highway-lootera

ରାଜଧାନୀରେ ଲେଡି ଲୁଟେରାଙ୍କ କାର୍ନାମା

67

ଭୁବନେଶ୍ୱର,୧୨ ।୧୨(ବୁ୍ୟରୋ): ସାବଧାନ, ରାଜଧାନୀ ଲୁଟେରାମାରେ ଲୁଟ୍ ତରିକା ବଦଳାଇଛନ୍ତି । ଟଙ୍କା ଓ ସୁନା ଅଲଙ୍କାର ରାଜ ରାସ୍ତାରୁ ଝାମ୍ପି ନେବା ପରେ ଏବେ ଯୁବତୀଙ୍କୁ ଥୋପ କରି ଅପହରଣ କରୁଛନ୍ତି । ସର୍ବସ୍ୱ ଲୁଟି ନେବା ପରେ ମାଡ଼ ମାରି ନିର୍ଜନ ସ୍ଥାନରେ ଫିଙ୍ଗି ପଳାଉଛନ୍ତି । ବଡ଼ବଡ଼ିଆଙ୍କୁ ସେମାନେ ଟାର୍ଗେଟ କରୁଛନ୍ତି । କାର୍ରେ ଯାଉଥିବା ବେଳେ କେହି ଅପରିଚିତ ଯୁବତୀ ଲିଫ୍ଟ ମାଗିପାରେ, ଗାଡି ଅଟକିବା ମାତ୍ରେ ଛକି ରହିଥିବା ଦୁର୍ବୃତ୍ତ ଆପଣଙ୍କୁ ଅପହରଣ କରିବେ । ନଚେତ୍ ଆପଣଙ୍କ ଫୋନ୍କୁ ‘ମିସ୍ କଲ୍’ ଆସିପାରେ । ସେହି ନମ୍ବରକୁ କଲ୍ କରିଲେ ଜଣେ ଯୁବତୀ ରିସିଭ୍ କରିବେ, ଏହାପରେ ସମ୍ପୃକ୍ତ ଯୁବତୀ ଆପଣଙ୍କ ସହ ପ୍ରେମ ସମ୍ପର୍କ ରଖିବାକୁ ଚେଷ୍ଟା କରିବେ । ତାଙ୍କ ପ୍ରେମ ଜାଲରେ ପଡିବା ପରେ ଆପଣ ଲୁଟ୍ର ଶିକାର ହେବେ । ଗତ ୧ ମାସ ମଧ୍ୟରେ ଏହିଭଳି ଲୁଟେରା ଗ୍ୟାଙ୍ଗ୍ ୩ ଜଣଙ୍କୁ ଲୁଟ୍ପାଟ୍ କଲେଣି । ଗତ କିଛି ଦିନ ତଳେ ଏହିଭଳି ଏକ ଲୁଟେରା ଗ୍ୟାଙ୍ଗ୍କୁ ପୁଲିସ୍ ଧରିଥିବା ବେଳେ ପୁଣି ଆଉ ଏକ ଗ୍ୟାଙ୍ଗ୍ର ୪ ଜଣ ଯୁବତୀଙ୍କ ସହ ୧୧ ଜଣଙ୍କୁ ମେଞ୍ଚଶ୍ୱର ଥାନା ପୁଲିସ୍ ଆଜି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ନଗଦ ୫୧ ହଜାର ଟଙ୍କା, ୧୨ ଟି ମୋବାଇଲ୍ ଓ ୨ଟି କାର୍ ଜବତ କରିଛି । ତେବେ ଅପରାଧୀମାନେ ବ୍ୟବହାର କରିଥିବା ବନ୍ଧୁକ ଜବତ କରିବାରେ ପୁଲିସ୍ ବିଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ, କଟକ ଜିଲ୍ଲା ଚୌଦ୍ୱାରସ୍ଥିତ ଓଟିଏମ୍ ମାର୍କେଟର ଶିବ ପ୍ରସାଦ ମହାନ୍ତି ଓରଫ ବାବାଜି (୩୫), ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ସଞ୍ଜୟ ଦଳେଇ ଓରଫ ସତ୍ୟପ୍ରକାଶ (୨୮), ପୁରୀ ଜିଲ୍ଲା ପିପିଲି ଥାନା ଗୁଡିଆପୋଖରୀର ସଞ୍ଜୟ ମଲ୍ଲିକ ଓରଫ ଶୁଭ (୨୧), ପିପିଲି ଅଞ୍ଚଳର ପ୍ରଶାନ୍ତ କୁମାର ସାହୁ ଓରଫ ବାପି (୨୯), ଭଦ୍ରକ ଚାନ୍ଦବାଲିର ଅବଦୁଲ କାଦିର୍ ଓରଫ କୁର୍ର (୩୨), ପଶ୍ଚିମବଙ୍ଗ କୁଚବିହାର ରଫି କୁଲ୍ (୩୯), ଜଟଣୀ ରାମଚନ୍ଦ୍ରପୁରର ଏମ୍ଡି ସାହାବାଜ ଅବଦୁଲ୍ଲା ଓରଫ ଜାଦୁ (୨୬), ଏବଂ ଯୁବତୀମାନେ ହେଲେ ପଶ୍ଚିମବଙ୍ଗ ମେତିଆବୁଜର ସାନିଆ ଦେ (୨୫), ଯାଦବପୁରର ଅର୍ପିତା ରୟ (୨୫), ଦୁର୍ଗାଚରଣ ମିତ୍ର ଷ୍ଟ୍ରି ଅଞ୍ଚଳର ପିକି ରୟ (୨୩) ଓ କଟକ ନିଆଳି ଥାନା ଅନ୍ତର୍ଗତ ନୂଆଗାଁର ସାନିଆ ବାରିକ ଓରଫ ଟିକି (୨୦) । ଗିରଫ ସମସ୍ତ ଅଭିଯୁକ୍ତ ଇନ୍ଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାରରେ ଘର ଭଡା ନେଇ ରହୁଥିଲେ । ପୁଲିସ୍ ସୂତ୍ରରୁ ପ୍ରକାଶ, ଗତ ଗୁରୁବାର ରାତି ପ୍ରାୟ ୯ଟାରେ ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ପ୍ରଦୀପ୍ତ ପ୍ରଧାନ କାର୍ ଯୋଗେ ଗାଁରୁ ପଟିଆ ସ୍ଥିତ ଘରକୁ ଆସୁଥିଲେ । ରସୁଲଗଡରୁ ସେ ଭିଏସ୍ଏସ୍ ନଗର ରାସ୍ତାରେ ପଟିଆ ଯାଉଥିଲେ । ଭିଏସ୍ଏସ୍ନଗର ମାର୍କେଟ ଅତିକ୍ରମ କରିବା ପରେ ୨ ଜଣ ଯୁବତୀ ତାଙ୍କୁ ଲିଫ୍ଟ ମାଗିଥିଲେ । ସେ ଗାଡି ଅଟକାଇବା ମାତ୍ରେ ତାଙ୍କ ପଛରେ ଏକ ୱାଗନର୍ କାର୍ ଅଟକି ଥିଲା । ହଠାତ୍ ଗାଡିରୁ ୪/୫ ଜଣ ଯୁବକ ଗାଡିରୁ ବାହାରି ପଡିଥିଲେ । ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରଦୀପ୍ତଙ୍କୁ ଅପହରଣ କରିନେଇଥିଲେ । ନେବା ବାଟରେ ତାଙ୍କ ନିକଟରୁ ନଗଦ ୧୩ ହଜାର ଟଙ୍କା ଓ ଏଟିଏମ୍ କାର୍ଡ ନେଇଯାଇଥିଲେ । ପୁରୀ ବାଇପାସ୍ ରୋଡ ନିର୍ଜନ ସ୍ଥାନରେ ପ୍ରଦୀପ୍ତଙ୍କୁ ଛାଡିବା ପରେ ତାଙ୍କ ଏଟିଏମ୍ରୁ ଅଭିଯୁକ୍ତମାନେ ୪୦ ହଜାର ଟଙ୍କା ଉଠାଇନେଇଥିଲେ । ପ୍ରଦୀପ୍ତ ସେଠାରୁ ଚାଲିଚାଲି ଆସି ମେଞ୍ଚଶ୍ୱର ଥାନାରେ ପହଞ୍ଚି ଥିଲେ । ତାଙ୍କ ଅଭିଯୋଗ ପରେ ପୁଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।




Powered by odothemes.com