GR4_8396

ରାଷ୍ଟ୍ରପତିଙ୍କ ଦ୍ୱାରା ‘ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପ୍ରଭାବ’ ପୁସ୍ତକ ଉନ୍ମୋଚିତ

27

ଭୁବନେଶ୍ୱର, ୮ା୧(ବୁ୍ୟରୋ): ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦ୍ୱାରା ‘ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପ୍ରଭାବ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ମହିଳା ତଥା ଅନୁନ୍ନତ ଜାତି ଓ ଜନଜାତି ସଶକ୍ତିକରଣ, ନିଯୁକ୍ତି ଓ ମଜୁରୀ ଯୋଜନା ବିକେନ୍ଦ୍ରିକରଣ, ଦାଦନପ୍ରଥାର ବିଲୋପ, ପ୍ରଶାସନିକ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ କ୍ଷେତ୍ରରେ ପାରଦର୍ଶିତା ଆଣିବା ପାଇଁ ଗତ ୨୦୦୫ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା ଗତ ଦଶ ବର୍ଷ ଭିତରେ ସମଗ୍ର ଭାରତରେ କିଭଳି ସ୍ଥିତିରେ ରହିଛି, ସେ ବିଷୟରେ ଦୀର୍ଘଦିନ ଧରି ପ୍ରାକ୍ତନ ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସର ଉପସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନରେ ଗବେଷଣା କାର୍ଯ୍ୟରେ ନିୟୋଜିତ ଥିଲେ । ଏଥିପାଇଁ ଉପଯୁକ୍ତ ତଥ୍ୟ ସଂଗ୍ରହ ଉଦ୍ଧେଶ୍ୟରେ ଆନ୍ଧ୍ରପ୍ରଦେଶର ଖମମ୍ ଓ ରଙ୍ଗାରେଡ୍ଡୀ ଜିଲ୍ଲା, ଓଡିଶାର ଯାଜପୁର ଓ ବଲାଙ୍ଗୀର ଜିଲ୍ଲା, ରାଜସ୍ଥାନର ଯୋଧପୁର ଓ ବିକାନେର ଜିଲ୍ଲା, ଉତ୍ତର ପ୍ରଦେଶର ମଥୁରା ଓ ଝାନସୀ ଜିଲ୍ଲାକୁ ନମୁନା ଭାବରେ ନିଆଯାଇଛି । ଏହି ଜିଲ୍ଲାଗୁଡିକରୁ ୨ଟି ଲେଖାଏଁ ବ୍ଲକ, ପ୍ରତ୍ୟେକ ବ୍ଲକର ୨ଟି ପଞ୍ଚାୟତ ଓ ପ୍ରତ୍ୟେକ ପଞ୍ଚାୟତର ସମସ୍ତ ଗ୍ରାମରୁ ସଂଗ୍ରହ କରାଯାଇଥିବା ନମୂନାକୁ ଭିତ୍ତି କରି ଏହାର କାର୍ଯ୍ୟକାରିତା ବିଶ୍ଳେଷଣ କରାଯାଇଛି । ଉକ୍ତ ଗବେଷଣା ସନ୍ଦର୍ଭ ଉକ୍ରଳ ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ୱୀକୃତି ପାଇବାପରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ତଥା ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଅରଜିତ ପଶାୟତଙ୍କ ଦ୍ୱାରା ଲିଖିତ ମୁଖବନ୍ଧ ସହିତ ପୁସ୍ତକର ନାମ ‘ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପ୍ରଭାବ’ ରଖାଯାଇଛି । ପୂର୍ବରୁ ଏହି ପୁସ୍ତକ ଭାରତର ଉପରାଷ୍ଟ୍ରପତି ଡ. ହମିଦ ଆନସାରୀ, ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଉପାଧ୍ୟକ୍ଷା ରାହୁଲ ଗାନ୍ଧୀ ସମେତ ବହୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ବିଦ୍ୱାନ ଓ ରାଜନେତାମାନଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇସାରିଛି ।
ପୁସ୍ତକ ଉନ୍ମୋଚନ ଉତ୍ସବରେ ଲେଖକ ଡକ୍ଟର ଖୁଣ୍ଟିଆଙ୍କ ସମେତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନର ପ୍ରଫେସର ଡା. ଅନୀତା ପଣ୍ଡା, ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ଡ. ସୁବ୍ରତ ପୃଷ୍ଟି, ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ବିରଜା ମହାପାତ୍ର, ପଲ୍ଲୀବାଣୀ ସମ୍ପାଦକ ରାମଚନ୍ଦ୍ର ନାଥ, ପ୍ରସାରଭାରତୀ ଉପଦେଷ୍ଟା ଡ. ରାଜେନ୍ଦ୍ର କୁମାର କର ଏବଂ ସମାଜସେବୀ ରୀତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com