cmc-council-meeting-batili--Congres-pakhya-Bikhyap-Pradrsan-(3)

ମେୟରଙ୍କ ଇସ୍ତଫା ଗୃହୀତ

34

କଟକ,(ବୁ୍ୟରୋ): କଟକ ମହାନଗର ନିଗମ ସ୍ୱତନ୍ତ୍ର କାଉନସିଲ ବୈଠକରେ ସୋମବାର ମେୟର ଅନିତା ବେହେରାଙ୍କ ଇସ୍ତଫା ଗୃହୀତ ହୋଇଛି । କାଉନସିଲରେ ଇସ୍ତଫା ଗୃହୀତ ହେବା ପରେ କମିଶନର ଜ୍ଞାନ ଦାସ ଏହି ରିପୋର୍ଟକୁ ନଗର ଉନ୍ନୟନ ବିଭାଗକୁ ପଠାଇଛନ୍ତି । ଅପରପକ୍ଷରେ ବାଚନିକ ଭୋଟରେ ଇସ୍ତଫା ଗୃହୀତ ହେବାରୁ ବିରୋଧୀ ଦଳ ପ୍ରତିବାଦ କରିବା ସହ ହୋ ହଲ୍ଲା କରିଥିଲା । ଦିନ ୧୧ଟାରେ ସ୍ୱତନ୍ତ୍ର କାଉନସିଲ ବୈଠକ ଡକାଯାଇ ଥିଲେ ହେଁ ୧୧.୪୦ରେ ଆରମ୍ଭ ହୋଇଥିଲା । ଏଥିପୂର୍ବରୁ ସଂଖ୍ୟା ଗରିଷ୍ଠ ବିଜେଡି କର୍ପୋରେଟରମାନେ ମେୟରଙ୍କ ଦପ୍ତରରେ ଆଲୋଚନା କରିଥିଲେ । କାଉନସିଲ ବୈଠକରେ ଡେପୁଟି ମେୟର ଅଜୟ ବାରିକ ଇସ୍ତଫା ପାଇଁ ପ୍ରସ୍ତାବ ଦେବା ପରେ କର୍ପୋରେଟର ବିଜୟ ସାହୁ ଓ ବିକାଶ ସ୍ୱାଇଁ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସମର୍ଥନ କରିଥିଲେ । ଏହାପରେ ଇସ୍ତଫା ସମ୍ପର୍କରେ ଆଲୋଚନା ପାଇଁ ବିରୋଧୀ ପକ୍ଷରୁ ଦାବି କରାଯାଇଥିଲା । ମେୟର ଇସ୍ତଫାପତ୍ରରେ କଣ ଉଲ୍ଲେଖ କରିଛନ୍ତି ତାକୁ ପଠନ କରାଯାଉ ବୋଲି କଂଗ୍ରେସ ପକ୍ଷରୁ କର୍ପୋରେଟର ଗିରିବାଳା ବେହେରା ଦାବି କରିଥିଲେ । ଅନ୍ୟପଟେ ବିଜେପି କର୍ପୋରେଟରମାନେ ଏ ନେଇ ଭୋଟିଂ କରାଯାଉ ବୋଲି ଦାବି ଉଠାଇଥିଲେ । ବିରୋଧୀମାନେ ହୋ ହାଲ୍ଲା ଆରମ୍ଭ କରିଦେବାରୁ ବିଜେଡି କର୍ପୋରେଟରମାନେ ଗୃହ ପରିତ୍ୟାଗ କରିଥିଲେ । ଏହାପରେ କଂଗ୍ରେସ ଓ ବିଜେପି କର୍ପୋରେଟରମାନେ ପଦାକୁ ଆସି ନାରାବାଜି କରିଥିଲେ । କଂଗ୍ରେସ ଅଭିଯୋଗ କରିଥିଲା ଯେ ଗଣତନ୍ତ୍ର ପଦ୍ଧତି ଅନୁସାରେ ନିର୍ବାଚିତ ପ୍ରତିନିଧିମାନେ ଏ ସଂକ୍ରାନ୍ତରେ କୌଣସି ମତ ଦେବା ପୂର୍ବରୁ କାଉନସିଲରେ ବୈଠକରେ ଉପସ୍ଥିତ କର୍ପୋରେଟରଙ୍କ ଠାରୁ ଦସ୍ତଖତ ନିଆଯାଇ ସରକାରୀ ଦଳ ପକ୍ଷରୁ ଏକତରଫା ମନଇଚ୍ଛା କାର୍ଯ୍ୟ କରିଛି । ଏପରି କରିବା ପଛରେ ଦଳୀୟ ବିଧାୟକଙ୍କ ଅଦୃଶ୍ୟ ନିର୍ଦ୍ଧେଶ ରହିଛି । ଡେପୁଟି ମେୟର ଅଜୟ ବାରିକଙ୍କ କାର୍ଯ୍ୟକଳାପ ମଧ୍ୟ ସନ୍ଦେହ ଘରେ ରହିଛି । ଯଦି ମେୟର ତାଙ୍କ ପଦବୀରୁ ଇସ୍ତଫା ଦେଲେ ତେବେ ସେ ୨୧ ନମ୍ବର କର୍ପୋରେଟର ପଦବୀରୁ କାହିଁକି ଇସ୍ତଫା ଦେଲେ ତାହା ଜଣାଇବା ଆବଶ୍ୟକ । କିନ୍ତୁ ଡେପୁଟି ମେୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେ ବିଷୟରେ ଆଲୋଚନା କରିବାକୁ ସମୟ ଦିଆ ଗଲାନାହିଁ । ନିୟମାନୁଯାୟୀ କୌଣସି କର୍ପୋରେଟର କିମ୍ବା ମେୟର ଇସ୍ତଫା ଦେଲେ ଏ ସଂକ୍ରାନ୍ତରେ ବିଚାରବିମର୍ଶ କରାଯିବା ସହ ମତଦାନର ଆବଶ୍ୟକତା ରହିଛି । କିନ୍ତୁ ବିଜେଡ଼ି ସରକାର ସଂଖ୍ୟାଗରିଷ୍ଠତା ଆଳରେ ଜନସାଧାରଣଙ୍କ ମତ ଉପରେ କୁଠାରଘାତ କରିଛି । ପରେ ଏହି ବୈଠକକୁ ଅସିଦ୍ଧ ଘୋଷଣା କରିବାକୁ ଦାବି କରି ସିଏମସି ସମ୍ମୁଖରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବୈଠକରେ ୫୯ଜଣ କର୍ପୋରେଟରଙ୍କ ମଧ୍ୟରୁ ୫୧ଜଣ ଉପସ୍ଥିତ ଥିଲେ ।




Powered by odothemes.com