୭ରେ ସଂଶୋଧିତ ବିଜ୍ଞପ୍ତି, ମାର୍ଚ୍ଚ ୪ରେ ନିଯୁକ୍ତି ପତ୍ର ପ୍ରଦାନ

36

ଭୁବନେଶ୍ୱର (ବୁ୍ୟରୋ): ଆସନ୍ତା ୭ ତାରିଖରେ ସଂଶୋଧିତ ବିଜ୍ଞପ୍ତି ଓ ମାର୍ଚ୍ଚ ୪ରେ ନିଯୁକ୍ତି ପତ୍ର ପ୍ରଦାନ ପ୍ରତିଶ୍ରୁତି ମିଳିବା ପରେ ଦୀର୍ଘଦିନ ହେବ ଆମରଣ ଅନଶନରେ ବସିଥିବା ଚୁକ୍ତିଭିତ୍ତିକ ୩୭୬୦ ହାଇସ୍କୁଲ ଶିକ୍ଷକ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି । ମଙ୍ଗଳବାର ସଂନ୍ଧ୍ୟାରେ ସଂଘର ୭ଜଣ ସଦସ୍ୟଙ୍କ ସହ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଆଲୋଚନା କରିଥିଲେ । ଆଲୋଚନା ବେଳେ ଚୁକ୍ତିଭିତ୍ତିକ ଶିିକ୍ଷକଙ୍କ ଚାକିରୀ ସୁରକ୍ଷିତ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ନିଯୁକ୍ତି ସମ୍ପର୍କିତ ସଂଶୋଧିତ ବିଜ୍ଞପ୍ତି ଆସନ୍ତା ୭ରେ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଏସଂପର୍କରେ ସଂଘର ସଭାପତି ପ୍ରଦୀପ ପ୍ରଧାନ କହିଛନ୍ତି ଯେ, ଆବେଦନକାରଙ୍କ ବୟସସୀମାକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୋଇଥିଲା ତାର ସମାଧାନ ମଧ୍ୟ ହୋଇଛି । ପୂର୍ବରୁ ବୟସସୀମା ୪୨ବର୍ଷ ଥିବା ବେଳେ ତାକୁ କମାଇ ୩୨ବର୍ଷ ବୟସ ଧାର୍ଯ୍ୟ ହୋଇଥିଲା । ତେବେ ୨୦୧୫ ଜାନୁଆରୀ ୨୮ ପୂର୍ବରୁ ଯେଉଁ ଆଦେନକାରୀ ବିଇଡି ଉତ୍ତୀର୍ଣ୍ଣ ହୋଇ ଆବେଦନ କରିଥିଲେ ସେମାନଙ୍କୁ ମଧ୍ୟ ଶେଷ ସୁଯୋଗ ଦିଆଯିବ । ଆବେଦନରୁ ବଞ୍ଚିତ ଥିବା ପ୍ରାର୍ଥୀ ଆସନ୍ତା ୨୨ତାରିଖରୁ ଅନଲାଇନ୍ରେ ଆବେଦନ କରିବେ । ଫେବ୍ରୁଆରୀ ୩ରେ, ଆବେଦନ କରିଥିବା ପ୍ରାର୍ଥୀଙ୍କ ମେଧା ତାଲିକା ପ୍ରସ୍ତୁତ କରାଯାଇ ମାର୍ଚ୍ଚ ୪ରେ ନିଯୁକ୍ତି ପତ୍ର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି । ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ୧୧ ଓ ୧୨ ତାରିଖରେ ନିଯୁକ୍ତି ପାଇଥିବା ୩୭୬୦ ଶିକ୍ଷକଙ୍କୁ ରାଜ୍ୟ ସରକାର ଛଟେଇ କରିବା ପରେ ପୁନଃନିଯିକ୍ତି ଦାବିରେ ଶିକ୍ଷକମାନେ ଆମରଣ ଅନଶନ କରିଥିଲେ । ପ୍ରକାଶଥାଉକି, ଗତବର୍ଷ ଅକ୍ଟୋବର ୧୦ତାରିଖରେ ଅସ୍ଥାୟୀ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ମୋଟ ୫୬୩୪ଟି ପଦବୀରୁ ଚଳିତବର୍ଷ ଜୁନ ୧୧ତାରିଖରେ ୩୪୧୧ ଓ ୧୨ତାରିଖରେ ୨୫୯ ଜଣଙ୍କୁ ନିଯୁକ୍ତି ମିଳିଥିଲା । ଏଥିରେ ୨୦୧୪ରେ ପ୍ରଥମଥର ପାଇଁ ଠିକା ଶିକ୍ଷକ ନିଯୁକ୍ତିରେ ସର୍ବାଧିକ ବୟସସୀମା ୪୨ରୁ ୩୨କୁ ଖସାଇ ଦିଆଯାଇଥିଲା । ଏହା ପୁନର୍ବାର ଆଲୋଚନା କରାଯାଇ ଉପରୋକ୍ତ ପ୍ରତିଶ୍ରୁତି ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com