cruise-

ରାଜ୍ୟରେ ସାମୁଦ୍ରିକ ପର୍ଯ୍ୟଟନ ପାଇଁ କେନ୍ଦ୍ରର ପ୍ରସ୍ତାବ

32

ଭୁବନେଶ୍ୱର, ୧ ।୧(ତଥ୍ୟ): ଓଡିଶାର ବିସ୍ତୀର୍ଣ୍ଣ ସମୁଦ୍ରତଟରେ ପର୍ଯ୍ୟଟକମାନେ ଜାହାଜରେ ବସି ଉଭୟ ସମୁଦ୍ର ଓ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୁଯୋଗ ରହିଛି । ବିଶ୍ୱରେ ଜାହାଜ ପର୍ଯ୍ୟଟନ (କ୍ରୁଜ୍‍ ଟୁରିଜିମ୍‍) ଏକ ଲାଭଜନକ ପର୍ଯ୍ୟଟନ ଶିଳ୍ପ ହୋଇଥିବାରୁ ରାଜ୍ୟରେ ଏହାର ବିକାଶ ଉପରେ କେନ୍ଦ୍ର ଗୁରୁତ୍ୱ ଆରୋପ କରିଛି ।
ଏହି ମର୍ମରେ କେନ୍ଦ୍ର ପର୍ଯ୍ୟଟନ ସଚିବ ବିନୋଦ ଜୁତ୍‍ସୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ପତ୍ର ଲେଖିଛନ୍ତି । ଏଥିରେ କୁହାଯାଇଛି ଯେ କ୍ରୁଜ୍‍ ଟୁରିଜିମ୍‍ର ବିକାଶପାଇଁ କେନ୍ଦ୍ର ପର୍ଯ୍ୟଟନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ କରାଯାଇଥିବାବେଳେ ଏଥିରେ ସହ ଅଧ୍ୟକ୍ଷ ଭାବେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ସଚିବ ଅଛନ୍ତି । ସେହିଭଳି ରାଜ୍ୟ ପର୍ଯ୍ୟଟନ ସଚିବଙ୍କ ସହିତ ଉପକୂଳବର୍ତ୍ତୀ ରାଜ୍ୟର ପର୍ଯ୍ୟଟନ ସଚିବମାନେ ଏଥିରେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ।  ରାଜ୍ୟରେ କ୍ରୁଜ୍‍ ଟୁରିଜିମ୍‍ର ଆବଶ୍ୟତା ଓ ଏଥି ନିମନ୍ତେ ଆନୁଷଙ୍ଗିକ ସୁବିଧା ସୁଯୋଗ ସୃଷ୍ଟିଲାଗି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପରାମର୍ଶ ଦେବାପରେ ମୁଖ୍ୟସଚିବ ଶ୍ରୀ ପାଢୀ ଏ ସଂକ୍ରାନ୍ତରେ ଆକଳନ କରି ତୁରନ୍ତ କେନ୍ଦ୍ରକୁ ପ୍ରସ୍ତାବ ପଠାଇବାପାଇଁ ପର୍ଯ୍ୟଟନ ବିଭାଗକୁ କହିଛନ୍ତି । ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଗଗନ କୁମାର ଧଳ ଉପକୂଳ ପର୍ଯ୍ୟଟନର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ଚଳାଇଛନ୍ତି । କେନ୍ଦ୍ର ପର୍ଯ୍ୟଟନ ସଚିବ ଶ୍ରୀ ଜୁତ୍‍ସୀ ନିକଟରେ ରାଜ୍ୟ ଗସ୍ତରେ ଆସିଥିବା ବେଳେ ଏଠାରେ ପର୍ଯ୍ୟଟନର ବ୍ୟାପକ ସୁଯୋଗ ଥିବା ଲକ୍ଷ୍ୟ କରିଥିଲେ । ଓଡିଶାରେ ୪୮୦ କିଲୋମିଟର ଦୈର୍ଘ୍ୟ ସାମୁଦ୍ରିକ ବେଳାଭୂମି ଥିବାରୁ ଏଠାରେ ବେଳାଭୂମି ଓ ପର୍ଯ୍ୟଟକ ଜାହାଜ ଚଳାଚଳ ସହିତ ଅନ୍ୟାନ୍ୟ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇପାରିବ ବୋଲି ମତ ଦେଇଥିଲେ । ଶ୍ରୀ ଜୁତ୍‍ସୀ କ୍ରୁଜ୍‍ ଟୁରିଜିମ୍‍ ଉପରେ ଗୁରୁତ୍ୱ ଆରୋପ କରୁଥିବାବେଳେ ଗଠିତ ହୋଇଥିବା ଟାସ୍କଫୋର୍ସ ଏ କ୍ଷେତ୍ରରେ ଥିବା ସମସ୍ୟା ଗୁଡିକୁ ଚିହ୍ନଟ କରି ସମାଧାନ କରିବ ବୋଲି ସେ କହିଛନ୍ତି ।
ଏଭଳି ପର୍ଯ୍ୟଟନ ଲାଗି ଭିତ୍ତିଭୂମି ଭାବେ ଅର୍ନ୍ତଜାତୀୟ ସ୍ତରର ବର୍ଥ ନିର୍ମାଣ କରାଯିବ । ଘରୋଇ ଜାହାଜ ଚଳାଚଳ ଶିଳ୍ପର ବିକାଶ ପାଇଁ ଗୁରୁତ୍ୱ ଦିଆଯିବା ସହିତ ଏହାକୁ ସହାୟତା ପ୍ରଦାନ କରାଯିବ । ପର୍ଯ୍ୟଟକ ଜାହାଜ ଚଳାଚଳ ପାଇଁ ବନ୍ଦର ଭିତ୍ତିଭୂମି ବିକାଶ ସହିତ ଅନ୍ୟାନ୍ୟ ଅର୍ନ୍ତଜାତୀୟ କ୍ଷେତ୍ର ସହିତ ପ୍ରତିଦ୍ୱନ୍ଦ୍ୱିତାକୁ ଦୃଷ୍ଟିରେ ରଖି ଏହାର ନିର୍ମାଣ ହେବ । କେତେକ ଉପକୂଳ ସହରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାର ଯୋଜନା କେନ୍ଦ୍ର ସରକାରଙ୍କର ବିଚାରାଧୀନ ଥିବା ସଚିବ ଶ୍ରୀ ଜୁତ୍‍ସୀ ସୂଚନା ଦେଇଛନ୍ତି ।
କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ‘ସ୍ୱଦେଶ ଦର୍ଶନ’ ଓ ‘କୋଷ୍ଟାଲ ସର୍କିଟ୍‍’ ଯୋଜନାରେ ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଥିବାବେଳେ ସରକାରୀ ଘରୋଇ ସହଭାଗିତା (ପିପିପି ) ଓ ଦୀର୍ଘ ରାଜସ୍ୱ ଆୟକାରୀ (ଏଲ୍‍ଆରଜି) ପ୍ରକଳ୍ପପାଇଁ ଅର୍ଥର ଅଭାବ ରହିବ ନାହିଁ । ରାଜ୍ୟ ସରକାର ଏଥିରୁ ବେଶ୍‍ ଫାଇଦା ପାଇପାରିବେ ।
କୋଷ୍ଟାଲ ସର୍କିଟ୍‍ ବିକାଶ ଯୋଜନାରେ ଓଡିଶା ପକ୍ଷରୁ ଗୋପାଳପୁର, ପୁରୀ, ଚାନ୍ଦିପୁର, ତଳସାରୀକୁ ନେଇ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇଥିବା ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ସାଗରମାଳା ଯୋଜନାରେ ପାରାଦୀପକୁ ସ୍ମାର୍ଟସିଟି ତାଲିକାରେ ଅନ୍ତର୍ଭୁକ୍ତ କରିଥିବା ବେଳେ ଏଠାରେ ମଧ୍ୟ କ୍ରୁଜ୍‍ ଟୁରିଜିମ୍ର ବିକାଶ କରାଯାଇପାରିବ ବୋଲି ଏ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞ ମତ ଦେଉଛନ୍ତି । ଓଡ଼ିଶାର ଗୋପାଳପୁର-ପାରାଦୀପ୍‍-ଧାମରାକୁ ନେଇ ପର୍ଯ୍ୟଟନର ବ୍ୟାପକ ସୁଯୋଗ ରହିଥିବାବେଳେ ଏହି ଶିଳ୍ପକୁ ସହାୟତା କଲାଭଳି ରେଷ୍ଟୁରାଣ୍ଟ, ହୋଟେଲ ଜିମ୍ନାସିୟମ, ବାର୍‍, ମଲ୍‍ ଆଦିର ବିକାଶ ଏଠାରେ ହୋଇପାରିବ ।




Powered by odothemes.com