DIB-re-press-meet--(7)

ବ୍ରାହ୍ମଣ ଝରିଲୋ ଗୁଳିକାଣ୍ଡ ପାଇଁ ୩୦ ଲକ୍ଷ ସୁପାରି

42

କଟକ(ବୁ୍ୟରୋ): ବ୍ରାହ୍ମଣ ଝରିଲୋ ଗୁଳିକାଣ୍ଡ ଘଟଣା ପଛରେ ଟେଣ୍ଡର ଓ ଠିକା ବିବାଦ ଥିଲା । ହତ୍ୟା ପାଇଁ ୩୦ ଲକ୍ଷ ଟଙ୍କା ସୁପାରି ଦିଆଯାଇଥିଲା । ହତ୍ୟାକାଣ୍ଡ ଘଟଣାର ପ୍ରାୟ ୧ ମାସ ପରେ ଏହି ଘଟଣାର ପର୍ଦ୍ଧାଫାସ କରିବାରେ ପୁଲିସ୍ ସକ୍ଷମ ହୋଇଛି ।  ଗତ ଡିସେମ୍ବର ମାସ ୬ତାରିଖ ଅପରାହ୍ନରେ କଟକ ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣ ଝରିଲୋ ଗୁଳିକଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ଜଣକୁ ବୁଧବାର ସନ୍ଧ୍ୟାରେ କମିଶନରେଟ୍ ପୁଲିସ ଗିରଫ କରିଛି । ସେମାନେ ହେଲେ ବାଲିଅନ୍ତା ଅନ୍ଥାରୀ ଅଞ୍ଚଳର ନିହାର ରଞ୍ଜନ ଦାସ ପଟ୍ଟନାୟକ (୨୬), ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣ ନଗରର ସୁମନ ଦାସ (୨୫) ଓ ଅଡଶପୁର ଅନ୍ତର୍ଗତ ଓଲଟପୁରର ଅଞ୍ଚଳର ମାଧିଆ ଓରଫ ମାଧବ ଦାସ(୩୨) । ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ପଲସର ୧୫୦ବାଇକ୍ (ଓଡ଼ି-ଏକ୍ସ-୩୪୪୫), ଗୋଟିଏ ୟାମାହା ଏଫ୍ ଜେଡ୍ ବାଇକ୍ (ଓଡ଼ି-୦୫-ଆର ୭୫୩୪), ଦୁଇଟି ବନ୍ଧୁକ, ୭ଟି ମୋବାଇଲ, ୯ଟି ମୋବାଇଲ ସିମ କାର୍ଡ, ଦୁଇଟି ଅଫୁଟା ବୋମା ଓ ୬ଟି ଜୀବନ୍ତ ଗୁଳିକୁ ପୁଲିସ ଜବତ କରିଛି ।  ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ କମିଶନର ଆର. ପି ଶର୍ମା କହିଛନ୍ତି ଯେ ହତ୍ୟାକାଣ୍ଡରେ ସମୃକ୍ତ ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଗିରଫ କରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବିଭିନ୍ନ ଚଢାଉ ଜାରି ରହିଛି । ଅଭିଯୁକ୍ତଙ୍କଠାରୁ ମୃତ ବିନୋଦ ଦାସଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକକୁ ମଧ୍ୟ ପୁଲିସ ଜବତ କରିଛି । ଟେଣ୍ଡର ଫିକ୍ସିଂକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ ହୋଇଛି । ତେବେ ଏହି ଅପରାଧୀଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାମଲା ରହିଛି । ଜଗତସିଂହପୁର ଜିଲ୍ଲା ଆଳି ପିଙ୍ଗଳ ଜେଲରୁ ପ୍ରାୟ ଏକ ମାସ ତଳେ ଏହି ହତ୍ୟାକାଣ୍ଡର ଯୋଜନା କରାଯାଇଥିଲା । ଆଳି ପିଙ୍ଗଳ ଜେଲରେ ଥିବା କଏଦୀ ଟହଲି ଜେନା ହତ୍ୟାକାଣ୍ଡ ପାଇଁ ନିହାରକୁ ୩୦ଲକ୍ଷ ଟଙ୍କା ସୁପାରି ଦେଇଥିଲା । ପରେ ନିହାର ହତ୍ୟାକାଣ୍ଡ ଯୋଜନାରେ ସୁପାରି କିଲର ମାଧିଆ ଓ ସୁମନକୁ ଏଥିରେ ସାମିଲ କରିଥିଲା । ଗତ ବୁଧବାର ସନ୍ଧ୍ୟାରେ କମିଶନରରେଟ୍ ପୁଲିସ ପକ୍ଷରୁ ଏହି ତିନି ଜଣଙ୍କ ମୋବାଇଲକୁ ଟ୍ରାକିଂ କରି ମାଧିଆକୁ ଭୁବନେଶ୍ୱର ସ୍ଥିତ ପାଖରୀପୁଟ ଅଞ୍ଚଳରୁ ଗିରଫ କରିବା ସହ ସୁମନକୁ କଟକ ଓଏମପି ଛକ ଓ ନିହାରକୁ କଣ୍ଟାପଡ଼ା ଅଞ୍ଚଳରୁ ଗିରଫ କରିଥିଲା । ଏହି ଅପରେସନରେ ପୁଲିସ ଅଧିକାରୀ ପ୍ରହଲ୍ଲାଦ ପରିଡ଼ା, କେ. ବରାଳ ଓ ସ୍ପୋଶାଲ ସ୍କ୍ୱାଡର ଏକ ଟିମ୍ ଗତକାଲି ସନ୍ଧ୍ୟାରେ ମିଳିତ ଭାବେ ଚଢାଉ କରିଥିଲେ ।
ସୂଚନାଯୋଗ୍ୟ, ୪ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ରେ ଆସି ମଦ ପିଇବା ସହ ଦୋକାନରେ ପାଟିତୁଣ୍ଡ କରିଥିଲେ । ଦୁର୍ବୃତ୍ତମାନେ ଦୋକାନ ଉପରକୁ ବୋମାମାଡ଼ ସହ ଆଖିବୁଜା ଗୁଳି ଚଳାଇ ଥିଲେ । ମଦ ଦୋକାନ ମାଲିକଙ୍କ ସାନ ଭାଇ ବିନୋଦ ବିହାରୀ ଦାସ ଦୋକାନ ପାଖରେ ନିର୍ମାଣାଧୀନ ମାର୍କେଟ କମ୍ପ୍ଲେକ୍ସର କାର୍ଯ୍ୟ ତଦାରଖ କରୁଥିଲେ । ଏହି ସମୟରେ ୨ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ୭ ରାଉଣ୍ଡ ଗୁଳି ଚଲାଇଥିଲେ । ଏଥି ସହ ଦୋକାନର ସିସିଟିଭିକୁ ଭାଙ୍ଗିବା ସହ କ୍ୟାସ କାଉଣ୍ଟରରୁ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ବିନୋଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲା ।




Powered by odothemes.com