ଦକ୍ଷିଣ କେନାଲ ନିର୍ମାଣ ଶୀଘ୍ର ସାର: ମୁଖ୍ୟମନ୍ତ୍ରୀ

Chief-Minister-Shri-Naveen-Patnaik-reviewing-on-Rengali-Right-Bank-at-Secretariat

ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ରେଙ୍ଗାଲି ଜଳସେଚନ ପ୍ରକଳ୍ପର ଦକ୍ଷିଣ ପାଶ୍ୱର୍ କେନାଲ ନିର୍ମାଣ ପ୍ରକ୍ରିୟାର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ଏହାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ପ୍ରକଳ୍ପ ପାଇଁ ଆବଶ୍ୟକ କର୍ମଚାରୀ ନିଯୁକ୍ତି, ଜମିଅଧିଗ୍ରହଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ତୁରନ୍ତ କରାଯାଇ ପ୍ରକଳ୍ପକୁ ଆଗେଇ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ବୈଠକରେ ସୂଚନା ଦିଆଯାଇଥିଲା ଯେ ପ୍ରଥମ ପର୍ଯ୍ୟାୟରେ ରେଙ୍ଗାଲି ଦକ୍ଷିଣପାଶ୍ୱର୍ କେନାଲ ୭୯ କିଲୋମିଟର ପର୍ଯ୍ୟନ୍ତ ନିର୍ମାଣ ସଂପୂର୍ଣର୍ ହୋଇଛି । ଏଥିରେ ଗଁନ୍ଦିଆ ପ୍ରଣାଳୀରେ ୧୧,୧୮୬ ହେକ୍ଟର ଏବଂ ବେଗା, ସଦାଶିବପୁର ଓ କାଟେଣି ଆଦି ଅନ୍ୟାନ୍ୟ ପ୍ରଣାଳୀରେ ୯୪୧୪ ହେକ୍ଟର ଜମି ଜଳସେଚିତ ହେବାର ଲକ୍ଷ୍ୟ ରହିଛି । ବର୍ତ୍ତମାନ ସୁଦ୍ଧା ୪୦୧୫ ହେକ୍ଟର ଜମି ଜଳସେଚିତ ହୋଇଛି ଏବଂ ୨୦୧୬ ଜାନୁଆରୀ ସୁଦ୍ଧା ଆଉ ୬୧୦୦ ହେକ୍ଟର ଜମି ଜଳସେଚିତ ହେବ । ଏହାଛଡ଼ା ବାକି ୯ ହଜାର ହେକ୍ଟର ୨୦୧୬ ସୁଦ୍ଧା ସଂପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟ କେନାଲର ଦୈର୍ଘ୍ୟ ୭୯ କିଲୋମିଟରରୁ ୯୫ କିମି. ପର୍ଯ୍ୟନ୍ତ (୧୬ କିମି) ନିର୍ମାଣ ଚାଲିଛି । ଏଥିରୁ ୩ କିମି. ସଂପୂର୍ଣ୍ଣ ହୋଇଛି ଏବଂ ବାକି ୧୩ କିମି. କେନାଲ ନିର୍ମାଣ ଜାରି ରହିଛି । ଏହାଦ୍ୱାରା ନରସିଂହପୁର ଓ ଆଠଗଡ଼ କେନାଲ ପ୍ରଣାଳୀରେ ୧୫୬୫୪ ହେକ୍ଟର ଜମି ଜଳସେଚିତ ହେବାର ଲକ୍ଷ୍ୟ ଥିବାବେଳେ ଦର୍ପଣୀ କେନାଲ ସିଷ୍ଟମରେ ୪୮୧୪୬ ହେକ୍ଟର ଜମି ଜଳସେଚିତ କରାଯିବ । ଦର୍ପଣୀ କେନାଲ ସିଷ୍ଟମର ନିର୍ମାଣ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ବୈଠକରୁ ଜଣାଯାଇଥିଲା । ବୈଠକରୁ ଆଲୋଚନାରୁ ଜଣାଯାଇଛି ଯେ ଦକ୍ଷିଣପାଶ୍ୱର୍ କେନାଲ ବ୍ୟବସ୍ଥା ୧୯୯୬-୯୭ରେ ଆରମ୍ଭ କରାଯାଇଥିଲା । ଏହାଦ୍ୱାରା ଅନୁଗୁଳ, ଢେଙ୍କାନାଳ, କଟକ ଓ ଯାଜପୁର ଜିଲ୍ଲାରେ ଜଳସେଚନର ବ୍ୟବସ୍ଥା ପାଇଁ ଲକ୍ଷ୍ୟ ରହିଛି । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ୧୯୯୬-୯୭ରେ ୨୦୬୦୦ ହେକ୍ଟର ଜମିରେ ଜଳସେଚନ ପାଇଁ ଆରମ୍ଭ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ୨୦୦୮-୦୯ରେ ୬୩୮୦୬ ହେକ୍ଟର ଜମିରେ ଜଳସେଚନ ପାଇଁ କାମ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହାର ବଜେଟ୍ ଅଟକଳ ପ୍ରାୟ ୨୦୦୦ କୋଟି ରହିଛି । ଏହି ବୈଠକରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ବିଭାଗ ପ୍ରମୁଖ ସଚିିବ ଏବଂ ଜଳସଂପଦ ବିଭାଗ ପ୍ରମୁଖ ସଚିବ ଉପସ୍ଥିତ ଥିଲେ ।