ଶିକାରୀଙ୍କ ବିଦୁ୍ୟତ୍ ଫାଶରେ ପଡ଼ି ହାତୀ ମୃତ

HATI

ବନ୍ତଳା, (ଆପ୍ର): ପୁରୁଣାଗଡ଼ ରେଞ୍ଜ୍ ଜଗନ୍ନାଥପୁର ପଞ୍ଚାୟତ ବୃର୍ତ୍ତି ଗାଁ ନିକଟସ୍ଥ ଜଙ୍ଗଲରୁ ଗୋଟିଏ ହାତୀ ଛୁଆର ମୃତଦେହକୁ ଶନିବାର ବନ ବିଭାଗ ଉଦ୍ଧାର କରିଛି । ହାତୀର ବୟସ ୪ ରୁ ୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଇଛି । ଶିକାରୀମାନଙ୍କ ଦ୍ୱାରା ୧୧କେଭି ବିଦୁ୍ୟତ୍ ତାର ବିଛାଇ ଜନ୍ତୁ ଶିକାର କରାଯାଉଥିବା ବେଳେ ହାତୀଟି ଏହି ତାର ସଂସ୍ପର୍ଶରେ ଆସି ମରି ଯାଇଥିବା ପ୍ରତ୍ୟେକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଗ୍ରାମବାସୀଙ୍କ ଠାରୁ ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ବ୍ୟଚ୍ଛେଦ କରାଇବା ସହ ମାଟିରେ ପୋତି ଦେଇଛନ୍ତି । ହାତୀ ନିକଟରେ ଅନ୍ୟ ଦୁଇଟି କୁକୁର ମଧ୍ୟ ମରିପଡ଼ିଥିବା ଦେଖାଯାଇଛି । ଶୀକାରୀମାନେ ଏହି ଅଞ୍ଚଳରେ ବିଦୁ୍ୟତ ତାର ବିଛାଇ ଜନ୍ତୁ ଶୀକାର କରୁଥିବା ବେଳେ ବନବିଭାଗ ଓ ବିଦୁ୍ୟତ୍ ବିଭାଗ ଚୁପ୍ ରହୁଥିବା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଜନ୍ତୁ ଶିକାରରେ ବନବିଭାଗ କର୍ମଚାରୀ ଓ ବିଦୁ୍ୟତ୍ ବିଭାଗ କର୍ମଚାରୀଙ୍କ ସମ୍ପୃକ୍ତି ରହୁଛି ବୋଲି ବହୁଲୋକ ଅଭିଯୋଗ କରିଛନ୍ତି । ପ୍ରକାଶଥାଉକି, ଏହା ପୂର୍ବରୁ ଏହି ସାତକୋଶିଆ ଅଞ୍ଚଳରେ ଅନ୍ୟ ଏକ ହାତୀ ମରିଥିବା ବେଳେ ଟାଇଁସି ଅଞ୍ଚଳରେ ଦୁଇଟି ହାତୀର ପ୍ରାଣହାନୀ ଘଟିଛି । ପ୍ରଶାସନ ଏଥିପ୍ରତି ଗୁରୁତ୍ୱଦେଇ ତଦନ୍ତ କରିଲେ ବହୁ ଅସାଧୁ କର୍ମଚାରୀଙ୍କ ସହ ଶିକାରୀମାନେ ଧରା ପଡ଼ନ୍ତେ ବୋଲି ସର୍ବସାଧାରଣରେ ମତ ପ୍ରକାଶ ପାଇଛି ।