Dr-Samanata

ଅଚୁ୍ୟତ ସାମନ୍ତ ଭାରତୀୟ ବିଜ୍ଞାନ କଂଗ୍ରେସ ସଭାପତି

52

ଭୁବନେଶ୍ୱର (ବୁ୍ୟରୋ): ଶିକ୍ଷାବିତ୍ ଓ ସମାଜସେବୀ ଅଚୁ୍ୟତ ସାମନ୍ତ ଭାରତୀୟ ବିଜ୍ଞାନ କଂଗ୍ରେସ ସଂଘ (ଏନ୍ଏସ୍ସିଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଜାନୁଆରୀ ୩ରୁ ୭ତାରିଖ ପର୍ଯ୍ୟନ୍ତ ମହୀଶୂରରେ ଚାଲିଥିବା ୧୦୩ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଅଧିବେଶନ ଅବସରରେ ଭାରତୀୟ ବିଜ୍ଞାନ କଂଗ୍ରେସ ସଂଘର କାର୍ଯ୍ୟକାରିଣୀ ପରିଷଦ ଦ୍ୱାରା ସର୍ବାଧିକ ଭୋଟ ପାଇ ଶ୍ରୀ ସାମନ୍ତ ସଭାପତି ନିର୍ବାଚିତ ହୋଇଛନ୍ତି । ମୋଟ ୬୮ଜଣ କାର୍ଯ୍ୟକାରିଣୀ ପରିଷଦ ସଦସ୍ୟ ମତଦାନ କରିଥିବା ବେଳେ ଶ୍ରୀ ସାମନ୍ତ ସର୍ବାଧିକ ୪୮ଟି ଭୋଟ ପାଇଥିଲେ । ୨୦୧୬-୧୭ ବର୍ଷରେ ଏନ୍ଏସ୍ସିଏର ସଭାପତି ନିର୍ବାଚିତ ହୋଇ ଶ୍ରୀ ସାମନ୍ତ ୨୦୧୭-୧୮ ବର୍ଷ ପାଇଁ ଏନ୍ଏସ୍ସିଏର ସଭାପତି ଭାବେ କାର୍ଯ୍ୟ ନିର୍ବାହ କରିବେ । ଶ୍ରୀ ସାମନ୍ତଙ୍କ ସମେତ ତିନି ଜଣ ସଭାପତି ପଦ ପାଇଁ ନିର୍ବାଚନ ଲଢ଼ୁଥିଲେ । ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ପରେ ଦ୍ୱିତୀୟ ଓଡ଼ିଆ ଭାବେ ଶ୍ରୀ ସାମନ୍ତ ଏହି ପଦବୀକୁ ନିର୍ବାଚିତ ହୋଇଛନ୍ତି । ଦୀର୍ଘ ୫୫ବର୍ଷ ପରେ ଓଡ଼ିଶାରୁ ଆଉ ଜଣେ ଏହି ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ପୂର୍ବରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ୍‍ ନେହରୁଙ୍କଠାରୁ ଆରମ୍ଭ କରି ଡ. ମନମୋହନ ସିଂହଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଭାରତୀୟ ବିଜ୍ଞାନ କଂଗ୍ରେସ ସଂଘର ସଭାପତି ପଦ ଅଳଙ୍କୃତ କରିଥିଲେ । ୨୦୧୧ ମସିହାରୁ ଶ୍ରୀ ସାମନ୍ତ ଭାରତୀୟ ବିଜ୍ଞାନ କଂଗ୍ରେସ ସଂଘର କାର୍ଯ୍ୟକାରିଣୀ ପରିଷଦର ସଦସ୍ୟ ରହି ଆସିଛନ୍ତି । ୨୦୧୨ରେ କିଟ୍‍ ପରିସରରେ ୯୯ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଆୟୋଜନ କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ପୂର୍ବରୁ ଶ୍ରୀ ସାମନ୍ତ ୨୦୦୮ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୬ବର୍ଷ ଧରି ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି)ରେ ରହିଥିବା ବେଳେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ), ବିଭିନ୍ନ ସମୟରେ ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନ୍‍ସିଟିଇ), ଜାତୀୟ କତାବୋର୍ଡ, ଲୋକ କାର୍ଯ୍ୟକ୍ରମ ଓ ଗ୍ରାମୀଣ ପ୍ରାଦ୍ୟୋଗିକ ବିକାଶ ପରିଷଦ (କାପାର୍ଟ) ଓ ଦୁଇଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷା ପରିଷଦ ସଦସ୍ୟ ଭଳି ଭାରତ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ସଦସ୍ୟ ଭାବେ ନିଜର ଦକ୍ଷତା ପ୍ରଦର୍ଶନ କରିଆସିଛନ୍ତି । ଏକା ସଂଗେ ଉଭୟ ୟୁଜିସି ଓ ଏଆଇସିଟିଇ ଭଳି ଦୁଇଟି ସଂସ୍ଥାର ସଦସ୍ୟ ହେବାରେ ସେ ପ୍ରଥମ ଓଡ଼ିଆ ଓ ଏକମାତ୍ର ଭାରତୀୟ । ଠାକୁରଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଶୁଭେଚ୍ଛା ଯୋଗୁଁ ଏଭଳି ସଫଳତା ମିଳି ପାରିଛି ବୋଲି ନିଜ ପ୍ରତିକ୍ରିୟାରେ ଶ୍ରୀ ସାମନ୍ତ କହିଛନ୍ତି । ଶିକ୍ଷା ଓ ସମାଜସେବା ଜରିଆରେ ରାଜ୍ୟ ତଥା ଦେଶର ଉନ୍ନତି ଦିଗରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ଭାରତୀୟ ବିଜ୍ଞାନ କଂଗ୍ରେସ ସଂଘର ସଭାପତି ହେବା ପରେ ଓଡ଼ିଶାର ଶିକ୍ଷା ଓ ବିଜ୍ଞାନକୁ ଦେଶ ତଥା ବିଶ୍ୱ ଜାଣିବାର ସୁଯୋଗ ପାଇବ । ଏହାର ପ୍ରସାର ଦିଗରେ ଅନେକ କିଛି କରିବାର ସୁଯୋଗ ମିଳିଲା ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଅନ୍ୟ ରାଜ୍ୟର ବ୍ୟକ୍ତି ବିଶେଷ ଶିକ୍ଷା ଓ କ୍ଷେତ୍ରରେ ବହୁ ଉଚ୍ଚ ପଦ ପଦବୀରେ ରହିଆସୁଥିବାର ଯେଉଁ ଧାରଣା ଥିଲା ତାହା ଦୂର ହୋଇଛି ଏବଂ ଓଡ଼ିଶାକୁ ଆଜି ଏକ ସୁଯୋଗ ମିଳିଛି ବୋଲି ସେ କହିଛନ୍ତି । ଅନ୍ୟ ଏକ ସଫଳତା ଭାବେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପିପି ମାଥୁର ମଧ୍ୟ ଭାରତୀୟ ବିଜ୍ଞାନ କଂଗ୍ରେସ ସଂଘର ସାଧାରଣ ସଂପାଦକ ଭାବେ ୨୦୧୬-୧୯ ମସିହା ପର୍ଯ୍ୟନ୍ତ ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ, ଭାରତର ସର୍ବପୁରାତନ ସଂଘ ଭାବେ ଭାରତୀୟ ବିଜ୍ଞାନ କଂଗ୍ରେସ ସଂଘ ପରିଚିତ । ବର୍ତ୍ତମାନ ସୁଦ୍ଧା ଏଥିରେ ୬୦ହଜାରରୁ ଊଦ୍ଧ୍ୱର୍ ସଭ୍ୟ ଅଛନ୍ତି ।




Powered by odothemes.com