ପୋଲାଭରମ ପ୍ରକଳ୍ପ ବିରୋଧରେ ୭ରେ ବିଜେଡି ହର୍ତାଳ

POLABHARAM-PRAKALPA-BIRUDHARE-GANA-BIKHYOV-DAKARA-PAIN-BJD-PRESS-MEET-(2)

ଭୁବନେଶ୍ୱର, ୨ ।୧(ବୁ୍ୟରୋ):ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରି କେନ୍ଦ୍ର ସରକାର ଆନ୍ଧ୍ରର ପୋଲାଭରମ୍ ପ୍ରକଳ୍ପକୁ ଆଖିବୁଜା ସମର୍ଥନ ଦେବା ପ୍ରତିବାଦରେ ଆସନ୍ତା ୭ ତାରିଖରେ ବିଜେଡ଼ି ପକ୍ଷରୁ ଅବିଭକ୍ତ କୋରାପୁଟ୍ ଜିଲ୍ଲା ଅର୍ନ୍ତଗତ ୪ଜିଲ୍ଲାରେ ହରତାଳ୍ କରାଯିବ । ସେହଦିନ ମଧ୍ୟ ରାଜଭବନ ସମ୍ମୁଖରେ ବିଜେଡ଼ି ଗଣ ବିକ୍ଷୋଭ କରିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସୁପ୍ରିମ୍କୋର୍ଟର ରାୟ ଆସିବା ପର୍ଯ୍ୟନ୍ତ ପୋଲାଭରମ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ବିଜେଡ଼ି ପକ୍ଷରୁ ଦାବି କରାଯାଇଛି ।  ବିଜେଡ଼ି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ମାଦିକ ସମ୍ମିଳନୀରେ ବିଜେଡ଼ି ସାଧାରଣ ସଂପାଦକ ଦେବୀ ପ୍ରସାଦ ମିଶ୍ର କହିଛିନ୍ତି, ପୋଲାଭରମ ପ୍ରକଳ୍ପ ନିର୍ମାଣ ସଂପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ମାତ୍ର ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦକ୍ଷିଣ ଓଡ଼ିଶାର ବହୁ ଅଞ୍ଚଳ ବିଡ଼ିଯିବ । ମାଲକାନାଗିରି ଜିଲ୍ଳାର ମୋଟୁ ତହସିଲ୍ର ୧୫ ରାଜସ୍ୱ ଗ୍ରାମ, ୧୦ଟି ପଡ଼ା ଗାଁ, ଜଳମଗ୍ନ ହେବ । ଏହି ଗାଁ ଗୁଡ଼ିକର ୬୮୧୮ ଲୋକ ବିସ୍ଥାପିତ ହେବେ । ସେଥିମଧ୍ୟରେ ୫୬୧୮ ଜଣ ଆଦିବାସୀ ଅଛନ୍ତି । ଏହାଛଡ଼ା ୭୬୫୬ ହେକ୍ଟର ଚାଷ ଜମି ବୁଡ଼ିବ । ୨୦୦୬ ମସିହାରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାର ତତ୍କାଳୀନ ଆନ୍ଧ୍ର ଓ କେନ୍ଦ୍ର ସରକାରଙ୍କ ଜଙ୍ଗଳ ଓ ପରିବେଶ ବିଭାଗ ମନ୍ତ୍ରାଳୟ, ଜଳ ସଂପଦ ମନ୍ତ୍ରାଳୟ, ଯୋଜନା କମିଶନ ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପ୍ରକଳ୍ପକୁ ବିରୋଧ କରି ଆସୁଛନ୍ତି । ସୁପ୍ରିମକୋର୍ଟରେ ମଧ୍ୟ ମାମଲା ଦାଏର କରିଛନ୍ତି । ଆନ୍ଧ୍ରର ସ୍ୱାର୍ଥ ରକ୍ଷା ଲାଗି ପୋଲାଭରମ ପ୍ରକଳ୍ପର ସଂଶୋଧିତ ନକ୍ସାକୁ କେନ୍ଦ୍ରୀୟ ଜଳ କମିଶନ ଏକ ତରଫା ଭାବେ ଅନୁମୋଦନ କରିଛନ୍ତି । ଯାହା ଗୋଦାବରୀ ଟ୍ରିବୁ୍ୟନାଲ ରାୟର ପରିପନ୍ଥୀ । ବନ୍ଧର ଉଚ୍ଚତା ୧୩୬ ଫୁଟରେ ରହିବା କଥା । ମାତ୍ର ଆନ୍ଧ୍ର ସରକାର ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ ମଧ୍ୟ ନକ୍ସା ଦେଇ ନାହାଁନ୍ତି । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ୨୦୧୩ ଏପ୍ରିଲ୍ ୨୨ରେ ହୋଇଥିବା ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୋଲାଭରମ ପ୍ରକଳ୍ପର ପ୍ରତିକୂଳ ଦିଗ ସଂପର୍କରେ ଅବଗତ କରାଯାଇଥିଲା । ସେହିଦିନ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ । ସୁପ୍ରିମ୍କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ କେନ୍ଦ୍ର ସରକାର ସେଥିପ୍ରତି ଭ୍ରୁକ୍ଷେପ ନକରି ପୋଲାଭରମ ପ୍ରକଳ୍ପ କର୍ତ୍ତୃପକ୍ଷ ଗଠନ ପାଇଁ ଅନୁମତି ଦେଇଛନ୍ତି । ଆଦିବାସୀ ଅଧୁ୍ୟଷିତ ଅଞ୍ଚଳ ବୁଡ଼ୁ ଥିବାରୁ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟର ମଞ୍ଜୁରୀ ଓ ଆଦିବାସୀ ଗାଁ ଗୁଡ଼ିକରେ ପଲ୍ଲୀସଭା କରିବା ବାଧ୍ୟତାମୂଳକ । ମାତ୍ର ତାହା କରାଯାଇ ନାହିଁ । ମାତ୍ର ପଲ୍ଲୀ ସଭା କରା ନଯାଇ ମନ୍ତ୍ରାଳୟ ମଞ୍ଜୁରୀ ଦେଇଛି । କେନ୍ଦ୍ରୀୟ ଜଳ ଆୟୋଗଙ୍କ ମଞ୍ଜୁର ପରାମର୍ଶ କମିଟିର ଅନୁମୋଦନ ଓ ଜଙ୍ଗଲ ମଞ୍ଜୁରୀ ରଦ୍ଧ କରାଯିବା ସହ ଜାତୀୟ ପ୍ରକଳ୍ପ ଘୋଷଣା ଉପରେ ନିଷେଧାଜ୍ଞା ଜାରି କରିବାକୁ ସରକାର ସୁପ୍ରିମକୋର୍ଟରେ ମଧ୍ୟବର୍ତ୍ତିକାଳୀନ ଆବେଦନ କରିଛନ୍ତି । ୨୦୧୪ ଜୁଲାଇ ୨୮ରେ ବିଧାନସଭାରେ ପୋଲାଭରମ୍ ପ୍ରକଳ୍ପ ବନ୍ଦ କରିବାକୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । ଏସଂକ୍ରାନ୍ତ ଗୃହ କମିଟି ସେ ସମୟରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ପାଇଁ ଅନୁମତି ପାଇଲେ ନାହିଁ । ପୁଣି ପଞ୍ଚଦଶ ବିଧାନସଭାର ତୃତୀୟ ଅଧିବଶେନରେ ଗୃହ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା ଓ ଗତ ଜୁନ୍ ୧୮ ତାରିଖରେ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ ତଥ୍ୟକୁ ଆଧାର କରି ନଭେମ୍ବର ୬ରେ ସୁପ୍ରିମକୋର୍ଟରେ ମାମଲା ଦାଏର କରାଯାଇଛି । ଗତ ବିଧାନସଭା ଅଧିବେଶନ ସମୟରେ ବିଜେଡ଼ି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ପୋଲାଭରମ ପ୍ରକଳ୍ପ ବିରୋଧରେ ସ୍ମାରକପତ୍ର ଦେଇଛନ୍ତି । କେନ୍ଦ୍ରର ଏହି ଓଡ଼ିଶା ବିରୋଧୀ ଆଭିମୁଖ୍ୟର ଜବାବ ଦେବା ପଇଁ ଆସନ୍ତା ୭ରେ ମାଲକାନାଗିରି, ରାୟଗଡ଼ା, କେରାପୁଟ୍ ଓ ନବରଙ୍ଗପୁରରେ ହରତାଳ କରାଯିବ । ହରାତାଳ ସମୟରେ ଯେଭଳି ଅତ୍ୟାବଶ୍ୟକ ସେବା ପ୍ରଭାବିତ ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ । ହରତାଳ ପରିଚାଳନା ପାଇଁ ମାଲକାନାଗିରି ଜିଲ୍ଲା ଦାୟିତ୍ୱରେ ପରିବହନ ମନ୍ତ୍ରୀ ରମେଶ ମାଝୀ ଥିବା ବେଳେ କୋରପୁଟ୍ ଦାୟିତ୍ୱରେ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ରାୟଗଡ଼ା ଜିଲ୍ଲା ଦାୟିତ୍ୱରେ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଓ ନବରଙ୍ଗପୁର ଜିଲ୍ଲା ଦାୟିତ୍ୱରେ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଅଛନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଶଶୀଭୂଷଣ ବେହେରା, ପ୍ରତାପ ଜେନା ଓ ପରିବହନ ମନ୍ତ୍ରୀ ରମେଶ ମାଝୀ ଉପସ୍ଥିତ ଥିଲେ ।