଡ ୨୦ ଫୁଟକାଠ, ୨୩୪ ଖଣ୍ଡ ୧୨ ଫୁଟ୍ କାଠ, ୩୦ ଖଣ୍ଡ ୪୦ ଫୁଟ୍ ଅସନ କାଠ, ୭୦ ଖଣ୍ଡ ୪୦ ଫୁଟ୍ ଧଉଡ଼ା କାଠ, ୧୨୨ ଖଣ୍ଡ ୨୦ ଫୁଟ୍ ଧଉଡ଼ା କାଠ, ୩୨ ଖଣ୍ଡ ଫାସି କାଠ, ୩ ଖଣ୍ଡ ଶିମିଳି କାଠ ଅନ୍ତର୍ଭୁକ୍ତ । ବସନ୍ତ ପଞ୍ଚମୀ ତିଥିରେ ତିନି ଖଣ୍ଡ ଅସନ କାଠ ଗଣ୍ଡିକୁ ପୂଜା କରି ରଥ କାଠ ଚିରା ପର୍ବ ଅନୁକୂଳ ହେବାକୁ ଥିବା ବେଳେ ଶ୍ରୀରାମ ନବମୀଠାରୁ ରଥକାଠ ଚିରଟ ପର୍ବ ଆରମ୍ଭ ହେବ । ଅକ୍ଷୟ ତୃତୀୟାଠାରୁ ତିନି ରଥର ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ ।

ସେଆର କରନ୍ତୁ:



Powered by odothemes.com