୧୦୦ ଟଙ୍କା ଲାଞ୍ଚକୁ ବର୍ଷେ ଜେଲ୍

25

ଭୁବନେଶ୍ୱର,୧୯ ।୧୨(ବୁ୍ୟରୋ): ୧୦୦ ଟଙ୍କା ଲାଞ୍ଚ ନେବା ମାମଲାର ବିଚାର କରି ଭୁବନେଶ୍ୱର ଭିଜିଲାନ୍ସ୍ ଅତିରିକ୍ତ ସ୍ପେଶାଲ ଜଜ ଅଭିଯୁକ୍ତ ଆଞ୍ଚଳିକ ପରିବହନର ଅବସରପ୍ରାପ୍ତ କିରାଣୀ ବିଜୟରାମ ଦାଶଙ୍କୁ ବର୍ଷେ ଜେଲ୍ ଦଣ୍ଡାଦେଶ ଶୁଣାଣି କରିଛନ୍ତି । ଏଥିସହିତ ୨ ହଜାର ଟଙ୍କା ଜରିମନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍ ଭୋଗିବାକୁ ପଡିବ ବୋଲି ନିର୍ଦ୍ଧେଶରେ ଉଲ୍ଲେଖ ରହିଛି । ମାମଲାରୁ ପ୍ରକାଶ, ଭିସିଆର୍ ନକାଟିବା ପାଇଁ ଗାଡି ମାଲିକ ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କୁ ବିଜୟରାମ ଟଙ୍କା ଦେବାକୁ ଦାବି କରିଥିଲେ । ତାଙ୍କ ଦାବି ଅନୁଯାୟୀ ପୂର୍ଣ୍ଣଚନ୍ଦ୍ର ତାଙ୍କୁ ୨୦୦୩ ଜାନୁଆରୀ ୨୧ ତାରିଖରେ ୧୦୦ ଟଙ୍କା ଲାଞ୍ଚ ଦେଇଥିଲେ । ସେ ପୂର୍ଣ୍ଣଚନ୍ଦ୍ରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ୍ ପୁଲିସ୍ ବିଜୟରାମଙ୍କୁ ଗିରଫ କରିଥିଲା । ବିଜୟରାମଙ୍କ ନିକଟରୁ ନିକଟରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଥିଲା । ଏସଂକ୍ରାନ୍ତରେ ଭିଜିଲାନ୍ସ୍ ବିଜୟରାମଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଉକ୍ତ ମାମଲାର ବିଚାର କରି ଜଜ ଉପରୋକ୍ତ ଦଣ୍ଡାଦେଶ ଶୁଣାଣି କରିଥିଲେ । ସେହିପରି ଅନ୍ୟ ଏକ ଲାଞ୍ଚ ମାମଲାର ବିଚାର କରି ସମ୍ବଲପୁର ଭିଜିଲାନ୍ସ୍ ସ୍ପେଶାଲ ଜଜ କୁଆଁରମୁଣ୍ଡା ତହସିଲ ଅଧିନ କାଲୁଙ୍ଗାର ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ (ଆର୍ଆଇ) ରାଜକୁମାର ପୁରୋହିତଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ସହ ୫୦୦୦ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୧ ମାସ ଜେଲ୍ ଭୋଗିବାକୁ ପଡିବ ବୋଲି ନିର୍ଦ୍ଧେଶରେ ଉଲ୍ଲେଖ ରହିଛି । ମାମଲାରୁ ପ୍ରକାଶ, ବିବାଦୀୟ ଜମିର ରିପୋର୍ଟ ଦେବା ପାଇଁ ଜାମଝରି ଗାଁର ଥୋମାସ ଏକ୍କାଙ୍କ ଠାରୁ ସେ ୨ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ୍ ୨୦୦୩ ଡିସେମ୍ବର ୧୭ରେ ତାଙ୍କୁ ଗିରଫ କରିଥିଲା । ଏଥିସହ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିଥିଲା । ଭିଜିଲାନ୍ସ୍ ରାଜକୁମାରଙ୍କ ନାଁରେ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି ।




Powered by odothemes.com