ନେତାଙ୍କ ସଦ୍ବୁଦ୍ଧି ପାଇଁ ମହାଯଜ୍ଞ

sarakari-chuktivitika-sikhyak-sangha-pakhyaru-chakiri-dabire-pmg-thare-mahajangya-04

ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଅଭିନବ ବିକ୍ଷୋଭ
ଭୁବନେଶ୍ୱର, ୨୧ା୧୨(ବୁ୍ୟରୋ): ଆମରଣ ଅନଶନରତ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଆଜି ବର୍ଷାସତ୍ତ୍ୱେ ଆନ୍ଦୋଳନ ଜାରି ରଖିଥିଲେ । ପୁନଃ ନିଯୁକ୍ତି ଦାବିରେ ସାତ ଦିନ ହେବ ପିଏମ୍ଜି ରାସ୍ତାରେ ଅହୋରାତ୍ର ଧାରଣା ଓ ଅନଶନ ଜାରି ରଖିଛନ୍ତି । ଇତି ମଧ୍ୟରେ ସଂଘର ୧୦ରୁ ଊଦ୍ଧ୍ୱର୍ ଶିକ୍ଷକ ହସ୍ପିଟାଲରେ ଭର୍ତ୍ତି ହୋଇସାରିଲେଣି । ମାତ୍ର ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ଆଜି ମଧ୍ୟାହ୍ନରେ ବର୍ଷାରେ ଭିଜି ଭିଜି ସରକାର ବିରୋଧୀ ନାରାବାଜି ଜାରି ରଖିଥିଲେ ।  ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକାଠି ହୋଇ ଅଭିନବ ଉପାୟରେ ସରକାରଙ୍କ ବୁଦ୍ଧି ଉଦୟ ନିମନ୍ତେ ଏକ ବିଶ୍ୱଶାନ୍ତି ମହାଯଜ୍ଞ ଅୟୋଜନ କରିଥିଲେ । ଗାନ୍ଧି ମାର୍ଗରେ ନେତା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ହେଉଥିବା ବେଳେ ଆଜି ପ୍ରଥମଥର ସେଠାରେ ଯଜ୍ଞ ହୋଇଥିଲା । ତାହା ପୁଣି ରାଜନେତାଙ୍କ ବୁଦ୍ଧିର ଅଭୁ୍ୟଦୟ ପାଇଁ ବୋଲି ସଂଘ ସଭାପତି କହିଛନ୍ତି । ରାଜରାସ୍ତାରେ ହୋମକୁଣ୍ଡ କରି ବୈଦିକ ରୀତିନୀତି ଅନୁସାରେ ମନ୍ତ୍ରପାଠ କରିଥିଲେ । ଶିକ୍ଷକ ମାରଣ ନୀତି ଓ ଶିକ୍ଷକ ନିଯୁକ୍ତି ଉପରୁ ସରକାରଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହେଉ । ବୁଦ୍ଧି ଉଦୟ ହେଉ ମନେ କରି ସମସ୍ତ ବିଧାୟକଙ୍କ ନାମରେ ହୋମ କୁଣ୍ଡରେ ଘିଅ ଢ଼ାଳିଥିଲେ । ସେଠାରେ ଉପସ୍ଥିତ ଲୋକମାନେ ଏହି ହୋମ ଯଜ୍ଞକୁ ଦେଖି ସରକାରଙ୍କ ଉଦାସୀନତା ବିରୋଧରେ ଚର୍ଚ୍ଚା କରିଥିବାର ଲକ୍ଷ୍ୟ କରାଯାଇଥିଲା ।
ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ଗଣଶିକ୍ଷା ବିଭାଗ ବିନା କାରଣରେ ରାଜ୍ୟର ୪୧୦୮ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଛଟେଇ ନିଷ୍ପତ୍ତି ନେଇଥିଲେ । ଯାହା ସମ୍ପୂର୍ଣ୍ଣ ବେଆଇନ । ବର୍ତ୍ତମାନ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରସଙ୍ଗ ହାଇକୋର୍ଟରେ ସ୍ଥଗିତାଦେଶ ରହିଥିବା ସମୟରେ ସରକାର କିପରି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସଂଘ ପ୍ରଶ୍ନ କରିଛି ।