29-12-2015=3

୧୧ ଲକ୍ଷ ପରିବାରର ମାତ୍ର ବଖରାଏ ଘର

17

ଭୁବନେଶ୍ୱର,(ବୁ୍ୟରୋ): କ୍ଷେତ୍ରସ୍ତରରେ ସେବା ଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପଞ୍ଚାୟତିରାଜ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଆଜି ପଞ୍ଚାୟତିରାଜ ବିଭାଗ ସମ୍ମିଳନୀ କକ୍ଷରେ ଶ୍ରୀ ପାଢ଼ୀ ପଞ୍ଚାୟତିରାଜ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା ସମୟରେ ଏହି ନିର୍ଦ୍ଧେଶ ଦେଇଛନ୍ତି । ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏହାର ସଫଳ ରୂପାୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି । ନିୟମିତ କ୍ଷେତ୍ର ପରିଦର୍ଶନ କରି ଗୃହଗୁଡ଼ିକର ନିର୍ମାଣ ଏବଂ ଗୁଣାତ୍ମକ ମାନ ଉପରେ ନଜର ରଖିବାକୁ ଶ୍ରୀ ପାଢ଼ୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ସାମାଜିକ, ଅର୍ଥନୈତିକ ତଥା ଜାତିଗତ ସର୍ବେକ୍ଷଣରୁ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରାୟ ୮୬.୨୨ ଲକ୍ଷ ପରିବାର ଅଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ବଖରା କଚ୍ଚାଘର ଥିବା ପରିବାରଙ୍କ ସଂଖ୍ୟା ୧୧.୦୪ ଲକ୍ଷ । ରାଜ୍ୟର ପ୍ରତିଟି କଚ୍ଚାଘରକୁ ପକ୍କାଘରରେ ପରିଣତ କରିବାକୁ ସରକାର ସଙ୍କଳ୍ପବଦ୍ଧ । ବିଜୁ ପକ୍କାଘର ଏବଂ ଇନ୍ଦିରା ଆବାସ ଯୋଜନାରେ ୯,୦୧,୯୨୫ ବାସଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଆରମ୍ଭ କରାଯାଇଥିବା ୪,୬୧,୧୧୮ଟି ଘର ମଧ୍ୟରୁ ୪,୪୦,୮୦୭ଟି ଘର ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । ଅବଶିଷ୍ଟ ଘରର ନିର୍ମାଣ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ରହିଛି । ଗ୍ରାମ୍ୟ ଗୃହ ନିର୍ମାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପରାମର୍ଶ ଦେଇଛନ୍ତି ।
ମହାତ୍ମା ଗାନ୍ଧି ନରେଗାରେ ୨୦୧୫-୧୬ ବର୍ଷରେ ବର୍ତ୍ତମାନ ସୁଦ୍ଧା ୪୪୪.୧୨ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି । ୨୧୫ ଗୋଟି ମରୁଡ଼ି ପ୍ରଭାବିତ ବ୍ଲକ୍ରେ ୨୦୦ ଦିନ କର୍ମନିଯୁକ୍ତି ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି । ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟରୁ ନିୟମିତ ପାଣ୍ଠି ନଆସିବା ଓ କେତେକ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ଉପଲବ୍ଧ ହୋଇନଥିବା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ଓଡ଼ିଶା ଗ୍ରାମୀଣ ଜୀବିକା ମିଶନ ମାଧ୍ୟମରେ ଗ୍ରାମାଞ୍ଚଳରେ ଥିବା ଗରିବ ପରିବାରମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଂଗଠିତ କରି ସେମାନଙ୍କର ବ୍ୟକ୍ତିଗତ ଓ ସାମୂହିକ ସାମର୍ଥ୍ୟ ଅଭିବୃଦ୍ଧି କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ୨୦୧୯ ମସିହା ମଧ୍ୟରେ ରାଜ୍ୟର ସମସ୍ତ ବ୍ଲକ୍କୁ ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମରେ ସାମିଲ୍ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ରାଜ୍ୟ ଚତୁର୍ଥ ଅର୍ଥ ଆୟୋଗ ଓ ଚତୁର୍ଦ୍ଧଶ କେନ୍ଦ୍ରୀୟ ଅର୍ଥ ଆୟୋଗଙ୍କ ସୁପାରିଶ କ୍ରମେ ଜନସଂଖ୍ୟା ଭିତ୍ତିରେ ୨୦୧୫-୧୬ ଆର୍ଥିକ ବର୍ଷରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି । ଗ୍ରାମ ପଞ୍ଚାୟତର ଭିତ୍ତିଭୂମି ବିକାଶ, ମୌଳିକ ସେବା ଯୋଗାଣ ଓ ଗ୍ରାମ ପଞ୍ଚାୟତିର ଆୟବୃଦ୍ଧି ନିମନ୍ତେ କାର୍ଯ୍ୟକ୍ରମ ହେଉଥିବା ଅନେକ କାର୍ଯ୍ୟକ୍ରମକୁ ଠିକଣା ରୂପେ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପରାମର୍ଶ ଦେଇଛନ୍ତି । ଯୋଜନା ପ୍ରସ୍ତୁତି, କାର୍ଯ୍ୟାନ୍ୱୟନ ଏବଂ ରକ୍ଷଣାବେକ୍ଷଣ ଆଦି ବିଷୟରେ ଗ୍ରାମ ପଞ୍ଚାୟତମାନଙ୍କର ଦକ୍ଷତା ଅଭିବୃଦ୍ଧି କରିବା ଉପରେ ମଧ୍ୟ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି ।
ଏହି ସମୀକ୍ଷା ବୈଠକରେ ବିଭାଗୀୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ପଞ୍ଚାୟତିରାଜ ନିର୍ଦ୍ଧେଶକ ଦେବେନ୍ଦ୍ର ପ୍ରସାଦ ଦାସ, ଜାତୀୟ ଗ୍ରାମୀଣ ଜୀବିକା ମିଶନର ନିର୍ଦ୍ଧେଶକ ପ୍ରଣବ ଜ୍ୟୋତି ନାଥ ଓ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।




Powered by odothemes.com