ଶିଶୁର ତଣ୍ଟି କାଟିଲା ନିଶାସକ୍ତ ଛାତ୍ର

AHATA-MANAS-SAHOO-KU-CAPITAL-HOSPITAL-RE-CHIKISCHA-KARAJAUCHI-(3)

ଭୁବନେଶ୍ୱର,୨୬ା୧୧(ବୁ୍ୟରୋ): ଖାରବେଳନଗର ଥାନା ଅନ୍ତର୍ଗତ ସତ୍ୟାନଗର ଦୁର୍ଗା ମଣ୍ଡପ ବସ୍ତିରେ ଜଣେ ଛାତ୍ର ୫ ବର୍ଷ ଶିଶୁର ତଣ୍ଟିକାଟି ହତ୍ୟା ଉଦ୍ୟମ କରିଛି । ଅଳ୍ପକେ ଶିଶୁର ଜୀବନ ବର୍ତ୍ତି ଯାଇଛି । ସ୍ଥାନୀୟ ଲୋକ ଶିଶୁକୁୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ପରେ ଶିଶୁକୁ କଟକ ଶିଶୁ ଭବନ ସ୍ଥାନାନ୍ତରିତ କରାଯାଇଛି । ଆହତ ଶିଶୁ ହେଲେ ଉକ୍ତ ବସ୍ତିରେ ରହୁଥିବା ସାରଙ୍ଗଧର ସାହୁଙ୍କ ପୁଅ ମାନସ (୫) । ଘଟଣା ପରେ ବସ୍ତିରେ ଉତ୍ତେଜନା ଦେଖାଦେଇଥିଲା । ପୁଲିସ୍ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ପୁଲିସ୍ ସୂତ୍ରରୁ ପ୍ରକାଶ, ନୟାଗଡ ଜିଲ୍ଳା ଭାଲିଆଢ଼ିହ ଗାଁରେ ସାରଙ୍ଗଙ୍କ ଘର । ସାରଙ୍ଗ ଶ୍ରମିକ କାର୍ଯ୍ୟ କରି ପରିବାର ପୋଷଣ କରନ୍ତି । ଆଜି ସକାଳେ ସାରଙ୍ଗ କଟକ ଯାଇଥିଲେ । ତାଙ୍କ ପତ୍ନୀ ସନ୍ତୋଷୀ ନିକଟ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ । ସବୁଦିନ ଭଳି ମାନସ ଘର ନିକଟରେ ଖେଳୁଥିଲା । ସେହି ବସ୍ତିର ଆକାଶ ନାମକ ଛାତ୍ର ହଠାତ୍ ଏକ ଛୁରୀରେ ମାନସର ତଣ୍ଟିକୁ ଭୂଷି ଚାଲିଥିଲା । ଫଳରେ ଶିଶୁ ତଣ୍ଟିରେ ୩ଟି ସ୍ଥାନରେ ଗଭୀର କ୍ଷତ ହୋଇଥିଲା । ଶିଶୁ ଚିକ୍ରାର କରିବାରୁ ଆକାଶ ସେଠାରୁ ଫେରାର ହୋଇଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁ ତଳେ ପଡି ଛଟପଟ ହେଉଥିବା ବେଳେ ଲୋକ ତାକୁ ଉଦ୍ଧାର କରିଥିଲେ । ଆକାଶ ଏପରି ନିର୍ମମକାଣ୍ଡ ଘଟାଇବା ପଛର କାରଣ ଅସ୍ପଷ୍ଟ ରହିଛି । ନିଶାସକ୍ତ ଅବସ୍ଥାରେ ସେ ଶିଶୁକୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଆକାଶ +୨ ବିଜ୍ଞାନ ବିଭାଗରେ ପାଠ ପଢ଼ୁଥିବା ଜଣାପଡିଛି । ପୂର୍ବରୁ କୌଣସି ଶତ୍ରୁତା ନଥିବା ଆହତ ଶିଶୁର ବାପା ସାରଙ୍ଗ କହିଛନ୍ତି । ଏସଂକ୍ରାନ୍ତରେ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।