puri-temple111

୨୭ରୁ ଜଗମୋହନ ମରାମତି

61

ପୁରୀ, ୮ା୧(ଆପ୍ର) : ବହୁ ବାଦବିବାଦ ପରେ ଆସନ୍ତା ୨୭ ତାରିଖରୁ ଶ୍ରୀମନ୍ଦିରର ବିପଦ ସଂକୁଳ ଜଗମୋହନ ମରାମତି ଆରମ୍ଭ କରିବାକୁ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଆସନ୍ତା ୧୩ ତାରିଖରେ ହେବାକୁଥିବା ପରିଚାଳନା କମିଟି ବୈଠକରେ ଏ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ପରେ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାଯାଇଛି । ଜଗମୋହନ ମରାମତି କାର୍ଯ୍ୟ ଆରମ୍ଭ ହେଲେ ପ୍ରତ୍ୟହ ରାତ୍ର ୨ଟାରୁ ଶ୍ରୀମନ୍ଦିରର ଦ୍ୱାର ଫିଟିବ । ସକାଳ ୧୧ଟା ସୁଦ୍ଧା ମଧ୍ୟାହ୍ନ ଧୂପ ଶେଷ ହେବ । ସକାଳ ୧୧ଟା ପରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମରାମତି କାର୍ଯ୍ୟ ଆରମ୍ଭ କରିବ । ସନ୍ଧ୍ୟା ୬ଟା ପରେ କାର୍ଯ୍ୟ ବନ୍ଦ ରହିବ । ଏହି ସମୟ ମଧ୍ୟରେ ମହାପ୍ରଭୁଙ୍କର କୌଣସି ନୀତି ସଂପାଦିତ ହେବ ନାହିଁ । ସନ୍ଧ୍ୟା ୬ଟା ପରେ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟାଧୂପ ଆଦି ନୀତି ସଂପାଦିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ପରମ୍ପରା ରକ୍ଷା କରି ପ୍ରତ୍ୟହ ନୀତି ସୂଚାରୁ ରୂପେ ସଂପାଦନ ଲାଗି ଏକ ନୀତି ପରିଚାଳନା ସବ୍କମିଟି ଗଠନ କରାଯିବ ଏବଂ ମରାମତି କାର୍ଯ୍ୟ ତଦାରଖ ପାଇଁ ଆଉ ଏକ କମିଟି ଗଠନ କରାଯିବ । ଏହି ଦୁଇଟି କମିଟିରେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ସେବାୟତମାନେ ସଭ୍ୟ ରହିବେ । ମରାମତି କାର୍ଯ୍ୟ ଯେତେଦିନ ଧରି ଚାଲିଥିବ ସେତେଦିନ ପର୍ଯ୍ୟନ୍ତ ପରିମାଣିକ ଟିକେଟ ଦର୍ଶନ ଓ ସାହାଣମେଲା ଦର୍ଶନ ବନ୍ଦ ରହିବ । ଦର୍ଶନାର୍ଥୀମାନେ ଧାଡିରେ ଯାଇ ବାହାର କାଠ ପାଖରୁ ମହାପ୍ରଭୁଙ୍କୁ ଦୂରରୁ ଦର୍ଶନ କରି ଫେରିବେ । ଦୀର୍ଘଦିନ ଧରି ପରିମାଣିକ ଦର୍ଶନ ବନ୍ଦ ରହୁଥିବାରୁ ପରିମାଣିକ ଟିକେଟ୍ ବିକ୍ରି ଅର୍ଥରୁ ଅଂଶ ପାଉଥିବା ପାଳିଆ ସେବାୟତମାନେ ସେମାନଙ୍କର ପ୍ରାପ୍ୟ ପାଉଣା କିଭଳି ପାଇବେ ବୋଲି ବୈଠକରେ ସେବାୟତମାନେ ପ୍ରଶ୍ନ ଉଠାଇଥିଲେ । ଯେହେତୁ ଏଏସଆଇ ଏହି କାର୍ଯ୍ୟ କରୁଛି, କେନ୍ଦ୍ର ସରକାର ସେବାୟତଙ୍କ କ୍ଷତିପୂରଣ ଭରଣା କରୁ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଆଗକୁ ପୌଷପୂର୍ଣ୍ଣିମା ଓ ଗଙ୍ଗାସାଗର ଯାତ୍ରା ଥିବାରୁ ଶ୍ରୀମନ୍ଦିରରେ ଯାତ୍ରୀମାନଙ୍କର ପ୍ରବଳ ଭିଡ଼ ରହିବ । ତେଣୁ ଗଙ୍ଗାସାଗର ଯାତ୍ରା ପରେ ଜଗମୋହନ ଭିତରପଟ ମରାମତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଛତିଶାନିଯୋଗ କର୍ମକର୍ତ୍ତାମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏଏସ୍ଆଇ ଓ ପୂର୍ତ୍ତବିଭାଗ ବରିଷ୍ଠ ଅଧିକାରୀ ଓ ଅତିରିକ୍ତ ଏସ୍ପି ବନବିହାରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ପ୍ରଥମେ ସେବାୟତମାନଙ୍କ ପ୍ରାପ୍ୟ ପାଉଣା ଶ୍ରୀମନ୍ଦିର ପ୍ରଶାସନ ପ୍ରଦାନ କରିବ । ପରେ ରାଜ୍ୟ ସରକାର ତାହା ଭରଣା କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ମରାମତି କାର୍ଯ୍ୟବେଳେ ଯେଉଁ ଧୂଳି ଉଡିବ ତାହା ଗର୍ଭଗୃହ ଭିତରେ ପ୍ରବେଶ କଲେ ମହାପ୍ରଭୁଙ୍କର କ୍ଷତି ହେବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ମହାପ୍ରଭୁଙ୍କ ସମ୍ମୁଖରେ ଏକ ପତଳା କନାର ଆବରଣ ଦିଆଯିବ । ଫଳରେ ଦର୍ଶନାର୍ଥୀମାନେ ଦୂରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଆଧୁନିକ ଯନ୍ତ୍ରପାତି ପ୍ରୟୋଗ କରି ଭାକୁ୍ୟମ୍ କିମ୍ବା ଏୟାର କଟର ମାଧ୍ୟମରେ ଧୂଳି ଯେଭଳି ବାହାର କରିଦିଆଯାଇପାରିବ ସେ ସମ୍ପର୍କରେ ବିଚାର କରିବା ପାଇଁ ସେବାୟତମାନେ ପ୍ରସ୍ତାବ ଦେଇଥିଲେ । ମହାପ୍ରଭୁଙ୍କ ସମ୍ମୁଖରେ କନା ଲଗାଯିବ ନାହିଁ ବୋଲି ବୈଠକରେ ସ୍ଥିର କରାଯାଇଛି । ସୂଚନା ଯୋଗ୍ୟ ଯେ ଡିସେମ୍ବର ୧୬ ତାରିଖରେ ଶ୍ରୀମନ୍ଦିର ଜଗମୋହନ ଭିତରପଟ ମରାମତି କାର୍ଯ୍ୟ ଆରମ୍ଭ ହେବାପାଇଁ ନିଷ୍ପତ୍ତି ହୋଇଥିଲା । ଛତିଶାନିଯୋଗ ବୈଠକ ହୋଇପାରିନଥିବାରୁ ମରାମତି କାର୍ଯ୍ୟ ସଂପର୍କରେ ନିଷ୍ପତ୍ତି ନିଆଯାଇପାରିନଥିଲା । ଜାନୁଆରୀ ପ୍ରଥମ ସପ୍ତାହରେ ଜଗମୋହନ ମରାମତି କାର୍ଯ୍ୟ ହୋଇପାରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶାବ୍ୟକ୍ତ କରିଥିଲେ । କିନ୍ତୁ ମୁଖ୍ୟପ୍ରଶାସକ ସେବାୟତମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛନ୍ତି ବୋଲି ସେବାୟତ ମହଲରୁ ଅଭିଯୋଗ ହୋଇଥିଲା । ଡିସେମ୍ବର ମାସରେ ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ୧୧ଟି ନିଯୋଗର କର୍ମକର୍ତ୍ତାଙ୍କୁ ଡକାଇ ବୈଠକ କରିଥିଲେ । ସେବାୟତ ପ୍ରତିନିଧିମାନେ ବୈଠକରେ ଯୋଗଦେବା ପରେ ଛତିଶାନିଯୋଗକୁ କାହିଁକି ଡକାଯାଇନାହିଁ ବୋଲି ଅଭିଯୋଗ କରି ବୈଠକ ବର୍ଜନ କରିଥିଲେ । ଫଳରେ ଜଗମୋହନ ମରାମତି କାର୍ଯ୍ୟ ସ୍ଥଗିତ ରହିଥିଲା । ଆଜି ଛତିଶାନିଯୋଗ ବୈଠକରେ ଆସନ୍ତା ୨୭ରୁ କାର୍ଯ୍ୟ ଆରମ୍ଭ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବୈଠକରେ ସେବାୟତ କଲ୍ୟାଣ ସମ୍ପର୍କରେ ବିବିଧ ଆଲୋଚନା ସହ ସ୍ୱାସ୍ଥ୍ୟବୀମା ନବୀକରଣ ପାଇଁ ନିଷ୍ପତ୍ତି ନିଆଯାଇଛି ।

ସେଆର କରନ୍ତୁ:



Powered by odothemes.com