hospital.avi_PURI

ପ୍ରସୂତି ମୃତୁ୍ୟ: ସଦର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

47

ପୁରୀ, (ଆପ୍ର): କନ୍ୟା ସନ୍ତାନ ଜନ୍ମ ଦେବାପରେ ପ୍ରବଳ ରକ୍ତସ୍ରାବ ଯୋଗୁ କାମିନୀ ମଲ୍ଲିକ(୨୨)ନାମ୍ନୀ ପ୍ରସୂତିଙ୍କ ମୃତୁ୍ୟକୁ କେନ୍ଦ୍ର କରି ସ୍ଥାନୀୟ ସଦର ମୁଖ୍ୟ ଚିକିତ୍ସାଳୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଚିକିତ୍ସା ଅବହେଳାରୁ କାମିନୀଙ୍କ ମୃତୁ୍ୟ ଘଟିଥିବା ଅଭିଯୋଗ କରି ପରିବାର ଲୋକେ ୨ ଘଣ୍ଟା କାଳ ହସ୍ପିଟାଲରେ ଧାରଣା ଦେଇଥିଲେ । କୁମ୍ଭାରପଡା ଥାନା ପୁଲିସ ଓ ଆଇଆର୍ବି ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରିଥିଲେ । ଚିକିତ୍ସା ଅବହେଳାରୁ କାମିନୀଙ୍କ ମୃତୁ୍ୟ ଘଟିଥିବା ଅଭିଯୋଗ କରି ଡାକ୍ତର ଶୁଭେନ୍ଦୁ ପଟ୍ଟନାୟକଙ୍କ ନାମରେ ତାଙ୍କ ପିତା ମହେଶ୍ୱର ମଲ୍ଲିକ କୁମ୍ଭାରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ସଦରବ୍ଲକ କହ୍ନେଇବିଦ୍ୟାଧରପୁର ଅନ୍ତର୍ଗତ ବରହମପୁର ଗ୍ରାମର ମହେଶ୍ୱର ମଲ୍ଲିକଙ୍କ କନ୍ୟା କାମିନୀ ମଙ୍ଗଳପୁର ଅନ୍ତର୍ଗତ ଠଣଠଣା ଗ୍ରାମର ଅତନୁ ମଲ୍ଲିକଙ୍କୁ ବିବାହ କରିଥିଲେ । କାମିନୀ ପ୍ରସବ ବେଦନା ଅନୁଭବ କରିବାରୁ ତାର ବାପା ମହେଶ୍ୱର ଓ ସ୍ୱାମୀ ଅତନୁ ଗତ ୧୭ତାରିଖ ଦିନ ତାକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ପ୍ରସୂତି ବିଭାଗରେ ଖଟିଆ ନଥିବାରୁ କାମିନୀକୁ ଚଟାଣରେ ରହିବା ପାଇଁ ଡାକ୍ତର ଶୁଭେନ୍ଦୁ ପଟ୍ଟନାୟକ ଓ ନର୍ସମାନେ କହିଥିଲେ । ତଦନୁଯାୟୀ ଚଟାଣରେ ରହି କାମିନୀ ଚିକିତ୍ସିତ ହେଉଥିଲେ । ଶନିବାର ସକାଳେ ପ୍ରସବ ବେଦନା ଅଧିକ ହେବାରୁ କାମିନୀଙ୍କୁ ପ୍ରସୂତି ଗୃହକୁ ନିଆଯାଇଥିଲା । ସେଠାରେ କନ୍ୟା ସନ୍ତାନ ଜନ୍ମ ଦେବାପରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲେ ମଧ୍ୟ ସଂପୃକ୍ତ ଡାକ୍ତର କିମ୍ବା ଦାୟିତ୍ୱରେ ଥିବା ନର୍ସ ସେଥିପ୍ରତି ଧ୍ୟାନ ଦେଇ ନଥିଲେ । କାର୍ଯ୍ୟରତ ନର୍ସମାନେ ତାଙ୍କ ପରିବାରକୁ ୮ ଶହ ଟଙ୍କା ଲାଞ୍ଚ ମାଗିଥିଲେ । କାମିନୀଙ୍କ ପିତା ୩ ଶହ ଟଙ୍କା ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି । ଡାକ୍ତର ପଟ୍ଟନାୟକଙ୍କ ଚିକିତ୍ସା ଅବହେଳାରୁ କନ୍ୟାର ମୃତୁ୍ୟ ଘଟିଥିବା ମହେଶ୍ୱର ଅଭିଯୋଗ କରି ଅଭିଯୁକ୍ତ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର ଦାବି କରିଛନ୍ତି । ଏଥିସହ କନ୍ୟାର ମୃତୁ୍ୟ ପାଇଁ ମଧ୍ୟ କ୍ଷତିପୂରଣ ଦାବି କରିଛନ୍ତି । ତେବେ ଘଟଣାର ତଦନ୍ତ ଚାଲିଛି । ଅଭିଯୋଗ ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଡିଏମଓ ପ୍ରଭାତ କୁମାର ସାହୁ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com