ଖରାପ ପାଗ ଯୋଗୁଁ ଶିମିଳିପାଳ ପ୍ରବେଶ ମନା

30

ବାରିପଦା, (ଆପ୍ର): ଗତ କିଛିଦିନ ଧରି ମୟୂରଭଞ୍ଜ ଜିଲାରେ ବର୍ଷା ଓ ଖରାପ ପାଗ ଲାଗି ରହିବା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଗତ ୨୩ତାରିଖ ଠାରୁ ଅଭୟାରଣ୍ୟ ଇଲାକାକୁ କୌଣସି ପର୍ଯ୍ୟଟକଙ୍କୁ ପ୍ରବେଶ ଲାଗି ଅନୁମତି ଦିଆଯାଇ ନ ଥିବା ପ୍ରକାଶ । ବଡଦିନ ଡିସେମ୍ବର ୨୫ତାରିଖରେ ମଧ୍ୟ ଏହି କଟକଣା ଜାରି ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କଠାରୁ ପ୍ରକାଶ । ବର୍ଷା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟ ଇଲାକାରେ ରାସ୍ତାଘାଟର ଅବସ୍ଥା ଖରାପ ହୋଇପଡିଥିବାରୁ ଏଭଳି କଟକଣା ଜାରି କରାଯାଇଥିବା ଜଣାପଡିଛି । ଫଳରେ ଗତ ଦୁଇ ଦିନ ଧରି ଶିମିଳିପାଳ ଅଭୟାରଣ୍ୟ ପରିଭ୍ରମଣ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକମାନେ ହତାଶ ହେବା ସହ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ଅଭୟାରଣ୍ୟ ଇଲାକାରେ ରାତ୍ର ରହଣୀ ଲାଗି ଅଗ୍ରୀମ ବୁକିଂ କରିଥିବା ପର୍ଯ୍ୟଟକମାନଙ୍କୁ ମଧ୍ୟ ଯିବାକୁ ଅନୁମତି ମିଳି ନ ଥିବାରୁ ସେମାନେ କୌଣସି ପୂର୍ବ ସୂଚନା ନ ପାଇ ଶିମିଳିପାଳ ବୁଲିବାକୁ ଆସି ଅଯଥାରେ ଫେରି ଯାଇଥିବା ଜାଣିବାକୁ ମିଳିଛି । ପାଗର ପରିବର୍ତ୍ତନ ହେଲେ ପର୍ଯ୍ୟଟକମାନଙ୍କୁ ଛଡାଯିବ ବୋଲି ଅଭୟାରଣ୍ୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ବଡଦିନ ତଥା ଡିସେମ୍ବର ୨୫ ରେ ଅଭୟାରଣ୍ୟ ବୁଲିବା ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ହୋଇଥିଲେ ମଧ୍ୟ ଚଳିତ ବର୍ଷ ପର୍ଯ୍ୟଟକମାନଙ୍କୁ ଅନୁମତି ନ ମିଳିବା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛିା

ସେଆର କରନ୍ତୁ:



Powered by odothemes.com