naveen

ମୋ ସରକାର ଶସ୍ତା ରାଜନୀତି କରେନା

24

ଭୁବନେଶ୍ୱର, ୮ ।୧୨(ବୁ୍ୟରୋ): ବିଜେଡି ସରକାର ସଂକୀର୍ଣ୍ଣ ରାଜନୀତି ନୁହେଁ ବଂର କଠିନ ପରିଶ୍ରମରେ ବିଶ୍ୱାସ କରେ । ଲୋକଙ୍କ ଭୂଆଁ ବୁଲାଇବା ପାଇଁ ନାଟକବାଜି ସରକାର କରନ୍ତି ନାହିଁ । ସରକାର ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରନ୍ତି ବୋଲି ରାଜ୍ୟର ୪କୋଟି ଲୋକଙ୍କ ବିଶ୍ୱାସଭାଜନ ହୋଇଛନ୍ତି ଓ ସେଥିପାଇଁ ଲଗାତର ୪ଥର ଭାବେ ସେମାନେ ବିଜେଡିକୁ ଆଶୀର୍ବାଦ କରିଛନ୍ତି ବୋଲି ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନାରେ ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ନକ୍ସଲ ହିଂସା କମିଛି ଓ ଆଇନ୍ଶୃଙ୍ଖଳା ନିୟନ୍ତ୍ରଣାଧୀନ ରହିଛି । କୌଣସି ସାଂପ୍ରଦାୟିକ ଦଙ୍ଗା ହୋଇନି । ରେଳ, ରାସ୍ତାରୋକକୁ ପ୍ରତିହିତ କରିବା ଲାଗି ଷ୍ଟାଣ୍ଡାର୍ଡ଼ ଅପରେଟିଙ୍ଗ୍ ପ୍ରୋସିଜିୟର୍ (ଏସ୍ଓପି) ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି । ଅପରପକ୍ଷରେ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ପଚାରିଥିବା ପ୍ରଶ୍ନର ଉତ୍ତର ନପାଇବାରୁ ସେମାନେ ପ୍ରତିବାଦରେ କକ୍ଷତ୍ୟାଗ କରିଛନ୍ତି । ଗୃହ ବିଭାଗର ୧୩୧ କୋଟି ୬୩ ଲକ୍ଷ ଓ ସାଧାରଣ ପ୍ରଶାସନ ବିଭାଗର ୩କୋଟି ୮୭ ଲକ୍ଷ ଟଙ୍କାର ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ନବରଙ୍ଗପୁର, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଓ ନୟାଗଡ଼ ଜିଲ୍ଲାରେ ନକ୍ସଲ ହିଂସା କମିଛି । ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ୨୦୧୫ ସେପ୍ଟମ୍ବର ସୁଦ୍ଧା ଯଥାକ୍ରମେ ୩୪୬ଟି ନକ୍ସଲ ହିଂସାକାଣ୍ଡରେ ୭୫ ଜଣ ସାଧାରଣ ଲୋକ ଓ ପୁଲିସ୍ ଏବଂ ୧୭୦ଟି ଘଟଣାରରେ ୨୩ ଜଣଙ୍କର ପ୍ରାଣ ହାନି ଘଟିଛି । ତେବେ ଏହି ସମୟ ମଧ୍ୟରେ ଓଡ଼ିଶାରେ ୫୧ଟି ନକ୍ସଲ ହିଂସାକାଣ୍ଡରେ ୧୮ ଜଣଙ୍କର ପ୍ରାଣହାନି ହୋଇଛି । ଚଳିତବର୍ଷ ୬୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ମାଲକାନାଗିରି ଜିଲ୍ଲାର ୧୦୩୪ ଜଣ ଗ୍ରାମବାସୀଙ୍କ ସମେତ ବହୁ ନକ୍ସଲ ସଙ୍ଗଠନର କର୍ମକର୍ତ୍ତା ଆତ୍ମସମର୍ପଣ କରିଛନ୍ତି । ଏହି ଅଞ୍ଚଳଗୁଡ଼ିକରେ ସରକାର କରୁଥିବା ବିକାଶ କାର୍ଯ୍ୟକ୍ରମ ଯୋଗୁ ସ୍ଥାନୀୟ ବାସିନ୍ଦାମାନେ ନକ୍ସଲଙ୍କୁ ସମର୍ଥନ କରୁ ନାହାଁନ୍ତି । ମାତ୍ର ଉପଦ୍ରୁତ ଅଞ୍ଚଳରେ ପୁଲିସ୍ ଅପରେସନ୍କୁ ଶକ୍ତିଶଳୀ କରିବା ଓ ଭିତ୍ତିଭୂମି ବିକାଶକୁ ସରକାର ଗୁରୁତ୍ୱ ଦେଉଛନ୍ତି । ରାଜ୍ୟ ପୁଲିସ୍ ବାହାନୀକୁ ଶକ୍ତିଶାଳୀ କରିବା ପାଇଁ ବିଭିନ୍ନ ପାହ୍ୟାରେ ୧୫୭୨ ପଦବୀ ସୃଷ୍ଟି କରାଯାଇଛି । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ୧୦୦୨ଟି ସବ୍ଇନ୍ସିପେକ୍ଟର, ୮୪ ଡ଼େପୁଟି ସୁବେଦାର୍, ୫୭ ସର୍ଜେଣ୍ଟ ପଦବୀରେ ନିଯୁକ୍ତି ପାଇଁ ପ୍ରକିୟା ଆରମ୍ଭ କରିଛନ୍ତି । ଅପରାଧ ମାମଲାଗୁଡ଼ିକର ଫଇସଲା ହାର ବୃଦ୍ଧି ପାଇଛି ଓ ଦୋଷୀକୁ ଦଣ୍ଡବିଧାନ କରାଯାଉଛି । ଠିକ୍ଭାବେ ତଦନ୍ତ କରୁନଥିବା ଅଧିକାରୀଙ୍କୁ ଉତ୍ତରଦାୟୀ କରାଯାଉଛି । ଅପରାଧ ନିୟନ୍ତ୍ରଣ ଓ ଅପରାଧୀକୁ ଧରିବା ପାଇଁ ବୈଷୟିକ ଜ୍ଞାନ କୌଶଳର ଉପଯୋଗକୁ ଗୁରୁତ୍ୱ ଦିଆଯାଉଛି । କ୍ରାଇମ୍ ଆଣ୍ଡ୍ କ୍ରିମିନାଲ୍ ଟ୍ରାକିଂ ନେଟ୍ୱାର୍କ ସିଷ୍ଟମ୍ (ସିସିଟିଏନ୍ଏସ୍) ପ୍ରକଳ୍ପରେ ସମସ୍ତ ଥାନା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସଂଯୋଗ କରାଯାଇଛି । ଏହାଛଡ଼ା ଇ-କୋର୍ଟ, ଇ-ଜେଲ୍ ଓ ଇ-ପ୍ରୋସିକୁ୍ୟସନ୍ ମଧ୍ୟ ଏହି ପ୍ରକଳ୍ପ ଅଧୀନରେ ଆଣିବା ଲାଗି ଯୋଜନା କରାଯାଉଛି । ପାସ୍ପୋର୍ଟ ଯାଞ୍ଚକୁ ଅନ୍ଲାଇନ୍ କରାଯାଇଥିବାରୁ ଏଥିରେ ଆଉ ବିଳମ୍ବ ହେଉନାହିଁ । ଉପକୂଳ ସୁରକ୍ଷା ଲାଗି ୧୮ଟି ଉପକୂଳ ଥାନା ପ୍ରତିଷ୍ଠା କରାଯାଇ କାର୍ଯ୍ୟକ୍ଷମ କରାଯାଇଛି । ୨୬୧ ବ୍ଲକ୍ରେ ୨୮୨ଟି ଦମକଳ କେନ୍ଦ୍ର ସ୍ଥାପନ ହୋଇଛି । ୨୦୧୩ରୁ ସରକାର ଖାଲିପଡ଼ିଥିବା ପଦବୀ ପୂରଣ ଦିଗରେ ଗୁରୁତ୍ୱ ଦେଉଛନ୍ତି ଓ ବର୍ତ୍ତମାନ ସୁଦ୍ଧା ୨୧୨୦୧ ପଦବୀ ପୂରଣ ହୋଇଛି । ନୂଆ ନିଯୁକ୍ତି ପାଉଥିବା ଲୋକଙ୍କୁ କେବିକେରେ ଖାଲିଥିିବା ପଦବୀରେ ନିଯୁକ୍ତି ଦିଆଯାଉଛି । ଦୁର୍ନୀତି ବିରୋଧରେ ସରକାର ଲଢ଼େଇ ଜାରି ରଖିଛନ୍ତି । ୨୦୧୪ ଏପ୍ରିଲ୍ ପହିଲାରୁ ନଭେମ୍ବର ୩୦ ସୁଦ୍ଧା ଭିଜିଲାନ୍ସ ବିଭାଗ ୮୨୩ଟି ଅପରାଧ ମାମଲା ପଞ୍ଜିକୃତ କରିଛି । ସେଥିମଧ୍ୟରୁ ପ୍ରଥମ ଶ୍ରେଣୀ ପାହ୍ୟାର ୧୪୧ ଜଣ ଅଧିକାରୀ ଅଛନ୍ତି । ବ୍ୟବସ୍ଥାର ବିକାଶରେ ଆମ ସରକାର ବିଶ୍ୱାସ କରେ । ୨୩ଟି ବିଭାଗର ୩୨୪ଟି ସେବାକୁ ଓଡ଼ିଶା ସେବା ଅଧିକାର ଆଇନ୍ର ଅନ୍ତର୍ଭୁକ୍ତ କରାଯାଇଛି । ଏହାଛଡ଼ା ପ୍ରତି ମଙ୍ଗଳବାର ଜିଲ୍ଲା ହେଡ୍କ୍ୱାର୍ଟରରେ ଜିଲ୍ଲାପାଳ ଓ ଏସ୍ପିମାନେ ମିଳିତ ଭାବେ ଅଭିଯୋଗ ଶୁଣାଣି କରୁଛନ୍ତି । ସୋମବାରକୁ କୌଣସି ବୈଠକର ଦିନ କରାନଯାଇ ଅଭିଯୋଗ ଶୁଣାଣିର ଦିନ ଭାବେ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।




Powered by odothemes.com