Puri-parjyalochan

ରେକର୍ଡ ଦାଖଲ ନକରି ଚାକିରି ଛାଡ଼ିଥିବା ଜେଇଙ୍କ ନାଁରେ ହେବ ଏତଲା

24

ପୁରୀ (ଆପ୍ର): ସ୍କୁଲକୁ ଯୋଗାଇ ଦିଆଯାଇଥିବା କମ୍ପୁ୍ୟଟର କାମ ନକରିବା, ଛାତ୍ରଛାତ୍ରୀଙ୍କୁ ସ୍କୁଲ୍କୁ ଫେରାଇ ଆଣିପାଇଁ କାର୍ଯ୍ୟକାରୀ ହେଉଥିବା ମୋବିଲାଇଜେସନ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆନଯିବା ଓ ସ୍କୁଲଗୃହ ନିର୍ମାଣ କାର୍ଯ୍ୟ ପାଇଁ କନିଷ୍ଠ ଯନ୍ତ୍ରୀଙ୍କ ଉକ୍ରୋଚ ଦାବି ପ୍ରସଙ୍ଗକୁ ନେଇ ସର୍ବଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଓ ମଧ୍ୟାହ୍ନଭୋଜନ ଯୋଜନାର ଜିଲ୍ଲାସ୍ତରୀୟ ପର୍ଯ୍ୟାଲୋଚନା କମିଟି ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ମହେଶ୍ୱର ମହାନ୍ତି, ଜିଲ୍ଲାପରିଷଦ ସଭାପତି ଦିବାକର ପାତ୍ର, ଉପସଭାନେତ୍ରୀ ସଖୀମଣି ବରାଳ, ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ ଓ ଜିଲ୍ଲା ଶିକ୍ଷାଧିକାରୀ ସଲିଳା ସେଠୀ, ଜିଲ୍ଲାପରିଷଦ ସଭ୍ୟ, ସଭ୍ୟା ଓ ବ୍ଲକ ଶିକ୍ଷାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ୮୫ଟି ସ୍କୁଲକୁ କମ୍ପୁ୍ୟଟର ଯୋଗାଇ ଦିଆଯାଇଥିବା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିିକା ବୈଠକରେ ସୂଚନା ଦେଇଥିଲେ । ତେବେ ସେଥିରୁ ୩୫ଟି ସ୍କୁଲରେ କମ୍ପୁ୍ୟଟର କାମ କରୁନଥିବା ଅଭିଯୋଗ ହୋଇଥିଲା । ବହୁ ଶିକ୍ଷକଙ୍କର କମ୍ପୁ୍ୟଟର ସମ୍ପର୍କରେ ଜ୍ଞାନ ନଥିବା ଜିଲ୍ଲା ପରିଷଦର ସଦସ୍ୟମାନେ ଅଭିଯୋଗ ଉଠାଇଥିଲେ । କୌଣସି ସ୍କୁଲରେ କମ୍ପୁ୍ୟଟର କାର୍ଯ୍ୟ କରୁନଥିବା ଅଭିଯୋଗ ଉଠିବାରୁ ଜିଲ୍ଲାପାଳ କହିଥିଲେ ଯେ ୧୫ଦିନ ପୂର୍ବରୁ ପ୍ରତ୍ୟେକ ସ୍କୁଲରେ କମ୍ପୁ୍ୟଟର ଠିକ୍ ଅଛି ବୋଲି ସାର୍ଟିଫିକେଟ ମିଳିବା ପରେ ଯୋଗାଣକାରୀ ସଂସ୍ଥାର ଦେୟ ବାବଦ ବିଲ୍ର ୭୦ ପ୍ରତିଶତ ଅର୍ଥ ଦେବାକୁ ନିର୍ଦ୍ଧେଶ ଦିଆଯାଇଛି । ତେଣୁ କେଉଁ ସ୍କୁଲରେ କମ୍ପୁ୍ୟଟର କାର୍ଯ୍ୟ କରୁନାହିଁ ବ୍ଲକ ଶିକ୍ଷାଧିକାରୀମାନେ ଅନୁସନ୍ଧାନ କରି ତୁରନ୍ତ ରିପୋର୍ଟ ଦିଅନ୍ତୁ । ଏଥିପାଇ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୦ବର୍ଷର ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ଦିଆଯାଉଛି । କିନ୍ତୁ ୧୦ବର୍ଷରୁ ଊଦ୍ଧ୍ୱର୍ ଛାତ୍ରୀଙ୍କୁ ଏହି ଶିକ୍ଷା ଦିଆଗଲେ ଆତ୍ମରକ୍ଷା କୌଶଳ ଅଧିକ ଲୋକାଭିମୁଖୀହେବ । ଏଥିପାଇଁ ବ୍ଲକସ୍ତରରେ ତାଲିମ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସ୍କୁଲକୁ ଆସୁନଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ମୋବିଲାଇଜେସନ୍ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉ ନଥିବା ଅଭିଯୋଗ ହୋଇଥିଲା । ଶିକ୍ଷକ, ଶକ୍ଷୟିତ୍ରୀ, ସିଆରସିସିମାନେ ମୋବିଲାଇଜେସନ୍ କାର୍ଯ୍ୟକ୍ରମକୁ ଠିକ୍ଭାବେ କାର୍ଯ୍ୟକାରୀ କରିବା ଏବଂ ବ୍ଲକ ଶିକ୍ଷାଧିକାରୀମାନେ ତାକୁ ନିୟମିତ ସମୀକ୍ଷା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ । ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଜାଲିଆତି କରାଯାଉଥିବା ଅଭିଯୋଗ ହୋଇଥିଲା । ସ୍କୁଲକୁ ଆସିନଥିବା ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଦର୍ଶାଇ ମଧ୍ୟାହ୍ନ ଭୋଜନ ଉଠାଇ ନିଆଯାଉଥିବାରୁ ଆସନ୍ତା ଜାନୁୟାରୀ ମାସରୁ ଉପସ୍ଥାନରେ ସିରିଏଲ୍ କାର୍ଯ୍ୟକାରୀ କରିବାକୁ ସ୍ଥିର ହୋଇଛି । ସ୍କୁଲଗୃହ ନିର୍ମାଣ ଲାଗି କନିଷ୍ଠ ଯନ୍ତ୍ରୀମାନେ ୧୦ ପ୍ରତିଶତ ଅର୍ଥ ଦାବି କରୁଥିବା ଅଭିଯୋଗ ହେବାରୁ ନିର୍ଦ୍ଧିଷ୍ଟ ଅଭିଯୋଗ ମିଳିଲେ ସଂପୃକ୍ତ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ପିପିଲି ବ୍ଳକପାଇଁ କାର୍ଯ୍ୟକରୁଥିବା ଜେଇ ସଞ୍ଜୟ ପଣ୍ଡା ପ୍ରାୟ ୨ବର୍ଷ ହେବ ଚାକିରି ଛାଡ଼ିଲେଣି । ସେ କୌଣସି କେସ୍ ରେକର୍ଡ, ଏଷ୍ଟିମେଟ ଓ ଅନ୍ୟ ଆନୁସଙ୍ଗିକ କାଗଜପତ୍ର ହସ୍ତାନ୍ତର ନକରିଥିବାରୁ ଏହି ସମସ୍ୟା ଉପୁଜିଛି ବୋଲି ପ୍ରକଳ୍ପ ସଂଯୋଜିକା କହିଥିଲେ । ଏଭଳି ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଜିଲ୍ଲାପାଳ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାହିଁକି ଏଫ୍ଆଇଆର ଦିଆଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ । ତୁରନ୍ତ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା ରୁଜୁ କରିବା ସହ ଯେଉଁସବୁ କାର୍ଯ୍ୟ ହୋଇଛି ତାହାର ଡୁପ୍ଲିକେଟ ରେକର୍ଡ ପ୍ରସ୍ତୁତ କରି ଯଥାଶୀଘ୍ର ହିତାଧିକାରୀମାନଙ୍କୁ ଅର୍ଥ ପ୍ରଦାନ ବ୍ୟବସ୍ଥା କରିବାକୁ ନିର୍ଦ୍ଧେଶ ଦେଇଥିଲେ ।




Powered by odothemes.com