ଦଳ ମତ ନିର୍ବିଶେଷରେ ପରିବେଶ ପାଇଁ ପ୍ରତିଶ୍ରୁତିବଦ୍ଧତା ଆବଶ୍ୟକ

56

ଭୁବନେଶ୍ୱର(ବୁ୍ୟରୋ): ପିଲାମାନେ ପରିବେଶ ତଥା ପୃଥିବୀର ଆଗାମୀ ଉତ୍ତରାଧିକାରୀ । ପରିବେଶ ସୁରକ୍ଷା ଦିଗରେ ପିଲାଙ୍କୁ ସଚେତନ କରାଇବା ନିତାନ୍ତ ଆବଶ୍ୟକ । ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ପରିବେଶ ପାଇଁ ଏକ ବିରାଟ ସମସ୍ୟା ଭାବେ ଉଭା ହୋଇଛି । ଏଥିପାଇଁ ପିଲାଙ୍କ କ୍ଷେତ୍ରରେ ବ୍ୟାପକ ସଚେତନତାର ଆବଶ୍ୟକ ବୋଲି ଓଡିଶା ପରିବେଶ କଂଗ୍ରେସର ଦ୍ୱିତୀୟ ଦିନରେ ମତପ୍ରକାଶ ପାଇଛି ।  ସମ୍ମିଳନୀର ଦ୍ୱତୀୟ ଦିବସରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନରେ ସେଭ୍ ଦି ଚିଲ୍ଡ୍ରେନ ଦ୍ୱାରା ଆୟୋଜିତ ନିରନ୍ତର ବିକାଶ ଲକ୍ଷ୍ୟ ଓ ପିଲାଙ୍କ ପରିବେଶ କଂଗ୍ରେସକୁ ଉଦ୍ଘାଟନକରି ଖାଦ୍ୟ ଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା କହିଲେ, ଦଳ ମତ ନିର୍ବିଶେଷରେ ପରିବେଶ ପାଇଁ ପ୍ରତିବଦ୍ଧତାର ଆବଶ୍ୟକ ରହିଛି । ବାୟୁମଣ୍ଡଳ ପରିବର୍ତ୍ତନ ଦ୍ୱାରା ପରିବେଶ ଉପରେ ପଡୁଥିବା ପ୍ରଭାବରୁ ରକ୍ଷା ପାଇବା ପାଇଁ ଆମ ସମସ୍ତଙ୍କୁ ଚିନ୍ତା କରିବାର ଆବଶ୍ୟକ । ଖାସ କରି ଆଗାମୀ ପିଢିର ପିଲାମାନଙ୍କୁ ଅଧିକ ସଚେତନଶୀଳ କରାଇବା ଆବଶ୍ୟକ । ଚିଲିକା ହ୍ରଦ ଓଡିଶା ପାଇଁ ସାରା ବିଶ୍ୱର ଏକ ବିଭବ ପାଲଟି ଥିଲା । ବର୍ତ୍ତମାନ ଚିଲିକା, ସମୁଦ୍ର ସହିତ ମିଶିବାକୁ ଲାଗିଛି । ୧୯୯୨ ମସିହା ନବମ ଅର୍ଥ ଆୟୋଗ ଦ୍ୱାରା ଚିଲିକାର ବିକାଶ ପାଇଁ ୨୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ପରବର୍ତ୍ତି ସମସୟରେ ଏହି ଯୋଜନାର କାର୍ଯ୍ୟକାରୀରେ ବ୍ୟବସ୍ଥାଗତ ପଦକ୍ଷେପର ଅଭାବରୁ ଚିଲିକାର ବୈଭବ ଆଜି ନଷ୍ଟ ହେବାରେ ଲାଗିଛି । ଶ୍ରେଷ୍ଠ ଅତିଥିଭାବେ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଯୋଗଦେଇ ପରିବେଶର ପରିସ୍ଥିତିକୁ ନେଇ ଆଜି ସାରା ବିଶ୍ୱରେ ଏକ ଆଲୋଡନ ସୃଷ୍ଟି ହୋଇଛି । ପରିବେଶବିତ୍, ବିଜ୍ଞାନୀ ଓ ସମାଜିକ କର୍ମୀ ମିଳିତ ଭାବେ ପିଲାଙ୍କ ମଧ୍ୟରେ ପରିବେଶ ସଚେତନତାର ଆବଶ୍ୟକତାକୁ ଦୃଢୀଭୁତ କରିବା ଆବଶ୍ୟକ । ବରିଷ୍ଠ ଲେଖକ ପ୍ରଫେସର ଦାସ ବେନହୁର ସମ୍ମାନୀୟ ଅତିଥିଭାବେ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ବିଳାଶ ଠାରୁ ଅଧିକ ଆଧ୍ୟାତ୍ମୀକ ଚିନ୍ତନ ଆବଶ୍ୟକତାକୁ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ଅତିଥି ତଥା ଉକ୍ତ କାର୍ଯ୍ୟକ୍ରମର ସହଯୋଗୀ ସଂସ୍ଥାନ ସେଭ୍ ଦି ଚିଲ୍ଡ୍ରେନର ରାଜ୍ୟ ମୁଖ୍ୟ ସଂଜିବ କୁମାର ବେହେରା କହିଲେ, ସହସ୍ରାଦ୍ଧ ବିକାଶର ଲକ୍ଷ୍ୟକୁ ଆଗେଇନେବା ପାଇଁ ୨୦୩୦ ପର୍ଯ୍ୟନ୍ତ ଧାର୍ଯ୍ୟ ବ୍ୟବଧାନ ମଧ୍ୟରେ ଜାତିସଂଘ ତରଫରୁ ଅନେକ ଯୋଜନା ମାନ ହାତକୁ ନିଆଯାଇଛି । ଜଳବାୟୁ ଜନିତ ସମସ୍ୟା, ପୋଷଣ, ବିଶୁଦ୍ଧ ଜଳ ଓ ପରିମଳ ଆଦି ମୁଖ୍ୟ ଲକ୍ଷ୍ୟ ଭାବରେ ଏହି ଯୋଜନାରେ ପରିଗଣିତ ହେଉଛି । ଏହି ଯୋଜନା ଗୁଡିକ ଦ୍ୱାରା ଅନେକାଂଶରେ ରାଜ୍ୟରେ ପରିବର୍ତ୍ତନ ଓ ବିକାଶ ଆଣିପାରିବ ବୋଲି ଶ୍ରୀ ବେହେରା କହିଥିଲେ । ସିୱାଇଏସ୍ଡିର ଅଧ୍ୟ୍ୟକ୍ଷ ଡଃ. ପିକେ ସାହୁ ସଭାପିତ୍ୱରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମାନବ ସମ୍ବଳ ବିଭାଗର ସମୁହ ସଭାପତି ବିଜୟ ସାହୁ, ପରିବେଶ କଂଗ୍ରେସର ସାଂଗଠନିକ ସମ୍ପାଦକ ସୁଦର୍ଶନ ଦାସ, ସିଇଡିର ନିର୍ଦ୍ଧେଶକ ଡ. ବାବୁ ଅମ୍ବାତ୍ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଇଏସ୍ର ନିର୍ଦ୍ଧେଶିକା ଡ. ଶୈଳବାଳା ପାଢୀ, ଡ. ସିଆର୍ ଦାସ, ଡ. ସେବା ମହାପାତ୍ର, ପରିବେଶବିତ୍ ଡ. ସୁରେନ୍ଦ୍ରନାଥ ପାତ୍ର ଆଦି ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com