ଶିଶୁ ଅଧିକାର ଆଇନ୍ର ସଚେତନତା ଲୋଡ଼ା

MISSIN-SHAKTI-KARJYALAYA-RE-sisu-surakshya-digare-ganamadhyama-ra-bhumika-SIRSAKA-KARMASALA----(1)

ଭୁବନେଶ୍ୱର,୬ ।୧(ବୁ୍ୟରୋ): ଶିଶୁଙ୍କର ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବା ଦରକାର । ବର୍ତ୍ତମାନ ଶିଶୁଙ୍କ ପାଇଁ ଯେତିକି ସୁରକ୍ଷା ବ୍ୟବସ୍ଥା ରହିଛି ତାକୁ ଅଧିକ ବଢାଯିବା ପାଇଁ ଗୁରତ୍ୱ ଦିଆଯିବ । ଶିଶୁ ଅଧିକାର ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ଅଧିକ ସଚେତନତା ଅଣାଯିବା ଦରକାର ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଧେଶକ ରବୀନ୍ଦ୍ର ପ୍ରତାପ ସିଂ କହିଛନ୍ତି । ମିଶନ ଶକ୍ତି ଭବନରେ ରାଜ୍ୟ ଶିଶୁ ସୁରକ୍ଷା ସମିତି ଓ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଶିଶୁ ସୁରକ୍ଷାରେ ଗଣମାଧ୍ୟମର ଭୂମିକା ସମ୍ପର୍କିତ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ସିଂ ଶିଶୁ ସୁରକ୍ଷା ସମ୍ପର୍କିତ ଆଇନ୍ ଉପରେ ଲୋକମାନଙ୍କୁ ସଚେତନତା କରିବାରେ ଗଣମାଧ୍ୟମ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ । କର୍ମଶାଳାରେ ଢୋଙ୍କାନାଳ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍ସି)ର ନିର୍ଦ୍ଧେଶକ ଡ. ମୃଣାଲ୍ ଚାଟାର୍ଜୀ ଯୋଗଦେଇ ଶିଶୁ ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରି କହିଲେ, ଶିଶୁ ସଂପର୍କିତ ଖବର ପରିବେଷଣ ବେଳେ ସାମ୍ବାଦିକମାନେ ଅଧିକ ଉତ୍ତେଜିତ ହୋଇ ଖବର ପରିବେଷଣ କରିବା ଉଚିତ୍ ନୁହେଁ । କାରଣ ଏଥିରେ ଶିଶୁଙ୍କର ଭବିଷ୍ୟତ ନଷ୍ଟ ହେବାର ଆଶଙ୍କା ରହିଥାଏ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ସୁରକ୍ଷା ବିଶେଷଜ୍ଞ ଲକ୍ଷ୍ମୀ ନାରାୟଣ ନନ୍ଦ କହିଲେ, ପିଲାମାନଙ୍କର ସମସ୍ୟା, ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ସହ ସେମାନଙ୍କର ସୁରକ୍ଷା କିଭଳି ହୋଇପାରିବ ତା ଉପରେ ଗୁରୁତ୍ୱ ଦେବା ଦରକାର । ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କର୍ମଚାରୀ ମନୋଜ କୁମାର ତ୍ରିପାଠୀ ଏଥିରେ ଯୋଗଦେଇ ଶିଶୁ ସୁରକ୍ଷାରେ କାର୍ଯ୍ୟ କରୁଥିବା ଆଇନ୍ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହିତ ଦିବ୍ୟଦିଶାର ନିର୍ଦ୍ଧେଶକ ଇଶିଡୋରେ ଫିଲିପ୍ସ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଏଥିରେ ଯୋଗଦେଇଥିଲେ ।