nayapally-gandhi-marcket-stita-khola-building-basti-re-agnikanda-ku-damakala-bahini-ayata-karibaku-chest-karuchanti,-athire-25-bakhara-ghare-nian-lagichi----(2)

ଇନ୍ଦ୍ରଧନୁ ମାର୍କେଟ ବସ୍ତିରେ ଅଗ୍ନିକାଣ୍ଡ, ୨୫ ବଖରା ପାଉଁଶ

28

ଭୁବନେଶ୍ୱର,୩୦ା୧୧(ବୁ୍ୟରୋ): ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ ନିକଟ ଖୋଲା ବିଲ୍ଡିଂ ବସ୍ତିରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଛି । ମାତ୍ର ୧ ଘଣ୍ଟା ମଧ୍ୟରେ ୨୫ ବଖରା ଘର ପୋଡି ଯାଇଛି । ୨୫ ପରିବାରର ପ୍ରାୟ ୨୦୦ ଲୋକ ସର୍ବସ୍ୱାନ୍ତ ହୋଇଛନ୍ତି । ପିନ୍ଧିବାକୁ କପଡା ଖଣ୍ଡେ ନାହିଁ କିମ୍ବା ପାଣି ପିଇବାକୁ ଗ୍ଲାସ୍ ବି ନାହିଁ । ୨୦ ବର୍ଷ ଧରି ପେଟକୁ ନଖାଇ ଭବିଷ୍ୟତ ପାଇଁ ସଞ୍ଚିତ ସମସ୍ତ ଅର୍ଥ ଓ ଆସବାବପତ୍ର ନିଆଁରେ ଜଳିଯାଇଛି । ଖବରପାଇ ଦମକଳବାହିନୀର ୩ଟି ଗାଡି ପହଞ୍ଚି ପ୍ରାୟ ୪୫ ମିନିଟ୍ ଧରି ଅକ୍ଳାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ କରିଥିଲେ ମଧ୍ୟ ସବୁ କିଛି ଜଳି ଯାଇଥିଲା । ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ସେଠାରେ ପହଞ୍ଚି ବିପନ୍ନଙ୍କୁ ସମସ୍ତ ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କର୍ମଚାରୀମାନେ ପହଞ୍ଚି ବାସହରାଙ୍କୁ ଖାଦ୍ୟ ପାନୀୟ ଯୋଗାଇଦେଇଛନ୍ତି । ଏଥିସହ ସମସ୍ତ ପରିବାରଙ୍କୁ ପଲିଥିନ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଚୁଲି ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ବୋଲି ଆଗ୍ନିକ ଟିକେ ବାବୁ କହିଛନ୍ତି ।
ବିଏମ୍ସି ୱାର୍ଡ ନମ୍ବର- ୨୭ ସ୍ଥିତ ଖୋଲା ବିଲ୍ଡିଂ ବସ୍ତିରେ ରହୁଥିବା ଅଧିକାଂଶ ଲୋକ ଶ୍ରମିକ କାର୍ଯ୍ୟ କରି ପରିବାର ପୋଷଣ କରିଥାନ୍ତି । ସବୁ ଦିନ ଭଳି ଆଜି ସକାଳୁ ପ୍ରାୟ ସବୁ ଲୋକ କାର୍ଯ୍ୟ କରିବାକୁ ଯାଇଥିଲେ । ସମୟ ପ୍ରାୟ ୧୧ଟା ୪୫ ମିନିଟ୍ । ହଠାତ୍ ବସ୍ତିରେ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ନିଆଁ ବ୍ୟାପି ଯାଇଥିଲା । ସ୍ଥାନୀୟ ଦୋକାନୀ ଓ ପୂର୍ବତନ କର୍ପୋରେଟର ଶୁଭ୍ରାଶୁଂ ପଟ୍ଟନାୟକଙ୍କ ସମେତ ଶତାଧିକ ଲୋକ ନିଆଁକୁ ଆୟତ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ଆଗ୍ନିକମାନେ ପହଞ୍ଚିବା ପରେ ନିଆଁକୁ ଆୟତ କରିଥିଲେ । ଆଗ୍ନିକ ଟିକେ ବାବୁଙ୍କ କହିବାଅନୁଯାୟୀ, ଘର ଗୁଡିକ ମଧ୍ୟରୁ ଅଧିକାଂଶ ପଲିଥିନ୍ ଓ ଟାୟାରରେ ତିଆରି ହୋଇଥିବାରୁ ନିଆଁ ହଠାତ୍ ବ୍ୟାପି ଯାଇଥିଲା । ନିୟନ୍ତ୍ରଣ କରିବା କଷ୍ଟକର ହୋଇଥିଲା ।




Powered by odothemes.com