୫ ହଜାର ଟଙ୍କାରେ ବିକ୍ରି ଶିଶୁପୁତ୍ର ଉଦ୍ଧାର ଦାବି

ବାଲେଶ୍ୱର,୨ ।୩(ଆପ୍ର): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ବିକ୍ରି ଘଟଣା ଭିନ୍ନ ମୋଡ ନେଇଛି । ୫ ହଜାର ଟଙ୍କାରେ ବିକ୍ରି ହୋଇଥିବା ନବଜାତ ଶିଶୁପୁତ୍ରକୁ ଉଦ୍ଧାର ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।
ସଦର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ସ୍ୱର୍ଗତ ଗୋଲକ ନାରାୟଣ ଦାସଙ୍କ ମଧ୍ୟମ ପୁତ୍ର ସୁକାନ୍ତ କୁମାର ଦାସ(ଭୁବନେଶ୍ୱର ଏଜି ଅଫିସ କର୍ମଚାରୀ) ଓ ପତ୍ନୀ ନୀଳିମାରାଣୀ ଦାସଙ୍କ ବିବାହକୁ ୧୭ ବର୍ଷ ବିତି ଗଲାଣି । ହେଲେ ସେମାନଙ୍କର କୌଣସି ସନ୍ତାନ-ସନ୍ତତି ହୋଇନଥିଲା । ଡାକ୍ତରଙ୍କ ପରୀକ୍ଷା ପରେ କେବେ ବି ମାଆ ହୋଇ ପାରିବେ ନାହିଁ ବୋଲି ଶ୍ରୀମତୀ ଦାସ ଜାଣିବାକୁ ପାଇଥିଲେ । ପରେ ସେ ଏକ ଦଲାଲ ମାଧ୍ୟମରେ ପୁତ୍ର ସନ୍ତାନ କିଣିବା ପାଇଁ ଉଦ୍ୟମ ଜାରି ରଖିଥିଲେ । ଜାନୁଆରି ଶେଷ ସପ୍ତାହରେ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଜନ୍ମ ଦେଇଥିବା ରାଣୀପାଟଣା/ଦର୍ଜିପୋଖରୀ ଅଞ୍ଚଳର ଜନୈକ ମହିଳାଙ୍କଠାରୁ ଦଲାଲ ମାର୍ଫତରେ ମାତ୍ର ୫ ହଜାର ଟଙ୍କାରେ ତା’ର ନବଜାତ ଶିଶୁକୁ ସେ କୋଳେଇ ନେଇଥିଲେ । ଜୀବନର କେବେ ମାତୃତ୍ୱ ଲାଭ କରିବାର ସମ୍ଭାବନା ନଥିବା ଶ୍ରୀମତୀ ଦାସଙ୍କ ପକ୍ଷେ ଉକ୍ତ ଶିଶୁକୁ ସଠିକ୍ ଭାବେ ଲାଳନପାଳନ କରିବା ଦୂରୁହ ବ୍ୟାପାର । ବୋତଲ କ୍ଷୀର ପିଆଇବା ଦ୍ୱାରା ଶିଶୁଟି ଅହରହ ରାହା ଧରି କାନ୍ଦିବା ପଡ଼ୋଶୀଙ୍କ ମଧ୍ୟରେ ଭାବାବେଗ ସୃଷ୍ଟି କରିଥିଲା । ଅନ୍ୟପକ୍ଷରେ ଚୁକ୍ତି ଅନୁସାରେ ଦଲାଲଠାରୁ ଧାର୍ଯ୍ୟ ଅର୍ଥ ନପାଇ ବାରମ୍ବାର ଭୀମପୁର ଆସୁଥିବା ଶିଶୁର ଜନ୍ମିତ ମାଆକୁ ଶ୍ରୀମତୀ ଦାସ ସ୍ତନ୍ୟପାନ କରାଇ ନ ଦେବା ସ୍ଥାନୀୟ ବାସିନ୍ଦାଙ୍କ ମନକୁ ଆନ୍ଦୋଳିତ କରିଥିଲା । ଶ୍ରୀଦାସ ଭୁବନେଶ୍ୱରରେ ରହୁଥିବା କାରଣରୁ ପଡ଼ୋଶୀମାନେ ତାଙ୍କ ସହ ଯୋଗାଯୋଗ କରି ନପାରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଇତିଶ୍ରୀ ମହାପାତ୍ରଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ସର୍ବଦା କ୍ରନ୍ଦନରତ ସେହି ନିଷ୍ପାପ ଶିଶୁକୁ ଉଦ୍ଧାର ସହ ତା’ର ମାଆକୁ ହସ୍ତାନ୍ତର ପାଇଁ ସେମାନେ ନିବେଦନ କରିଥିଲେ । ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ଶିଶୁ ସୁରକ୍ଷା ବିଭାଗର ଦୁଇଜଣ କର୍ମଚାରୀଙ୍କୁ ଶ୍ରୀମତୀ ମହାପାତ୍ର ଭୀମପୁର ପଠାଇ ଶ୍ରୀମତୀ ଦାସଙ୍କୁ ପଚରାଉଚୁରା କରିଥିଲେ । ମାତ୍ର ଶ୍ରୀମତୀ ଦାସଙ୍କ ନିଖୁଣ ଅଭିନୟ ଓ ମୋଟା ଅଙ୍କର ଅର୍ଥ ମୋହରେ ପଡ଼ି କର୍ମଚାରୀ ଦ୍ୱୟ କୌଣସି ପଦକ୍ଷେପ ନେଇ ନଥିଲେ । କେବଳ ‘ମାଡାମଙ୍କୁ (ଡିସିପିଓ) ଦେଖା କରିବାକୁ’ କହି ସେମାନେ ଫେରି ଆସିଥିଲେ । ଶ୍ରୀମତୀ ଦାସଙ୍କ ହେପାଜତରେ ଥିବା ଶିଶୁପୁତ୍ର ବାବଦରେ ବିଭାଗୀୟ ଅଧିକାରୀମାନେ ଜାଣିବାକୁ ଟିକିଏ ହେଲେ ଚେଷ୍ଟା କରିନଥିଲେ । ଶିଶୁ ସୁରକ୍ଷା କର୍ମଚାରୀଙ୍କର ଏହି ଅପରିଣାମଦର୍ଶୀ କାର୍ଯ୍ୟକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଥିଲା । ସବୁଠାରୁ ବଡ଼କଥା ହେଲା ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀଙ୍କ ଜରିଆରେ ମିଥ୍ୟା ଜନ୍ମ ପ୍ରମାଣପତ୍ରଟିଏ ଯୋଗାଡ଼ କରିବାକୁ ଶ୍ରୀମତୀ ଦାସଙ୍କୁ ଡିସିପିଓ ଶ୍ରୀମତୀ ମହାପାତ୍ର ପରାମର୍ଶ ଦେବା ଘଟଣାକୁ ଜଟିଳ ମୋଡ଼ ନେଇଛି । ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରିବା ସହିତ ଶ୍ରୀମତୀ ଦାସଙ୍କର ମେଡିକାଲ ଟେଷ୍ଟ କରିବା, ମାତ୍ର ୫ ହଜାର ଟଙ୍କା ବିନିମୟରେ ଶିଶୁପୁତ୍ର କିଣା-ବିକା କରିଥିବା ଦଲାଲ ଓ ପିଲାଚୋର ର୍ୟାକେଟ୍କୁ ଠାବ କରିବା, ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଶିଶୁ ସୁରକ୍ଷା ଅଧିକାରୀଙ୍କ ଆଭିମୁଖ୍ୟ ବିରୋଧରେ ଆଇନ୍ଗତ ପଦକ୍ଷେପ ତ୍ୱରାନ୍ୱିତ ପାଇଁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି । ତୁରନ୍ତ ଉକ୍ତ ଶିଶୁପୁତ୍ରକୁ ଉଦ୍ଧାର ସହିତ ତା’ର ମାଆକୁ ହସ୍ତାନ୍ତର ପାଇଁ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଦାବି ହୋଇଛି । ସବୁଠାରୁ ବଡ଼କଥା ହେଲା ଏହି ପିଲାବିକ୍ରି ଘଟଣା ସମ୍ପର୍କରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି କିମ୍ବା ଜିଲ୍ଲା ସମାଜ ମଙ୍ଗଳ ବିଭାଗକୁ ମଧ୍ୟ ଶ୍ରୀମତୀ ମହାପାତ୍ର କୌଣସି ସୂଚନା ଦେଇନଥିବା ଜଣାପଡ଼ିଛି ।