ଯୋଜନା ବ୍ୟୟ:ନଅ ମାସରେ ୨୪,୭୫୦ କୋଟି

36

ଭୁବନେଶ୍ୱର(ତଥ୍ୟ୍ୟ): ଗତ ଡିସେମ୍ବର ଶେଷସୁଦ୍ଧା ଆର୍ଥିକ ବର୍ଷର ପ୍ରଥମ ନଅ ମାସରେ ରାଜ୍ୟ ଯୋଜନାରେ ବରାଦ ଅର୍ଥର ୫୦ ପ୍ରତିଶତରୁ ଅଧିକ ଖର୍ଚ୍ଚ ହୋଇଛି । ଗତବର୍ଷ ଏହି ସମୟ ମଧ୍ୟରେ ରାଜ୍ୟ ଯୋଜନାର ୪୮ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିଲା । ଗତ ଆର୍ଥିକବର୍ଷରେ ରାଜ୍ୟ ଯୋଜନାରେ ୪୦,୪୪୯ କୋଟି ଟଙ୍କା ବରାଦ ହୋଇଥିଲା । ଏବର୍ଷ ରାଜ୍ୟ ଯୋଜନାର ଅଟକଳ ୨୦ ପ୍ରତିଶତ ବଢାଇ ୪୮,୬୭୫ କୋଟି ଟଙ୍କା କରାଯାଇଥିବାବେଳେ ସେଥିରୁ ଖର୍ଚ୍ଚ ହୋଇଛି ୨୪,୭୫୦ କୋଟି ଟଙ୍କା । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ ରାଜ୍ୟ ଯୋଜନାର ପ୍ରଗତି ସମ୍ପର୍କରେ ବାରମ୍ବାର ସମୀକ୍ଷା ବୈଠକମାନ କରି ଏହି ଅର୍ଥ କିଭଳି ଠିକଣା ସମୟରେ ବ୍ୟୟ କରାଯାଇପାରିବ ତାହା ଉପରେ ବିଶେଷ ଗୁରୁତ୍ୱଆରୋପ କରୁଥିବାରୁ କ୍ଷେତ୍ର ପ୍ରଶାସନ ଯୋଜନାବ୍ୟୟକୁ ତ୍ୱରାନ୍ୱିତ କରୁଛି ।  ସରକାରୀ ହିସାବରୁ ଜଣାପଡିଛି ଯେ ଚଳିତ ଆର୍ଥିକବର୍ଷ ଲାଗି ଜଳସମ୍ପଦ ବିଭାଗ ପାଇଁ ଯୋଜନାରେ ୫୨୪୨ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ବେଳେ ସେଥିରୁ ୩୩୮୪ କୋଟି ଟଙ୍କା ପ୍ରଥମ ନଅମାସରେ ଖର୍ଚ୍ଚ ହୋଇଛି, ଯାହାକି ମୂଳ ଅଟକଳର ପାଖାପାଖି ୬୫ ପ୍ରତିଶତ । ପୂର୍ତ୍ତ ବିଭାଗ ଚଳିତ ଆର୍ଥିକବର୍ଷରେ ଡିସେମ୍ବର ଶେଷସୁଦ୍ଧା ପ୍ରାୟ ୬୦ ପ୍ରତିଶତ ବ୍ୟୟର ରେକର୍ଡ କରିଛି । ଏହି ବିଭାଗ ପାଇଁ ୩୯୭୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ଖର୍ଚ୍ଚ ହୋଇଛି ୨୩୬୧ କୋଟି ଟଙ୍କା । ଏହି ସମୟ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତାହାର ବରାଦ ୫୮୩୫ କୋଟି ଟଙ୍କାରୁ ଖର୍ଚ୍ଚକରିଛି ୩୪୨୭ କୋଟି ଟଙ୍କା । କୃଷି ଓ ଏହାର ଅନ୍ୟ ସହଯୋଗୀ କ୍ଷେତ୍ର ପାଇଁ ରାଜ୍ୟ ଯୋଜନାରେ ୬୭୭୭ କୋଟି ଟଙ୍କା ବରାଦ ହେଇଥିବାବେଳେ ପ୍ରଥମ ନଅମାସରେ ଖର୍ଚ୍ଚ ସରିଛି ୫୫୫୮ କୋଟି ଟଙ୍କା ।
ଯୋଜନାଅର୍ଥ ଖର୍ଚ୍ଚ କରିବାରେ ସାମାଜିକ କ୍ଷେତ୍ରମାନେ ବି ପଛରେ ନାହାନ୍ତି । ସାମାଜିକ ସେବା କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷ ଲାଗି ୨୧,୧୫୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ସେଥିରୁ ଖର୍ଚ୍ଚସରିଛି ୧୦,୮୫୯ କୋଟି ଟଙ୍କା । ଉଲ୍ଲେଖନୀୟ, ଗତ ଆର୍ଥିକବର୍ଷରେ ଏ ବାବଦରେ ରାଜ୍ୟ ଯୋଜନାରେ ୧୮,୭୧୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିଲା ।
ମୋଟାମୋଟି ଭାବେ ରାଜ୍ୟ ଯୋଜନା ବ୍ୟୟ ପ୍ରଥମ ନଅମାସରେ ସନ୍ତୋଷଜନକ ଥିବା ବେଳେ ବାଣିଜ୍ୟକର ଭଳି ପ୍ରମୁଖ ଆୟର ସ୍ରୋତ ଉସିାହଜନକ ନାହିଁ । ଡିସେମ୍ବର ଶେଷସୁଦ୍ଧା ବାଣିଜ୍ୟକରରୁ ରାଜ୍ୟ ସରକାର ୧୩,୮୧୮ କୋଟି ଟଙ୍କା ପାଇବେ ବୋଲି ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ମିଳିଛି ମାତ୍ର ୮୪୦୮ କୋଟି ଟଙ୍କା । ତେବେ ମଦ ବିକି୍ର କରି ରାଜସ୍ୱ ବୃଦ୍ଧି କରିଥିବା ଅବକାରୀ ବିଭାଗର ଅବଦାନ କିନ୍ତୁ ରାଜସ୍ୱ ଆଦାୟ କ୍ଷେତ୍ରରେ ଉସିାହଜନକ । ଗତ ଡିସେମ୍ବର ଶେଷସୁଦ୍ଧା ୧୭୧୨ କୋଟି ଟଙ୍କାର ଅବକାରୀ ରାଜସ୍ୱ ଆଦାୟ ହୋଇସାରିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୨୫୦୦ କୋଟି ଟଙ୍କାକୁ ଟପିଯିବ ବୋଲି ଆଶା କରାଯାଉଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୨,୮୯୦ କୋଟି ଟଙ୍କାର ନିଜସ୍ୱ ଟିକସ ଓ ୯୨୬୬ କୋଟି ଟଙ୍କାର ଅଣଟିକସ ରାଜସ୍ୱ ଆଦାୟ କରିବାପାଇଁ ଲକ୍ଷ୍ୟ ରଖିଥିବାବେଳେ ଆର୍ଥିକବର୍ଷର ପ୍ରଥମ ନଅମାସ ମଧ୍ୟରେ ଏ ବାବଦରେ ଯଥାକ୍ରମେ ୧୫,୧୧୮ କୋଟି ଓ ୪୯୯୧ କୋଟି ଟଙ୍କା ସଂଗୃହୀତ ହୋଇଛି ଯାହାକି ଗତବର୍ଷର ଏହି ଏହି ସମୟର ରାଜସ୍ୱ ଆଦାୟ ପରିମାଣଠାରୁ ଅଧିକ ।




Powered by odothemes.com