କମ୍ପୁ୍ୟଟର ପାଠ ପାଇଁ ସ୍ଥାନ ଅଭାବ

com-2

ଭୁବନେଶ୍ୱର,(ତଥ୍ୟ): ଛାତ୍ରଛାତ୍ରୀମାନେ କମ୍ପୁ୍ୟଟର ବିଜ୍ଞାନ ପାଠ ପଢିବାପାଇଁ ବର୍ଷକୁ ୧୦ ହଜାର ଟଙ୍କାକରି ଗଣୁଛନ୍ତି । ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ବି ଏଥିପାଇଁ ମୋଟା ଅଙ୍କର ଅର୍ଥ ଯୋଗାଇ ଦେଉଛନ୍ତି । ହେଲେ ଛାତ୍ରଛାତ୍ରୀମାନେ ଠିକଣା ଭାବେ ବସି ପାଠ ପଢିବାକୁ ସ୍ଥାନ ଟିକେ ନାହିଁ ।  ଏଭଳି ଅବସ୍ଥା ହେଉଛି ରାଜ୍ୟର ସବୁଠାରୁ ସ୍ୱନାମଧନ୍ୟ ମହାବିଦ୍ୟାଳୟ କୁହାଯାଉଥିବା ବିଜେବି କଲେଜରେ । ଏଠାରେ ୧୯୯୮ ମସିହାରୁ ଆରମ୍ଭ ହୋଇଛି କମ୍ପୁ୍ୟଟର ବିଜ୍ଞାପନ ପାଠ୍ୟକ୍ରମ । ଯୁକ୍ତ ତିନି ଶ୍ରେଣୀର ଛାତ୍ରଛାତ୍ରୀମାନେ ବର୍ଷକୁ ୧୦ ହଜାର ଟଙ୍କା ଦାଖଲକରି କମ୍ପୁ୍ୟଟର ବିଜ୍ଞାନ ପଢୁଛନ୍ତି । ଏହି ପାଠ୍ୟକ୍ରମରେ ୩୨ଟି ଆସନ ରହିଛି ।  ପାଠ୍ୟକ୍ରମ ଆରମ୍ଭ ହେବାର ୧୭ ବର୍ଷ ପରେ ବି ଏହି ବିଭାଗର ସ୍ଥିତିରେ କିଛି ଉନ୍ନତି ଆସିନାହିଁ । ନା ଏହାର କମ୍ପୁ୍ୟଟର ଲ୍ୟାବ୍‍କୁ ଅଧିକ ଘର ଯୋଗାଇ ଦିଆଯାଉଛି ନା ନିୟମିତ ଅଧ୍ୟାପକ । ଗୋଟିଏ ବଖରା ଘରେ ଖୁନ୍ଦାଖୁନ୍ଦି ହୋଇ ୫୦ ରୁ ଅଧିକ କମ୍ପୁ୍ୟଟର ପଡିଛି । ଏହାରି ଭିତରେ ରହିଛି ସର୍ଭର ଠାରୁ ଆରମ୍ଭକରି ବ୍ୟାଟେରୀ, କଳାପଟା, ଚେୟାର ଟେବୁଲ । ଯଦିଓ ଅନ୍ୟ ଶ୍ରେଣୀରେ କମ୍ପୁ୍ୟଟର ପାଠପଢା ହେଉଛି ହେଲେ ଅନେକ ସମୟରେ ଛାତ୍ରଛାତ୍ରୀମାନେ ଏହାରି ଭିତରେ ଖୁନ୍ଦାଖୁନ୍ଦି ହୋଇ ବସି ପାଠ ପଢନ୍ତି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବିଜେବି କଲେଜରେ କମ୍ପୁ୍ୟଟର ଶ୍ରେଣୀରେ ନାମ ଲେଖାଇଥିବା ପିଲାଙ୍କୁ ଦିନ ଦୁଇଟା ପରେ ପାଠ ପଢିବାପାଇଁ ଆଉ ଶ୍ରେଣୀକକ୍ଷ ମିଳେନାହିଁ । କାରଣ ଏଠାରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଖୋଲିଥିବା ବିଭିନ୍ନ ସଂସ୍ଥା ଦିନ ଦୁଇଟା ପରେ ଅଧିକାଂଶ ଶ୍ରେଣୀକକ୍ଷକୁ ନିଜ କବ୍‍ଜାକୁ ନେଇଯାଇଥାନ୍ତି । ତେଣୁ କଲେଜର ଛାତ୍ରଛାତ୍ରୀମାନେ ଏଣେ ତେଣେ ବସି ପାଠପଢିବାକୁ ବାଧ୍ୟ ହୋଇଥାନ୍ତି । ବର୍ତ୍ତମାନ କମ୍ପୁ୍ୟଟର ପାଠ୍ୟକ୍ରମରେ ଅଧିକ ବିଷୟ ଅର୍ନ୍ତଭୁକ୍ତ ହୋଇଥିବାରୁ ଏଥିପାଇଁ ଅଧିକ ଶ୍ରେଣୀକକ୍ଷର ଆବଶ୍ୟକ ପଡୁଛି ।
କେବଳ କମ୍ପୁ୍ୟଟର ବିଷୟରେ ନୁହେଁ ଏହି କଲେଜର ଅଧିକାଂଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଅବସ୍ଥା ଏଭଳି । ଉପର ସ୍ତରରେ ଏସଂକ୍ରାନ୍ତରେ ନିଷ୍ପତ୍ତି ହେଉଥିବାରୁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭକରି ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ଏହା ଦେଖୁଥିଲେ ମଧ୍ୟ କେହି ମୁହଁ ଖୋଲିବାକୁ ସାହସ କରୁନାହାନ୍ତି ।
ସେହିଭଳି ସତର ବର୍ଷ ଧରି ଚଳାଯାଉଥିବା ଏହି ପାଠ୍ୟକ୍ରମ ପାଇଁ ସରକାର ଆଜିପର୍ଯ୍ୟନ୍ତ ଜଣେହେଲେ ନିୟମିତ ଅଧ୍ୟାପକ ଯୋଗାଇ ଦେଉନାହାନ୍ତି । ଠିକା ଶିକ୍ଷକଙ୍କ ଜରିଆରେ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନରେ କମ୍ପୁ୍ୟଟର ଶିକ୍ଷା ଚାଲିଛି । ଏହି ମହାବିଦ୍ୟାଳୟରେ କମ୍ପୁ୍ୟଟର ପାଠପଢି ଛାତ୍ରଛାତ୍ରୀମାନେ ୱିପ୍ରୋ, ମହିନ୍ଦ୍ରା ଭଳି ଆର୍ନ୍ତଜାତୀୟ ସ୍ତରର ଆଇଟି ସଂସ୍ଥାରେ ନିଯୁକ୍ତି ପାଉଥିବାବେଳେ ସରକାର କିନ୍ତୁ ଏହି ବିଭାଗଟି ପ୍ରତି ସେଭଳି ଦୃଷ୍ଟି ନଥିବା ଅଭିଯୋଗ ହେଉଛି ।