BHANJAKALA-MANDAP-RE-ODISHY-INTERNATIONAL-2015--RE-MADHUJA-SEN-KOLKATA-NIJARA-NRUTYA-PARIBESANA-KARUCHANTI-(1)

ବିଶ୍ୱ ଓଡ଼ିଶୀ ନୃତ୍ୟ ଉତ୍ସବ ଉଦ୍ଘାଟିତ

28

ଶ୍ରୀନିକାଙ୍କ ନୃତ୍ୟରେ ଝୁମିଲେ ଦର୍ଶକ
ଭୁବନେଶ୍ୱର,୨୦ା୧୨(ବୁ୍ୟରୋ): ସାଂସ୍କୃତିକୀ ତରଫରୁ ଭଞ୍ଜକଳା ମଣ୍ଡପରେ ବିଶ୍ୱ ଓଡ଼ିଶୀ ନୃତ୍ୟ ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ତେବେ ଉଦ୍ଘାଟନୀ ସନ୍ଧ୍ୟାରେ ବିଶେଷ ଆକର୍ଷଣ ଥିଲା ବେଙ୍ଗାଲୁରୁର ୪ବର୍ଷର ଶ୍ରୀନିକା ପୁରୋହିତଙ୍କ ଓଡ଼ିଶୀ ନୃତ୍ୟ । ମଞ୍ଚର ମାୟାକୁ ଠିକ୍ ଭାବରେ ବୁଝି ନଥିବା ଏହି କୁନି ପିଲାଟି ଆଜି ନିଜର ନୃତ୍ୟ ମାଧ୍ୟମରେ ସମସ୍ତଙ୍କୁ ଚକିତ କରିଦେଇଥିଲେ । ନୃତ୍ୟ ପ୍ରଦର୍ଶନ ବେଳେ ତାଙ୍କର ଭାବ, ତାଳ ଓ ଲୟ ଦେଖି ଦର୍ଶକ ଉତ୍ସାହିତ ହେବା ସହିତ ପିଲାଟିକୁ ପ୍ରଶଂସା କରିଥିଲେ । ସେହିପରି ଅନ୍ୟତମ ଆକର୍ଷଣ ଥିଲା ଡ.ଅରୁଣା ମହାନ୍ତି, ସଂଯୁକ୍ତା ଦତ୍ତା ପ୍ରଧାନ, ମଧୁଲିତା ମହାପାତ୍ର, ଡ. ରତ୍ନା ରାୟଙ୍କ ଭଳି ପ୍ରଖ୍ୟାତ ନୃତ୍ୟଶିଳ୍ପୀଙ୍କ ନୃତ୍ୟ ପରିବେଷଣ । ୫ଦିନ ବ୍ୟାପୀ ହେବାକୁ ଥିବା ଏହି ଉତ୍ସବରେ ୧୫ଟି ଦେଶର ୩ଶହ ଓଡ଼ିଶୀ ନୃତ୍ୟଶିଳ୍ପୀ ଯୋଗଦେବେ । ଉଦ୍ଘାଟନୀ ଉତ୍ସବରେ ମେୟର ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରିୟଦର୍ଶୀ ମିଶ ଓ ନୃତ୍ୟଶିଳ୍ପୀ ମୀନତି ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଓଡ଼ିଶୀର ଜନ୍ମଭୂମି ଓଡ଼ିଶାରେ ବିଶ୍ୱର ସମସ୍ତ ଦେଶର ଓଡ଼ିଶୀ କଳାକାରମାନଙ୍କୁ ପ୍ରତିବର୍ଷ ଏକତ୍ରିତ କରିବାର ଲକ୍ଷ୍ୟରେ ଏହି ଉତ୍ସବ ଆୟୋଜିତ ହୋଇଛି । ଏଥିସହିତ କଳାକାରମାନଙ୍କ ମାଧ୍ୟମରେ ବିଶ୍ୱ ଭାତୃତ୍ୱ, ବିଶ୍ୱ ଶାନ୍ତି ଏବଂ ସାଂସ୍କୃତିକ ପର୍ଯ୍ୟଟନ ବିକାଶରେ ଏହି ଉତ୍ସବ ସହାୟତା କରିବ ବୋଲି ଅତିଥିମାନେ ଏଠାରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆମେରିକାର ବିଶିଷ୍ଟ ଓଡ଼ିଶୀ ନୃତ୍ୟ ବିଶାରଦ ପ୍ରଫେସର ଡ. ରତ୍ନା ରାୟଙ୍କୁ ଜୀବନବ୍ୟାପି ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହା ସହିତ ବିଶ୍ୱର ବିଭିନ୍ନ ଦେଶରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର କରାଉଥିବା ଓଡ଼ିଶୀ ନୃତ୍ୟଶିଳ୍ପୀମାନଙ୍କୁ ଓଡ଼ିଶୀର ରାଷ୍ଟ୍ରଦୂତ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com