BJP--JAYANT-SINHA-PRESS-MEET-(5)

ଅଧିକ ୧୦% ଟିକସ ଅଂଶ, କଲ୍ୟାଣ ଯୋଜନାରେ ବାଧାନାହିଁ

21

ଭୁବନେଶ୍ୱର, ୮ା୧(ବୁ୍ୟରୋ): ଚଳିତ ଆର୍ଥିକ ବର୍ଷରୁ କେନ୍ଦ୍ର ସରକାର ୮ଟି କେନ୍ଦ୍ରୀୟ ପ୍ରବର୍ତ୍ତିତ ଜନକଲ୍ୟାଣକାରୀ ଯୋଜନା ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି । ଅନ୍ୟ ୩୩ଟି ସାମାଜିକ କଲ୍ୟାଣ ଯୋଜନାରେ ଆଖିବୁଜା ଅନୁଦାନ କାଟ୍ କରିଛନ୍ତି । ଏହି କାରଣରୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଉଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ହେଉଥିବା ଏହି ଅଭିଯୋଗ ସମ୍ପର୍କରେ ସାମ୍ବାଦିକମାନେ ଦୃଷ୍ଟି ଆକର୍ଷଣ କରିବାରୁ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ତାହାର ପାଲଟା ଜବାବରେ କହିଛନ୍ତି, ପୂର୍ବରୁ ଅର୍ଥ କମିଶନଙ୍କ ସୁପାରିଶରେ ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ଟିକସ ଅଂଶରୁ ୩୨% ପାଉଥିଲେ । ମାତ୍ର ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ କେନ୍ଦ୍ର ସରକାର ଏଣିକି କେନ୍ଦ୍ରୀୟ ଟିକସରୁ ୪୨% ଦେଉଛନ୍ତି । ତେଣୁ ସେହି ଅତିରିକ୍ତ ପ୍ରାପ୍ୟରେ ରାଜ୍ୟଗୁଡ଼ିକ ଚାହିଁଲେ ସାମାଜିକ କଲ୍ୟାଣ ଯୋଜନା ଚାଲୁ ରଖିପାରିବେ । ଶ୍ରୀ ସିହ୍ନା ସଂସଦ ଅଚଳ ପାଇଁ କଂଗ୍ରେସକୁ ତୀବ୍ର ସମାଲୋଚନା କରି କହିଥିଲେ, ସଂସଦର ଶୀତ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ଜିଏସଟି ବିଲ୍ ଗୃହୀତ ହୋଇପାରିଲାନାହିଁ । ଏହାଦ୍ୱାରା ଦେଶ ପ୍ରଭୂତ ଆର୍ଥିକ କ୍ଷତିର ସମ୍ମୁଖୀନ ହେବ । ଏବର୍ଷ ଚୀନ୍ରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିବ । ଏଥିରୁ ଭାରତ ଫାଇଦା ଉଠାଇ ଏହାର ଆର୍ଥିକ ଅଭିବୃଦ୍ଧିକୁ ପ୍ରଖର କରି ଚୀନ୍କୁ ଟପିବ ବୋଲି ବିଶ୍ୱବ୍ୟାଙ୍କ ଭବିଷ୍ୟବାଣୀ କରିଛି । ଏପରି ସମୟରେ ଜିଏସ୍ଟି ବିଲ୍ ଗୃହୀତ ହେବା ଜରୁରୀ ଥିଲା । ଏହାକୁ ବିରୋଧ କରି କଂଗ୍ରେସ ଭାରତୀୟ ଅର୍ଥନୀତି ଓ ଗଣତନ୍ତ୍ର ପ୍ରତି କ୍ଷତି କରିଛି । ୟୁପିଏ ଶାସନ କାଳରେ ଦେଶର ଆର୍ଥିକ ସ୍ଥିତି ନାଲିବତି ଜଳିବା ଅବସ୍ଥାରେ ପହଞ୍ଚିଥିଲା । ଏନ୍ଡିଏ ସରକାରରେ ଏହା ସବୁଜ ସଂକେତକୁ ଆସିଛି । ମୋଟ୍ ଆଭ୍ୟନ୍ତରୀଣ ଉପିାଦ (ଜିଡ଼ିପି)ର ୭.୫% ଅଭିବୃଦ୍ଧି ହାସଲ ହୋଇପାରିଛି । ଦେଶରେ ବିଦେଶୀ ପୁଞ୍ଜିନିବେଶ ପରିମାଣ ମଧ୍ୟ ବୃଦ୍ଧି ପାଇଛି ବୋଲି ସେ ଦାବି କରିଥିଲେ ।
ତେବେ ୟୁପିଏ-୨ ଶାସନ କାଳରେ ବିଜେପି କାହିଁକି ସଂସଦର ଗତିରୋଧ କରୁଥିଲା ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ସିହ୍ନା କହିଲେ, ସେତେବେଳେ ଟୁ-ଜି ସ୍ପେକ୍ଟ୍ରମ୍ ଦୁର୍ନୀତି ଯୋଗୁ ଦେଶର ୧ ଲକ୍ଷ ୮୦ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ସିଏଜି ଦର୍ଶାଇଥିଲେ । ସେହିପରି ବିନା ନିଲାମରେ କୋଇଲା ଖଣି ଆବଣ୍ଟନ ଯୋଗୁ ଦେଶ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ରାଜସ୍ୱ ହରାଇଛି ବୋଲି ସିଏଜି ଆପତ୍ତି ଉଠାଇଥିଲେ । ସରକାର ଏହାର ସ୍ପଷ୍ଟୀକରଣ ନଦେଇ ନିଜ ଦୋଷକୁ ଢାଙ୍କିବାକୁ ଉଦ୍ୟମ କରିବାରୁ ବିଜେପି ସଂସଦରେ ବିରୋଧ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା । ତେବେ ଦେଶର ହିତ ପାଇଁ କୌଣସି ବିଲ୍କୁ ବିଜେପି ବିରୋଧ କରିନଥିଲା ।
ଶ୍ରୀ ସିହ୍ନା କହିଲେ, କଳାଟଙ୍କା ଠାବ ପାଇଁ କେନ୍ଦ୍ର ସରକାର କଠୋର ଆଇନ୍ ଆଣିଥିବା ବେଳେ ବିଦେଶରେ ଥିବା ଭାରତୀୟଙ୍କ ବେହିସାବ ଜମାର ତଥ୍ୟ ହାସଲ ପାଇଁ ଆବଶ୍ୟକ ଦ୍ୱିପାକ୍ଷିକ ଚୁକ୍ତି କରିଛନ୍ତି । ଜି-୨୦ ରାଷ୍ଟ୍ରଗୁଡ଼ିକ ଏ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୀବନବୀମା କ୍ଷେତ୍ରରେ ୪୯% ବିଦେଶୀ ପୁଞ୍ଜି ନିବେଶକୁ ଯଥାର୍ଥ ବୋଲି ବର୍ଣ୍ଣନା କରି ଶ୍ରୀ ସିହ୍ନା କହିଲେ, ଏହାଦ୍ୱାରା ଗତ ବର୍ଷ ୧୦ହଜାର କୋଟି ବିଦେଶୀ ପୁଞ୍ଜି ନିବେଶ ସମ୍ଭବ ହୋଇଛି ।
ଜିଏସ୍ଟି ବିଲ୍କୁ ସଂସଦରେ ବିଜେଡ଼ି ସମର୍ଥନ ଦେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସିହ୍ନା କହିଥିଲେ । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିହ୍ନାଙ୍କ ସହ ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ ସିଂହଦେଓ, ବିଧାୟକ ଦଳ ନେତା ବସନ୍ତ ପଣ୍ଡା ଓ ମୁଖପାତ୍ର ସମୀର ମହାନ୍ତି ଉପସ୍ଥିତ ଥିଲେ ।




Powered by odothemes.com