ଅପବାଦ ସତ୍ତ୍ୱେ ସରକାର ଅମଳିନ

31

ଭୁବନେଶ୍ୱର, ୩୧ ।୧୨(ବୁ୍ୟରୋ): ବିଦାୟୀ ୨୦୧୫ ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ଉଭୟ ସରକାର ଓ ବିରୋଧୀ ଦଳ ପାଇଁ ଥିଲା ତାପିର୍ଯ୍ୟପୂର୍ଣ୍ଣ । ବିଭିନ୍ନ ପ୍ରସଙ୍ଗରେ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ ମଧ୍ୟ ବିଗତ ବର୍ଷ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବର୍ଷ ମଧ୍ୟ ନିଜକୁ ଅପ୍ରତିଦ୍ୱନ୍ଦ୍ୱୀ ନେତାଭାବେ ପ୍ରମାଣିତ କରିଛନ୍ତି । କେବଳ ସେତିକି ନୁହେଁ, ଆଗାମୀ ୨୦ ବର୍ଷ ବି ବିଜେଡିର ବୋଲି ବର୍ଷ ଶେଷରେ ସେ ପରୋକ୍ଷ ସୂଚନା ଦେବାକୁ ଭୁଲି ନାହାନ୍ତି । ବିଜୁ ଶତବାର୍ଷିକୀ ପାଳନଠାରୁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି (୨୦୩୬) ପର୍ଯ୍ୟନ୍ତ ସମୃଦ୍ଧ ଓଡିଶା ଗଠନ ପାଇଁ ବିଜେଡିର ପ୍ରତିଷ୍ଠା ଦିବସ (ଡିସେମ୍ବର ୨୬)ରେ ସେ ଘୋଷଣା କରିଥିବା ଅଙ୍ଗୀକାରବଦ୍ଧତା ଏହାର ସୂଚନା । ନୂଆ ଶତାବ୍ଦୀର ପ୍ରଥମ ନବକଳେବର ସମ୍ପନ୍ନ ହୋଇଥିଲା ୨୦୧୫ରେ । ଦାରୁ ସନ୍ଧାନଠାରୁ ଆରମ୍ଭ କରି ଶ୍ରୀଜିଉମାନଙ୍କ ନବକଳେବର ରଥଯାତ୍ରା ସମ୍ପନ୍ନ ହେବା ପର୍ଯ୍ୟନ୍ତ ବିରୋଧୀ ଦଳ ପକ୍ଷରୁ ସମାଲୋଚନାର ପାହାଡ ଠିଆ ହୋଇଥିଲେ ମଧ୍ୟ ଓଡିଶାବାସୀଙ୍କ ଭାବାବେଗ ନିକଟରେ ସେସବୁ ଅପବାଦ ଅଳିକ ସାବ୍ୟସ୍ତ ହୋଇଥିଲା । ମୋଟାମୋଟିଭାବେ ୨୦୧୫ରେ ଶାସକ-ବିରୋଧୀଙ୍କ ମୁହାଁମୁହିଁ ରାଜନୈତିକ ବାତାବରଣକୁ ଦୀର୍ଘଦିନ ଧରି ସରଗରମ କରିଥିଲା । ବିରୋଧୀ କଂଗ୍ରେସର ଜନଜାଗରଣ ଯାତ୍ରା ସାଙ୍ଗକୁ ବିଜେପିର ସଙ୍କଳ୍ପ ରଥଯାତ୍ରା, ମହାସଂଗ୍ରାମ ସମାବେଶର ଜବାବରେ ଶାସକ ବିଜେଡ଼ିର ଜନସଂପର୍କ ପଦଯାତ୍ରା, ସୋହଲା ଚାଷୀ ସମାବେଶ ଓ ଭୁବନେଶ୍ୱରର ଛାତ୍ର ସମାବେଶ ରାଜନୈତିକ ବାତାବରଣକୁ ବେଶ୍ ଉଷ୍ମ କରିଥିଲା । ନବକଳେବର ପ୍ରକ୍ରିୟା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମାଲୋଚନା, ଚିଟ୍ଫଣ୍ଡ ଠକେଇ କେଳେଙ୍କାରୀ ଓ ଚାଷୀ ଆତ୍ମହତ୍ୟା ଅଭିଯୋଗ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲେ ହେଁ ବର୍ଷର ଶେଷ ଭାଗରେ ମରୁଡ଼ି ସହାୟତା ପ୍ରଦାନରେ କେନ୍ଦ୍ରର ଟାଳଟୁଳ ନୀତି, ରାଜ୍ୟ ସ୍ୱାର୍ଥ ବିରୋଧୀ ପୋଲାଭରମ ପ୍ରକଳ୍ପକୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସଂଘୀୟ ପରିପନ୍ଥୀ ସମର୍ଥନ ଭଳି ବିଭିନ୍ନ ରାଜ୍ୟ ସ୍ୱାର୍ଥ ବିରୋଧୀ ପ୍ରସଙ୍ଗ ବିଜେଡି ପାଇଁ ପାଲଟିଥିଲା ଅମୋଘ ଅସ୍ତ୍ର । ପ୍ରକୃତିର ଦାଉ ଓ ନଗଣ୍ୟ କେନ୍ଦ୍ରୀୟ ଅନୁଦାନ ସତ୍ତ୍ୱେ ସରକାର ନବକଳେବରକୁ ସମ୍ପନ୍ନ କରିବା ସହ ମରୁଡ଼ିର ମୁକାବିଲା ଓ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ନିଜସ୍ୱ ପାଣ୍ଠିରେ ଚାଲୁ ରଖିବାକୁ ସକ୍ଷମ ହୋଇଛନ୍ତି । ତେଣୁ ବିରୋଧୀଙ୍କ ଅପଳାପ ଜନମାନସରେ ସରକାରଙ୍କ ଭାବମୂର୍ତ୍ତିକୁ ଦୋହଲାଇବାରେ ବିଫଳ ସାବ୍ୟସ୍ତ ହୋଇଥିଲା ।
ଅନୁ୍ୟନ ୮ଟି ଜନକଲ୍ୟାଣକାରୀ ଯୋଜନାକୁ କେନ୍ଦ୍ର ସରକାର ବନ୍ଦ କରିବା, ୩୩ଟି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଅନୁଦାନ କାଟ୍ ନବୀନ ସରକାରଙ୍କ ପାଇଁ ଥିଲା ପ୍ରମୁଖ ଚ୍ୟାଲେଞ୍ଜ । ତେବେ ସେସବୁ ଜନକଲ୍ୟାଣକାରୀ ଯୋଜନାଗୁଡିକୁ ନିଜସ୍ୱ ପାଣ୍ଠିରେ ଚାଲୁ ରଖିବା ପାଇଁ ସରକାର ନେଇଥିବା ନିଷ୍ପତ୍ତି ଲୋକଙ୍କ ଆସ୍ଥାକୁ ଦୃଢୀଭୂତ କରିଥିଲା । ଦେଶର ସବୁଠୁ ଅନଗ୍ରସର ଅଞ୍ଚଳଭାବେ ବିବେଚିତ ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ(କେବିକେ) ଅନ୍ତର୍ଗତ ୮ଟି ଜିଲ୍ଲା ପାଇଁ ମିଳୁଥିବା ୧୩୦ କୋଟି ଟଙ୍କା ଅନୁଦାନକୁ କେନ୍ଦ୍ର ସରକାର ବନ୍ଦ କରିବାର ଜବାବରେ ରାଜ୍ୟ ସରକାର ତାହାକୁ ଚାଲୁରଖିବା ପାଇଁ ବିଜୁ କେବିକେ ପାଣ୍ଠିକୁ ୨୫୦ କୋଟିରେ ପହଞ୍ଚାଇବା ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପ୍ରତି ଚାପୁଡା ସଦୃଶ ହୋଇଛି । ୧୧ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଗୋପବନ୍ଧୁ ଗ୍ରାମୀଣ ଯୋଜନାକୁ ସବୁ ଜିଲ୍ଲାକୁ ସମ୍ପ୍ରସାରଣ, ସବୁ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ ବିଜୁ ପକ୍କା ଘର ଯୋଜନା, କେନ୍ଦ୍ରୀୟ ଅନୁଦାନ ବନ୍ଦ ସତ୍ତ୍ୱେ ରାଜ୍ୟ ସରକାର ସବୁ ବ୍ଲକ୍ରେ ମଡେଲ ସ୍କୁଲ୍ ସ୍ଥାପନ ପାଇଁ ପାଣ୍ଠି ବ୍ୟବସ୍ଥା କରିବା ମୁଖ୍ୟତଃ ବିଜେପି ପାଇଁ ଆଉ ଏକ ଆହ୍ୱାନ । ବର୍ଷର ଶେଷ ଭାଗକୁ ପ୍ରକୃତିର ଦାଉ ରାଜ୍ୟର ୨୬ଟି ଜିଲ୍ଲାକୁ ମରୁଡି କବଳିତ କରିଥିଲା । ମରୁଡି ବେଳେ ଚାଷୀ ଆତ୍ମହତ୍ୟା ପାଇଁ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ଯତ୍ପରୋନାସ୍ତି ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଜନସାଧାରଣଙ୍କ ଆସ୍ଥା ନିକଟରେ ସେସବୁ ପ୍ରଭାବଶୂନ୍ୟ ସାବ୍ୟସ୍ତ ହୋଇଥିଲା । ତେବେ ଛଅ ଛଅଟି ରାଜ୍ୟକୁ କେନ୍ଦ୍ର ପ୍ରାକୃତିକ ଦୁର୍ବିପାକ ସହାୟତା ଦେଇଥିବାବେଳେ ଓଡିଶାର ମରୁଡିଗ୍ରସ୍ତ ଚାଷୀଙ୍କୁ ବର୍ଷ ଶେଷ ପର୍ଯ୍ୟନ୍ତ ଉପେକ୍ଷା କରିବା ମୁଖ୍ୟତଃ ରାଜ୍ୟ ବିଜେପିକୁ ଅଡୁଆ ପରିସ୍ଥିତିରେ ପକାଇଛି । ବରଂ କେନ୍ଦ୍ରୀୟ ସହାୟତାକୁ ଅପେକ୍ଷା ନକରି ନବୀନ ସରକାର ବହୁ ପୂର୍ବରୁ ଚାଷୀଙ୍କ ପାଇଁ ଏକ ହଜାର କୋଟି ଟଙ୍କାର ମରୁଡି ପ୍ୟାକେଜ୍ ଘୋଷଣା କରି ଚାଷୀଙ୍କ ଭରସା ଅସୁଲରେ ସକ୍ଷମ ହୋଇଛନ୍ତି ।




Powered by odothemes.com