ରାମଚନ୍ଦ୍ରନର ପଲିଗ୍ରାଫ୍ ଟେଷ୍ଟ | ସର୍ବସାଧାରଣ ଖବରକାଗଜ

ରାମଚନ୍ଦ୍ରନର ପଲିଗ୍ରାଫ୍ ଟେଷ୍ଟ

28

ଭୁବନେଶ୍ୱର,୭ ।୧୨(ବୁ୍ୟରୋ): ପୁରୀ ଟ୍ରେନ୍ପୋଡ଼ି ମାମଲାରେ ଗିରଫ ଏକମାତ୍ର ଅଭିଯୁକ୍ତ ରାମଚନ୍ଦ୍ରନ ସୁବାଷକୁ ଆଜି ସରକାରୀ ରେଳବାଇ ପୁଲିସ୍ (ଜିଆର୍ପି) କଡ଼ା ସୁରକ୍ଷାରେ ଆଣି ରାଜ୍ୟ ଫୋରେନ୍ସିକ୍ ସାଇନ୍ସ୍ ଲାବୋରେଟୋରୀରେ ପଲିଗ୍ରାଫ୍ ପରୀକ୍ଷା କରାଇଛନ୍ତି । ପୂର୍ବାହ୍ନ ସାଢ଼େ ୧୦ଟାରୁ ଅପରାହ୍ନ ସାଢ଼େ ୫ଟା ପର୍ଯ୍ୟନ୍ତ ତଦନ୍ତକାରୀ ଅଫିସରମାନେ ତାକୁ ତାମିଲ ଓ ହିନ୍ଦୀରେ ଗୋଟିଗୋଟି କରି ୮୯ଟି ପ୍ରଶ୍ନ କରିଥିଲେ । ପରିଚୟ ଗୋପନ ରଖିବା ସର୍ତ୍ତରେ ଜଣେ ଅଫିସର କହିଛନ୍ତି ଯେ ହରଦ୍ୱାର, ଗୟା, ଖଡ଼ଗପୁର ଓ ପୁରୀ ଷ୍ଟେସନରେ ସଂଘଟିତ ଟ୍ରେନ୍ ପୋଡ଼ିରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ହାତ ଥିବାର ଆପାତତଃ ପ୍ରମାଣ ମିଳିଥିବାରୁ ସେହି ଆତଙ୍କବାଦୀ ଗୋଷ୍ଠୀଙ୍କ ସମ୍ପର୍କରେ ତା’ ମୁହଁରୁ ସତ ବାହାର କରିବା ପାଇଁ ବିଭିନ୍ନ ପ୍ରଶ୍ନ କରାଯାଇଥିଲା । ସେମାନଙ୍କ ସହିତ ରାମଚନ୍ଦ୍ରନ୍ର କେମିତି ସମ୍ପର୍କ ହେଲା, ତା’ ଆକାଉଣ୍ଟକୁ ଟଙ୍କା ପଠାଉଥିବା ବ୍ୟକ୍ତିମାନେ କିଏ, ରାମଚନ୍ଦ୍ରନ୍କୁ ସେମାନେ ଅନ୍ୟ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରିଛନ୍ତି କି ନାହିଁ, ସେ ଜମ୍ମୁ-କାଶ୍ମୀର ଯାଇ କେଉଁମାନଙ୍କୁ ଭେଟିଥିଲା-ଇତ୍ୟାଦି ପ୍ରଶ୍ନକୁ ତାକୁ ଗୁଡ଼େଇତୁଡ଼େଇ ପଚରାଯାଇଥିଲା । ସେ ଦେଇଥିବା ପର୍ଯ୍ୟାୟବ୍ୟାପୀ ଉତ୍ତରକୁ ବିଶ୍ଳେଷଣ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ତ୍ୱରାନ୍ୱିତ କରାଯିବ । ଘଟଣାର ତଦନ୍ତ କରୁଥିବା ଜିଆର୍ପି, ରାଜ୍ୟ ଗୁଇନ୍ଦା ବୁ୍ୟରୋ ଓ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (ଏନ୍ଆଇଏ)ର ଅଧିକାରୀମାନେ ପଲିଗ୍ରାଫ୍ ପରୀକ୍ଷା ବେଳେ ଉପସ୍ଥିତ ରହିଥିଲେ । ଚତୁର୍ଥଥର ପାଇଁ ୬ ଦିନ ରିମାଣ୍ଡରେ ଆସିଥବବା ରାମଚନ୍ଦ୍ରନ୍କୁ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (ଏନ୍ଆଇଏ) ଏସ୍ପି ପ୍ରଶାନ୍ତ କୁମାରଙ୍କ ନେତୃତ୍ୱରେ ଆସିଥିବା ଟିମ୍ ତାକୁ ରିମାଣ୍ଡ ମିଆଦ ଶେଷ ପର୍ଯ୍ୟନ୍ତ ଜେରା କରିବେ । ଆବଶ୍ୟକ ହେଲେ ତାକୁ ପୁଣି ରିମାଣ୍ଡରେ ଅଣାଯାଇପାରେ ବୋଲି ଅଫିସର ଜଣକ କହିଛନ୍ତି ।




Powered by odothemes.com