3---Gopalpur---BAM-UNIVERSITY-RA-GOLDAN-JUBILEE-RA-UDJAPANI-UTCHABA-RE-MANCHASINA-ATITHI-MANE---ABASARA-RE-UPASTITA-CHATRI-O-CHATRA-MANE-(7)

ଅନୁଭବ, ଅନୁଭୂତି ଓ ଅନୁଶୀଳନ ହିଁ ସାର୍ଥକ ମନୁଷ୍ୟ ଗଢ଼ି ତୋଳି ପାରିବ : ଯୋଗାଣମନ୍ତ୍ରୀ

533

ଗୋପାଳପୁର (ଆପ୍ର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତି ଉତ୍ସବର ଉଦ୍ୟାପନୀ ଦିବସରେ ଅନୁଷ୍ଠିତ ଛାତ୍ର ସଂସଦର ଉଦ୍ଘାଟନୀ ଉତ୍ସବକୁ ମୁଖ୍ୟଅତିଥିଭାବେ ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ, ବୈଷୟିକ ଶିକ୍ଷା, ତାଲିମ ଓ ନିୟୋଜନ ବିଭାଗୀୟ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କେବଳ ଦକ୍ଷିଣ ଓଡ଼ିଶାର ନୁହେଁ ବରଂ ରାଜ୍ୟର ଗୌରବ । ଏଠାରେ ଶିକ୍ଷାଗ୍ରହଣ କରିଥିବା ବିଦ୍ୟାର୍ଥିମାନେ ଦେଶ ବିଦେଶରେ ବହୁ ଉଚ୍ଚ ପଦବୀରେ ରହି ବିଶ୍ୱବିଦ୍ୟାଳୟର ଗୌରବ ବଜାୟ ରଖିଛନ୍ତି । ଶିକ୍ଷା ଓ ସଂସ୍କୃତିର ବିକାଶ ହିଁ ଜାତୀୟ ପ୍ରଗତିର ମାପକାଠି ବୋଲି ମନ୍ତ୍ରୀ ପ୍ରକାଶ କରିବା ସହ କହିଥିଲେ ଯେ, ଯାହାର ଯେତେ ପରିମାଣରେ ଜ୍ଞାନ ରହିଛି ସେହି ଅନୁପାତରେ ସେ ସେତେ ଶକ୍ତିଶାଳି । ଅନୁଭବ, ଅନୁଭୂତି ଓ ଅନୁଶୀଳନ ହିଁ ଜଣଙ୍କୁ ସମର୍ଥ ଏବଂ ସାର୍ଥକ ମନୁଷ୍ୟ ଭାବେ ଗଢ଼ି ତୋଳିପାରିବ । ଡ଼ିଜିଟାଲ୍ ଇଣ୍ଡିଆ ସହ ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ମଧ୍ୟ ତାଳ ଦେଇ ଆଗକୁ ବଢ଼ିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଏଥିସହ ସେ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ସ୍ମୃତିଚାରଣ କରି ଛାତ୍ରଛାତ୍ରୀଙ୍କୁ ସ୍ୱାଭିମାନୀ ହେବାକୁ ଆହ୍ୱାନ ଦେଇ କହିଥିଲେ ଯେ, ବିଜୁବାବୁ ସ୍ୱଳ୍ପ ସମୟ କ୍ଷମତାରେ ରହିଥିବା ବେଳେ ଆଗାମୀ ଶହେ ବର୍ଷ ମଧ୍ୟରେ ଓଡ଼ିଶାର କିପରି ବିକାଶ ହୋଇପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରିଥିଲେ । ଆଗାମୀ ଦିନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଓଡ଼ିଶାର ବୈଷୟିକ ଓ ବୃତ୍ତିଗତ ଶିକ୍ଷାବିଭାଗ ପକ୍ଷରୁ ଆବଶ୍ୟକ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ଏଠାରେ ଛାତ୍ରଛାତ୍ରୀଙ୍କ ଉଦ୍ଧେଶ୍ୟରେ ମନ୍ତ୍ରୀ ଦାସବର୍ମା କହିଥିଲେ । ଛାତ୍ର ସଂସଦର ସଭାପତି ରାକେଶ କୁମାର ଷଡ଼ଙ୍ଗିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କର ଶୃଙ୍ଖଳାଗତ ଜ୍ଞାନ ଓ ସମୟାନୁବର୍ତ୍ତିତାର ଉଚ୍ଚ ପ୍ରଶଂସା କରିବା ସହ ଶୃଙ୍ଖଳିତ ଭବିଷ୍ୟତ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବ୍ରହ୍ମପୁର ମଣ୍ଡଳର ଉପମହାପ୍ରବନ୍ଧକ ଅନିଲ କୁମାର କାକ୍କର ଯୋଗ ଦେଇଥିଲେ । ପ୍ରାରମ୍ଭରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ଭାଗୀରଥି ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ନାତକୋତ୍ତର ବିଭାଗ ସମୂହର ମୁଖପତ୍ର ଓ କ୍ୟାଲେଣ୍ଡର ମୁଖ୍ୟ ଅତିଥି ମନ୍ତ୍ରୀ ଦାସବର୍ମାଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା । ସେହିପରି ଛାତ୍ର ସଂସଦର ସଂପାଦକ ପ୍ରମୋଦ କୁମାର ସେନାପତି ଛାତ୍ର ସଂସଦର ବିବରଣୀ ପାଠ କରିଥିବା ବେଳେ ଶେଷରେ ସହସଂପାଦକ ସ୍ମିତାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ ସମାରୋହ ମୁଖ୍ୟ ସଂଯୋଜକ ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ନେତୃତ୍ୱରେ ସଫଳ ମଣ୍ଡିତ ହୋଇଥିବା ବେଳେ ଏଥିରେ ସମସ୍ତ ଶିକ୍ଷକ, ଗବେଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗିମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ଼ କଣ୍ଠଶିଳ୍ପୀ ବିନୋଦ ରାଥୋଡ଼ଙ୍କ ସଙ୍ଗୀତ ଉପସ୍ଥିତ ଶ୍ରୋତାଙ୍କ ମନମୋହିଥିଲା ।

ସେଆର କରନ୍ତୁ:



Powered by odothemes.com