ସାମୂହିକ ଉଦ୍ୟମରେ ବାଣିଜ୍ୟ-କଳାର ବିକାଶ ସମ୍ଭବ

Balijatra-udghatana-(2)

କଟକ,୨୫ା୧୧(ବୁ୍ୟରୋ): ସାମୂହିକ ଉଦ୍ୟମ ହେଲେ ରାଜ୍ୟର ଶିଳ୍ପ, ବାଣିଜ୍ୟ ଓ କଳାର ବିକାଶ ହୋଇପାରିବ । ଐତିହାସିକ ବାଲିଯାତ୍ରା ଉଦ୍ଘାଟନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏହା କହିଛନ୍ତି । ସେହିପରି ଅନ୍ୟତମ ଉଦ୍ଘାଟକ ଭାବେ ଯୋଗ ଦେଇ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା କହିଲେ ଯେ ଐତିହାସିକ ବାଲିଯାତ୍ରାର ଇତିହାସ ଅନୁସନ୍ଧାନ କରିବା ଆବଶ୍ୟକ । ମହାନଦୀରେ ନୌବାଣିଜ୍ୟର ପରମ୍ପରା ଯେବେ ହେଉଥିଲା, ବାଲିଯାତ୍ରା ସେତେବେଳର ବୋଲି ସେ ମତବ୍ୟକ୍ତ କରିଥିଲେ ।  ସ୍ଥାନୀୟ ବାଲିଯାତ୍ରା ପଡ଼ିଆରେ ଐତିହାସିକ ବାଲିଯାତ୍ରା-୨୦୧୫ ଉଦ୍ଘାଟିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଅର୍ଥ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ କହିଥିଲେ ଯେ ଉକିଳର କଳା, ସଂସ୍କୃତି ପ୍ରାଚୀନ ତଥା ଗୌରବମୟ । ଉକିଳୀୟମାନେ ନୌବାଣିଜ୍ୟ ଜରିଆରେ ଓଡ଼ିଶାର କଳା, ସଂସ୍କୃତିକୁ ପ୍ରଚାର କରିବା ସହ ରାଜ୍ୟର ଦ୍ରବ୍ୟକୁ ବିଦେଶରେ ବିକ୍ରୀ କରି ସୁମାନ, ସମ୍ମାନ ଓ ସମ୍ପଦ ଅର୍ଜନ କରୁଥିଲେ । ବାଲିଯାତ୍ରା ହେଉଛି ଆମର ଐତିହ୍ୟ । ଏହି ଐତିହ୍ୟ ଉକିଳୀୟମାନଙ୍କ ଓ ବୀରତ୍ୱର ପ୍ରମାଣ ଦିଏ ।
ସେହିପରି ସମ୍ମାନୀତ ଅତିଥିଭାବେ ଜଗତସିଂହପୁର ସାଂସଦ ଡ. କୁଳମଣି ସାମଲ ଯୋଗଦେଇ କହିଥିଲେ ଯେ କଟକ ରାଜ୍ୟର ରାଜଧାନୀ ହେବା ପୂର୍ବରୁ ବାଲିଯାତ୍ରାର ସୃଷ୍ଟି । ତେବେ ଏହା ତତ୍କାଳୀନ ସମୃଦ୍ଧ ପରମ୍ପରା, ଉନ୍ନତ ଶିଳ୍ପ ଓ କୁଶଳୀ ବାଣିଜ୍ୟର ସୂଚନା ଦିଏ । ମହୋତ୍ସବ ଦ୍ୱାରା କଳା ଓ କଳାକାରର ବିକାଶ ହେବା ସହ ବ୍ୟବସାୟର ସୁଯୋଗ ସୃଷ୍ଟି ହୁଏ ।
ବାଲିଯାତ୍ରା ପଡିଆରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ସମ୍ମାନିତ ଅତିଥିଭାବେ କଟକ ମହାନଗର ନିଗମର ମେୟର ଅନିତା ବେହେରା, ଡେପୁଟି ମେୟର ଅଜୟ କୁମାର ବାରିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ବିଧାୟକ ଚନ୍ଦ୍ର ସାରଥି ବେହେରା, ଡ. ପ୍ରମୋଦ କୁମାର ମଲ୍ଲିକ, ପ୍ରଭାତ ରଞ୍ଜନ ବିଶ୍ୱାଳ, ଦେବାଶିଷ ସାମନ୍ତରାୟ, ପ୍ରତାପ ଜେନା, ପ୍ରଭାତ କୁମାର ତ୍ରିପାଠୀ, ଅରିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଯୋଗଦେଇ ବାଲିଯାତ୍ରାର ଇତିହାସ, ପରମ୍ପରା ବିଷୟରେ ଆଲୋକପାତ କରିଥିଲେ । ସମାରୋହରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଅତିଥିମାନଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ସହ ବାଲିଯାତ୍ରା ସ୍ମୃତି ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଇଣ୍ଡିଆନ୍ ଆଇଡଲ୍ ଜୁନିୟରର ବିଜେତା ଅନନ୍ୟା ଶ୍ରୀତମ୍ ନନ୍ଦଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ‘ବାଲିଯାତ୍ରା -୨୦୧୫’ ସ୍ମରଣିକାକୁ ଉନ୍ମୋଚିତ କରାଯାଇଥିଲା । ସେହିପରି ମୁଖ୍ୟ ଅତିଥି ଶ୍ରୀ ଆମତଙ୍କ ପରାମର୍ଶରେ ଚଳିତ ବର୍ଷ ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା । ତେବେ ଏହାକୁ ଅନୁଷ୍ଠାନିକ ଭାବେ ଜିଲ୍ଲାପାଳ ଶ୍ରୀ ମିଶ୍ର ଘୋଷଣା କରିଥିଲେ ।
ଗଂଜାମ ନରେନ୍ଦ୍ରପୁର ଶରତ ମହାପାତ୍ର ଓ ସାଥିମାନଙ୍କ ଦ୍ୱାରା ଶଙ୍ଖ ବାଦ୍ୟ ଓ ରଣପା ପରିବେଷଣ କରାଯାଇଥିଲା । ପ୍ରତୀତୃଷ୍ଣା ସାହୁଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ, ସୁର ମନ୍ଦିର ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସମବେତ ଓଡ଼ିଶୀ ଓ ଲୋକନୃତ୍ୟ, ଭୁବନେଶ୍ୱର ମୟୂର ଆର୍ଟ ପକ୍ଷରୁ ଛଉ ନୃତ୍ୟ ଓ କଟକେଶ୍ୱର ସଂଗୀତ ମୂର୍ଚ୍ଛନା ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ତସହସିଲଦାର ଅବନୀ କାନ୍ତ ପଟ୍ଟପନାୟକ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ସିଏମ୍ସି କମିଶନର ଜ୍ଞାନ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।