ଜବ୍କାର୍ଡଧାରୀ ଶ୍ରମିକଙ୍କ ପଞ୍ଚାୟତ ଅଫିସ୍ ଆଗରେ ଧାରଣା

44

ବାଲିଚନ୍ଦ୍ରପୁର, ୬ା୧(ଆପ୍ର): ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଚାରିନଙ୍ଗଳ ପଞ୍ଚାୟତ ଅଫିସ୍ ଆଗରେ ଜବ୍କାର୍ଡଧାରୀ ଶ୍ରମିକମାନେ ପ୍ରାପ୍ୟ ଦାବିରେ ଧାରଣା ଦେଇଛନ୍ତି । ବ୍ଲକ୍ ଅଧିନ ଧାଉଡ଼ିଆପଦା ଦେହୁରୀସାହି ମାଟି ରାସ୍ତା ନିର୍ମାଣ ନିମନ୍ତେ ଝରକୁଳ ଓ ଧାଉଡ଼ିଆପଦା ଗ୍ରାମର ପ୍ରାୟ ୨୦ରୁ ଉଦ୍ଧ୍ୱର୍ ଜବ୍କାର୍ଡଧାରୀ ଶ୍ରମିକ କାମ କରିବାକୁ ଚାରିନଙ୍ଗଳ ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ ପରେ ସେମାନଙ୍କୁ କାମ କରିବା ପାଇଁ ପଞ୍ଚାୟତରୁ ଅନୁମତି ଦିଆଯାଇଥିଲା । ଗୋଟିଏ ସପ୍ତାହ କାମ କରିବାର ମଜୁରୀ ପ୍ରଦାନ ପରେ ପରବର୍ତ୍ତୀ ସପ୍ତାହ ଗୁଡ଼ିକର ମଜୁରୀ ବିଲ୍ରେ ସରପଞ୍ଚ ଦସ୍ତଖତ ଦେଉନଥିବାରୁ ପ୍ରାପ୍ୟ ପ୍ରଦାନ କରାଯାଇପାରୁନଥିବା ଅଭିଯୋଗ ହୋଇଛି । ଫଳରେ ଆଜି କିଛି ଶ୍ରମିକ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେଇଥିଲେ । ଖବର ପାଇ ବଡ଼ଚଣା ବ୍ଲକ୍ର ସହକାରୀ ଯନ୍ତ୍ରୀ ହିରକ ସିଂହ, କନିଷ୍ଠ ଯନ୍ତ୍ରୀ କୈଳାଶ ଚନ୍ଦ୍ର ଦାସ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଳମଣୀ ସେଠୀ ଓ ଜିଆର୍ଏସ୍ ପ୍ରମୁଖ ଜବ୍କାର୍ଡଧାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ଧାରଣାକାରୀଙ୍କୁ କହିଥିଲେ । ଏ ସମ୍ପର୍କରେ ସରପଞ୍ଚ ଖୁର୍ସୀଦି ବିବିଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଆଜି ଶ୍ରମିକମାନେ ଧାରଣା ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି ଏବଂ ମୋର ଶରୀର ଅସୁସ୍ଥ ଥିବାରୁ ଡାକ୍ତରଖାନା ଯାଇଥିଲି । ତେବେ ପ୍ରଥମ ସପ୍ତାହ ମଜୁରୀ ପ୍ରଦାନ ପରେ ପରବର୍ତ୍ତୀ ସପ୍ତାହର ଶ୍ରମିକଙ୍କ ମଜୁରୀ ପ୍ରାପ୍ତ ନିମନ୍ତେ ଉଦ୍ଧିଷ୍ଟ ମାଷ୍ଟର୍ରୋଲ୍ରେ କିଛି ତ୍ରୁଟି ଥିବାରୁ ମୁଁ ଅନୁସନ୍ଧାନ କରି ଜାଣିବା ପରେ ମଜୁରୀ ବିଲ୍ରେ ଦସ୍ତଖତ ଦେବି ବୋଲି କହିଥିଲେ । ଧାରଣାରେ ବିଜୟ ଦେହୁରୀ, ମମତା ଦେହୁରୀ, ରେଖା ଦେହୁରୀ, ଶଙ୍କର ଦେହୁରୀ, ନିର୍ମଳା ଦେହୁରୀ, କବିତା ଦେହୁରୀ, କୁନି ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧିନରେ ଜବ୍କାର୍ଡଧାରୀ ଶ୍ରମିକଙ୍କୁ ନିଜ ଗ୍ରାମ ନିକଟରେ ସର୍ବନିମ୍ନ ୧୦୦ଦିନର କର୍ମନିଯୁକ୍ତି ଯୋଗାଇଦେବାର ନିୟମ ରହିଛି । ସେମାନେ ସପ୍ତାହେ କାମ କରିବା ପରେ ସାପ୍ତାହିକ ଭାବେ ନିକଟସ୍ଥ ପୋଷ୍ଟ୍ ଅଫିସ୍ କିମ୍ବା ବ୍ୟାଙ୍କ୍ରୁ ମଜୁରୀ ଟଙ୍କା ପାଇବାର ବ୍ୟବସ୍ଥା ହୋଇଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ତୁରନ୍ତ ମଜୁରୀ ପ୍ରଦାନ ନିମନ୍ତେ ସମସ୍ତ ବ୍ୟବସ୍ଥା ମଧ୍ୟ ହୋଇଥିଲେ ବି ବାସ୍ତବକ୍ଷେତ୍ରରେ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳୁଛି । ଆଉ ଯୋଜନାର ସଫଳ ରୂପାୟନରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେଆର କରନ୍ତୁ:



Powered by odothemes.com