kendra-khani-mantri-NARENDRA-SINGH-TOMAR-pokhariput-re-IBM-building-udghatan-kari-buli-dekhuchanti-(10)

ଖଣି ଜଗିବ ଉପଗ୍ରହ

34

ଭୁବନେଶ୍ୱର (ବୁ୍ୟରୋ): ଖଣିଜ ଚୋରି ରୋକିବାକୁ ଇଣ୍ଡିଆନ୍ ବୁ୍ୟରୋ ଅଫ୍ ମାଇନିଂ ‘ଆଇବିଏମ୍’ ଉପଗ୍ରହର ସହାୟତା ନେବାକୁ ଯାଉଛି । ଏଥିପାଇଁ ଇସ୍ରୋ- ଆଇବିଏମ୍ ଚୁକ୍ତି ସ୍ୱାକ୍ଷରିତ ହୋଇଛି ବୋଲି କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର୍ କହିଛନ୍ତି । ଆଜି ପୋଖରୀପୁଟସ୍ଥିତ ଆଇବିଏମ୍ ଭୁବନେଶ୍ୱର କାର୍ଯ୍ୟାଳୟକୁ ଉଦ୍ଘାଟନ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମର୍ କହିଥିଲେ, ଓଡ଼ିଶା ଖଣିଜ ଦୃଷ୍ଟିରୁ ଏକ ସମୃଦ୍ଧ ରାଜ୍ୟ । କ୍ରୋମାଇଟ୍, ବକ୍ସାଇଟ୍ ଓ ଲୁହାପଥର ଭଳି ଖଣିଜ ସମ୍ପଦରେ ଓଡ଼ିଶା ଦେଶରେ ପ୍ରଥମ । ତେଣୁ କେନ୍ଦ୍ର ଖଣି ବିଭାଗ ଓ ଆଇବିଏମ୍ ନିକଟରେ ଓଡ଼ିଶାର ଗୁରୁତ୍ୱ ଅଧିକ । ଖଣିଜ ଦୃଷ୍ଟିରୁ ଦେଶର ଜିଡିପିରେ ଓଡ଼ିଶାର ୧୨.୫ ପ୍ରତିଶତ ଭାଗିଦାରୀ ରହିଛି । ମାତ୍ର ବେଆଇନ୍ ଖଣିଜ କାରବାରରେ ଓଡ଼ିଶା ତଥା ଦେଶ ପ୍ରଚୁର ରାଜସ୍ୱ ହରାଇଛି । ଏଥିପାଇଁ ଶାହା କମିଶନ ଗଠନ ହୋଇଛି । ଭବିଷ୍ୟତରେ ଆଉ ଯେପରି କୌଣସି କମିଶନ ଖଣି ଲୁଟ୍ ପାଇଁ ଗଠନ ନହୁଏ, ସେଥିପାଇଁ ସାଟେଲାଇଟ୍ (ଉପଗ୍ରହ) ମାଧ୍ୟମରେ ଖଣି ଚୋରି ରୋକିବାକୁ ଉଦ୍ୟମ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶୀ ତୋମର କହିଥିଲେ । ମାଇନିଂ ଏଣ୍ଡ୍ ମିନେରାଲ୍ସ ଡେଭଲପ୍ମେଣ୍ଟ୍ ରେଗୁଲେସନ୍ସ(ଏମ୍ଏମ୍ଡିଆର୍) ଆଇନରେ ସଂଶୋଧନ ହୋଇଛି । ଫଳରେ ଖଣି ନିଲାମରେ କେନ୍ଦ୍ରର ଆଉ କର୍ତ୍ତୃତ୍ୱ ନାହିଁ । ଖଣି ଥିବା ସମ୍ପୃକ୍ତ ରାଜ୍ୟ ସରକାରଗୁଡ଼ିକ ଖଣି ନିଲାମ କରି ରାଜକୋଷକୁ ସମୃଦ୍ଧ କରିପାରିବେ ଏବଂ ସ୍ୱଚ୍ଛ ନିଲାମ ଦ୍ୱାରା ଉଭୟ ରାଜ୍ୟ ଓ ଦେଶର ରାଜସ୍ୱ ବୃଦ୍ଧି ଘଟିବ । ଏଥିସହିତ ଜିଲ୍ଲା ମାଇନିଂ ଫଣ୍ଡ୍(ଡିଏମଏଫ୍) ଗଠିତ ହୋଇଛି । ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ଥିଲାବେଳେ ସ୍ଥାନୀୟ ଲୋକପ୍ରତିନିଧିମାନେ ଏହାର ସଭ୍ୟ ଅଛନ୍ତି । ଏହା ଦ୍ୱାରା ପ୍ରତି ବର୍ଷ ପ୍ରାୟ ୬୦୦୦ କୋଟି ଟଙ୍କା ଖଣି ଥିବା ଜିଲ୍ଲାର ରାଜକୋଷକୁ ଆସିବ । ଓଡ଼ିଶାରେ ବର୍ତ୍ତମାନ ୧୩ଟି ଜିଲ୍ଲାରେ ଡିଏମଏପ୍ ଗଠନ ହୋଇଥିଲା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ଗଠନ କରିବାକୁ ଖଣିମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଖଣି ରୟାଲ୍ଟିକୁ କେନ୍ଦ୍ର ସରକାର ୧୦%ରୁ ୧୫%କୁ ବୃଦ୍ଧି କରିଛନ୍ତି ଏବଂ ଖଣି ନିଲାମରେ ରାଜ୍ୟ ସରକାରଙ୍କୁ କ୍ଷମତା ଦେଇଛନ୍ତି । ସାଟେଲାଇଟ୍ ମାଧ୍ୟମରେ ଖଣି ତଦାରଖ ମଧ୍ୟ କାର୍ଯ୍ୟକାରୀ ହେବାକୁ ଯାଉଛି । ଫଳରେ ପୂର୍ବରୁ ଖଣି କାରବାରରେ ଯେଉଁ ଦୁର୍ନୀତି ହେଉଥିଲା, ତାହା ଘଟିବ ନାହିଁ । ଆଇବିଏମ୍ ଅଧିକ ସତର୍କତାର କାର୍ଯ୍ୟ କରିଥିଲେ, ଓଡ଼ିଶାର ଖଣିଜ ଚୋରିକୁ ରୋକାଯାଇପାରିଥାନ୍ତା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କ୍ଷୋଭପ୍ରକାଶ କରି କହିଥିଲେ । କେନ୍ଦ୍ର ଆଦିବାସୀ ବ୍ୟାପାର୍ ମନ୍ତ୍ରୀ ଜୁଏଲ୍ ଓରାମ୍ କହିଥିଲେ, ଜିଲ୍ଲା ଖଣିଜ ପାଣ୍ଠି ଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ଉନ୍ନତି ହୋଇପାରିବ । କେନ୍ଦ୍ର ସରକାରଙ୍କର ଏହା ଏକ ଉତ୍ତମ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ୍ କହିଥିଲେ । ତେବେ ସାଟେଲାଇଟ୍ ଖଣିଜ ଚୋରିକୁ ରୋକିବାରେ ଫେଲ୍ ମାରିବ ବୋଲି ଜୁଏଲ୍ ଆଶଙ୍କା ବ୍ୟକ୍ତ କରିଥିଲେ । ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ, ଖଣିଜରୁ ସଂଗୃହୀତ ଆୟରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅଂଶଧନ ରହୁ । ଆଇବିଏମ୍ ଭୁବନେଶ୍ୱର କାର୍ଯ୍ୟାଳୟର ସମସ୍ତ ପଦବି ପୂରଣ କରିବା ସହିତ ଖଣି ଅଞ୍ଚଳରେ ପରିବେଶ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେଉ । ଓଏମ୍ସି ପ୍ରତିବର୍ଷ ୧୦ ଲକ୍ଷ ବୃକ୍ଷରୋପଣ କରୁଛି ବୋଲି ରାଜ୍ୟ ଖଣି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟଶାଣୀ, କେନ୍ଦ୍ର ଖଣି ସଚିବ ବଲଭିନ୍ଦର କୁମାର ଓ ଆଞ୍ଚଳିକ କଣ୍ଟ୍ରୋଲର୍ ଜେନେରାଲ୍ ରଂଜନ ସିହ୍ନା ଉପସ୍ଥିତ ଥିଲେ । ଆଇବିଏମର ନୂତନ କାର୍ଯ୍ୟାଳୟ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ବେଳେ ଏହା ମଧ୍ୟରେ ଏକ ସଂଗ୍ରହାଳୟ ମଧ୍ୟ ସ୍ଥାନ ପାଇଛି ।

ସେଆର କରନ୍ତୁ:



Powered by odothemes.com