୧୭କୁ ଘୁଞ୍ଚିଲା ‘ରାହାଗିରି’ ଦିବସ

34

ଭୁବନେଶ୍ୱର, (ବୁ୍ୟରୋ): ବର୍ଦ୍ଧିତ ଦୁର୍ଘଟଣା ଓ ପରିବେଶ ପ୍ରଦୂଷଣ ରୋକିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ନେଇଥିବା ପଦକ୍ଷେପ ‘ରାହାଗିରି ଦିବସ’ ପାଳନ ଜାନୁଆରୀ ୩ ପରିବର୍ତ୍ତେ ୧୭ ତାରିଖରୁ ପାଳନ ପାଇଁ ନିଷ୍ପତ୍ତି ହୋଇଛି । ରାଜଧାନୀରେ ଯନ୍ତ୍ରବିହୀନ ଯାନର ବ୍ୟବହାର ବୃଦ୍ଧି ପାଇଁ ଯୁବଗୋଷ୍ଠୀଙ୍କୁ ସଚେତନ କରାଯିବ । ସେଥିପାଇଁ ଫୁଟପାଥ୍କୁ ଜବରଦଖଲ ମୁକ୍ତ ଓ ନୂଆ ସାଇକଲ ଟ୍ରାକ୍ ନିର୍ମାଣ ପାଇଁ ମଧ୍ୟ ଯୋଜନା ରହିଛି । ବର୍ତ୍ତମାନ ଛାତ୍ରଛାତ୍ରୀ ସମୂହ ଛୁଟିରେ ଥିବାରୁ ରାହାଗିରି ପାଳନ ଜାନୁଆରି ୩ ପରିବର୍ତ୍ତେ ୧୭ ତାରିଖରେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ସାଇକଲ ରାଲି, ଶୋଭାଯାତ୍ରା, ମୁ୍ୟଜିକ ବ୍ୟାଣ୍ଡ୍, ଯୋଗ, ଚିତ୍ରାଙ୍କନ, ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଦିବସ ପାଳନର ବାର୍ତ୍ତା ପ୍ରଚାର କରାଯିବ । ବୁଧବାର ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ବିଡିଏରେ ଉପାଧ୍ୟକ୍ଷ କ୍ରିଷନ୍ କୁମାର ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଶୀତ ଛୁଟି ଯୋଗୁଁ ରାଜଧାନୀର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସମୂହ ଛୁଟିରେ ଅଛନ୍ତି । ବର୍ତ୍ତମାନ ରାହାଗିରି ଦିବସ ପାଳନ ହେଲେ ଏହି ଦିବସ ପାଳନର ଆଭିମୁଖ୍ୟ ଓ ବାର୍ତ୍ତା ପ୍ରଚାରିତ ହୋଇପାରିବ ନାହିଁ ।
ରାସ୍ତାର ଦୁଇ ପାଶ୍ୱର୍ରେ ଥିବା ଫୁଟ୍ପାଥ ଉପରେ କୌଣସି ସାଇନବୋର୍ଡ ଲଗାଯିବ ନାହିଁ । ଏ ଦିଗରେ ପୂର୍ତ୍ତ ବିଭାଗ ଯନ୍ତ୍ରୀମାନେ ବିହିତ ପଦକ୍ଷେପ ନେବେ । ସମ୍ପ୍ରତି ବହୁ ସଂଖ୍ୟାରେ ଗାଡ଼ି ମଟର ଯାତାୟତ ଯୋଗୁଁ ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି । ଆଉ ସେଥିରୁ ନିର୍ଗତ ଧୂଅାଁ ପରିବେଶ ଦୂଷିତ କରିବା ସହ ଶରୀର ପାଇଁ କ୍ଷତିକାରକ । ଆମେରିକାରେ ଭଳି ଧନୀ ରାଷ୍ଟ୍ରରେ ସାଇକଲ୍ ଚାଳନା ୧ ରୁ ୧୧%କୁ ବୃଦ୍ଧି ପାଇଛି । ବାୟୁ ପ୍ରଦୂଷଣ ଯୋଗୁଁ ବିଶ୍ୱରେ ଦୈନିକ ୬ ଲକ୍ଷ ଲୋକ ମୃତୁ୍ୟବରଣ କରୁଛନ୍ତି ଓ ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଏକ ସର୍ଭେରୁ ଜଣାଯାଇଛି । ଗୁରୁଗାଁଓ, ହାଇଦ୍ରାବାଦ ଭଳି ଦେଶର ୩୬ଟି ପ୍ରମୁଖ ସହରରେ ରାହାଗିରି ଦିବସ ପାଳନକୁ ଗୁରୁତ୍ୱ ଦିଆଯାଉଛି । ଏ ଦିଗରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନର ସହଯୋଗ କାମନା କରାଯାଇଛି ।

ସେଆର କରନ୍ତୁ:



Powered by odothemes.com