ନାଟକବାଜି ଧରାପଡ଼ିଲା

47

ବାଲେଶ୍ୱର(ଆପ୍ର): ବାଲେଶ୍ୱର ଷ୍ଟେସନଛକ ସ୍ଥିତ ଜନଗହଳିପୂର୍ଣ୍ଣ ‘ଷ୍ଟେସନ କ୍ଲବ’ ଗଳିର ଜନସେବା କେନ୍ଦ୍ରରୁ କର୍ମଚାରୀଙ୍କୁ ଅଚେତ କରାଇ ସାଢ଼େ୪ ଲକ୍ଷ ଟଙ୍କା ଲୁଟ୍ ନାଟକର ଯବନିକା ପକାଇଛି ସହଦେବଖୁଣ୍ଟା ପୁଲିସ । ନାଟକର ମୁଖ୍ୟ ନାୟକ ତଥା ଜନସେବା କେନ୍ଦ୍ରରେ ୮ ବର୍ଷ ଧରି କାର୍ଯ୍ୟରତ କର୍ମଚାରୀ ମାନସିଂବଜାର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ପୁତ୍ର ସପନ କୁମାର ରାଉତ (୨୪)ଙ୍କୁ ପୁଲିସ ଗିରଫ କରିଛି । ତାଙ୍କଠାରୁ ୪ ଲକ୍ଷ ୧୯ ହଜାର ଟଙ୍କା ଜବତ ହୋଇଥିବା ବାଲେଶ୍ୱର ଏସ୍ପି ନୀତି ଶେଖର ସୂଚନା ଦେଇଛନ୍ତି । ପୁଲିସ୍ ସୂଚନା ଅନୁଯାୟୀ, ଟଙ୍କା ଆତ୍ମସାତ କରିବା ପାଇଁ ଅଭିଯୁକ୍ତ ସପନ ଏଭଳି ନାଟକ ରଚିଥିଲେ । ଦ୍ୱିପ୍ରହର ବେଳେ କେନ୍ଦ୍ରରୁ ନେଇଥିବା ସାଢ଼େ ୪ ଲକ୍ଷ ଟଙ୍କାକୁ ଏକ ସୁରକ୍ଷିତ ସ୍ଥାନରେ ଲୁଚାଇ ରଖି ଦୁଇଜଣ ଦୁବୃର୍ତ୍ତଙ୍କ ଦ୍ୱାରା ଲୁଟ୍ ହୋଇଥିବା ଏକ କଳ୍ପିତ ନାଟକ ଶୁକ୍ରବାର ଅପରାହ୍ନରେ ପ୍ରଚାର କରିଥିଲେ । ସପନଙ୍କ ହାଭଭାବ ସନ୍ଦେହଜନକ ଥିବାରୁ ଥାନାକୁ ଆଣି ଧମକଚମକ ଦେବା ପରେ ସେ ପୁଲିସ ଆଗରେ ସବୁ ମାନିନେଇଥିଲେ । ୨୮୯/୨୦୧୫ ନଂର ମାମଲା ରୁଜୁ ସହ ପୁଲିସ ଗିରଫ ଅଭିଯକ୍ତ ସପନଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଏଲଆଇସି ସମେତ ଅନ୍ୟାନ୍ୟ ବିଭିନ୍ନ ବୀମା କମ୍ପାନିଠାରୁ ଫ୍ରାଞ୍ଚାଇଜ୍ ନେଇ ଭାରତୀୟ ଜୀବନ ବୀମା ନିଗମର ଡେଭେଲପମେଣ୍ଟ ଅଫିସର ପ୍ରଦୀପ୍ତ କୁମାର ସାହୁ ଷ୍ଟେସନ କ୍ଲବ୍ ଗଳିରେ ଏକ ଜନସେବା କେନ୍ଦ୍ର ଖୋଲିଥିଲେ । ସପନ୍ ଏଠାରେ ଜଣେ କର୍ମଚାରୀ ଭାବେ ୮ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ । ଗତ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୪ ଟା ବେଳେ ଗୋଟିଏ ବାଇକରେ ଦୁଇଜଣ ଯୁବକ ଆସି ଏଲଆଇସି ପ୍ରିମିୟମ ଡିପୋଜିଟ୍ କରିବା ପାଇଁ ଏକ କୋଡ ନମ୍ବର ଦେଇଥିଲେ । ଅନ୍ଲାଇନ୍ରେ ଟଙ୍କା ଡିପୋଜିଟ୍ ପାଇଁ ସେମାନେ ଦେଇଥିବା କୋଡ ନମ୍ବର ଭୁଲ ଅଛି ବୋଲି ସପନ କହିବା ପରେ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ପରୀକ୍ଷା କରିବାକୁ ଦୋକାନ ମଧ୍ୟକୁ ପଶି ଯାଇଥିଲେ । କମ୍ପୁ୍ୟଟର ଟେବୁଲ ନିକଟରେ ନଇଁପଡ଼ି ପକେଟ୍ରୁ ଏକ ଛୋଟ ବୋତଲ ବାହାର କରି ଯୁବକ ଜଣକ ସପନଙ୍କ ମୁହଁରେ ରାସାୟନିକ ପଦାର୍ଥ ସ୍ପ୍ରେ’ କରିଥିଲେ । ଏହାପରେ ସପନ ଅଚେତ ହୋଇ ଦୋକାନ ଚଟାଣ ଉପରେ ଶୋଇ ରହିଥିବା ବେଳେ ଦୋକାନରେ ଥିବା ସାଢ଼େ ୪ଲକ୍ଷ ଟଙ୍କା ଦୁବୃର୍ତ୍ତମାନେ ନେଇଯାଇଥିବା ଘଟଣା ସମ୍ପର୍କରେ ଅଭିଯୁକ୍ତ ସପନ କହିଥିଲେ ।

ସେଆର କରନ୍ତୁ:



Powered by odothemes.com