ପଞ୍ଚୁକ ଯାତ୍ରାରେ ଧବଳେଶ୍ୱର ପୀଠରେ କଟକ ପଟୁ ଡଙ୍ଗା ବନ୍ଦ

74

ଆଠଗଡ଼,(ଆ.ପ୍ର): ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ କଟକ ଜିଲ୍ଲା ଆଠଗଡ଼ ବ୍ଲକ ସ୍ଥିତ ଶ୍ରୀ ଧବଳେଶ୍ୱର ଦେବଙ୍କର ପ୍ରସିଦ୍ଧ ପଞ୍ଚୁକ ଯାତ୍ରା ଓ ବଡ଼ଓଷା ପର୍ବ ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି । ମାତ୍ର କୁଦ ମଧ୍ୟକୁ ଡଙ୍ଗା ଚଳାଚଳ ବିବାଦ ଯୋଗୁଁ ସମସ୍ୟା ଉପୁଜିଛି । ଏହି ପ୍ରସିଦ୍ଧ ଶୈବପୀଠକୁ କଟକ ପଟୁ ଆସିବା ପାଇଁ ଡଙ୍ଗା ହିଁ ଏକମାତ୍ର ମାଧ୍ୟମ ଥିବା ବେଳେ ଏହାର ଚଳାଚଳ ଦାୟିତ୍ୱରେ ଥିବା ମା ଦୁଲଣା ମତ୍ସ୍ୟଜୀବୀ ସମିତି ଓ ପ୍ରଶାସନ ମଧ୍ୟରେ ଟଣାଓଟରା ଲାଗିଛି । ବିବାଦ ପରେ କଟକ ପଟୁ ଡଙ୍ଗା ଚଳାଚଳ ବନ୍ଦ ରହିଛି । କଟକ ପଟୁ ଘାଟକୁ ଆସିବା ପାଇଁ ଯାତ୍ରୀମାନଙ୍କୁ ଆଠଗଡ଼ ପଟ ଝୁଲା ବ୍ରିଜ୍ ଦେଇ ପୀଠ ମଧ୍ୟକୁ ଛାଡ଼ିବା ପାଇଁ ଶନିବାର କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । କଟକ ପରିବହନ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇ ଅଧିକ ବସ୍ ଚଳାଚଳ କରାଯିବ ବୋଲି ଆଠଗଡ଼ ଉପ-ଜିଲ୍ଲାପାଳ ହରିଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ତେବେ ଡ଼ଙ୍ଗା ଚଳାଚଳକୁ ସ୍ୱଭାବିକ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି । ଆସନ୍ତା ୨୩ ତାରିଖ ମଧ୍ୟରାତ୍ରିରେ ଶ୍ରୀଜିଉଙ୍କର ବଡ଼ଓଷା ଓ ପ୍ରସିଦ୍ଧ ଗଜଭୋଗ ଲାଗି ଅନୁଷ୍ଠିତ ହେବା ପରେ ୨୪ ତାରିଖ ସକାଳରେ ଗଜଭୋଗ ବିତରଣ ହେବାର ବ୍ୟବସ୍ଥା ରହିଛି । ଉପ-ଜିଲ୍ଲାପାଳ ଶ୍ରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଠଗଡ଼ ଦେବୋତ୍ତର ସୁପରଭାଇଜର କରୁଣାକର ବେହେରାଙ୍କ ନେତୃତ୍ୱରେ ଶ୍ରୀ ଜିଉଙ୍କର ସମସ୍ତ ନୀତି ନିର୍ଘଣ୍ଟ ପ୍ରସ୍ତୁତି ହେବା ସହିତ ଅନ୍ୟାନ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରୀଜିଉଙ୍କ ପୀଠରେ ପହଞ୍ଚିବା ପାଇଁ ଆଠଗଡ଼ ମେଞ୍ଚଶ୍ୱର ଗ୍ରାମସ୍ଥିତ ଓଡ଼ିଶା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଝୁଲାପୋଲ ମରାମତି କାମ ସାରିଥିବା ବେଳେ ନଦୀ ଗର୍ଭ ଦେଇ ଡ଼ଙ୍ଗାର ବ୍ୟବସ୍ଥା କରାଯାଇଛି । ଏଥର ଭଡ଼ାମହାସୁଲ ୨୦ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା କଡ଼ାକଡ଼ି କରାଯାଇଛି । ହୁଲି ଓ ଛୋଟ ଡଙ୍ଗା ନିଷିଦ୍ଧ କରାଯାଇଛି । ପ୍ରଶାସନ ତରଫରୁ କଟକ ସହରପଟ ଚହଟା ଘାଟପଟେ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ କମିସନ୍ରେଟ୍ ପୁଲିସ୍ଙ୍କୁ ଦାୟିତ୍ୱ ଦିଆଯାଇଛି । ଧବଳେଶ୍ୱର କୁଦପଟେ ଡଙ୍ଗାରୁ ଓହ୍ଲାଇବା ପାଇଁ ବଡ଼ଓଷା କାର୍ତ୍ତିକ ପୂର୍ଣ୍ଣିମାରେ ରାତ୍ରୀ ସମୟରେ ନଦୀରେ ଗାଧୋଇବା ପାଇଁ ଘାଟଗୁଡ଼ିକରେ ବାରକେଟିଙ୍ଗର ବ୍ୟବସ୍ଥା କରାଯାଇଥିଲା ବେଳେ ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା କରାଯାଇଛି । ଘାଟ କୂଳଗୁଡ଼ିକରେ ବାଲିବସ୍ତା ପକାଯାଇ ଉଚ୍ଚ କରାଯିବା ସହିତ ଜଳସେଚନ ବିଭାଗ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘାଟଗୁଡ଼ିକ ପ୍ରସ୍ତୁତ ହୋଇଛି । ଦୁର୍ଘଟଣାକୁ ଆଖିଆଗରେ ରଖି ଫାୟାର ବ୍ରିଗେଡ୍, ଓଡ଼୍ରାଫ୍ ଏବଂ ସ୍ୱତନ୍ତ୍ର ରିଲିଫ୍ କମିସନର ତରଫରୁ ଉଚ୍ଚକ୍ଷମତା ସମ୍ପନ୍ନ ଲଞ୍ଚ ଆଦି ବ୍ୟବସ୍ଥା କରାଯାଇଛି । କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ ଗୁରୁଦାଶ କୁଣ୍ଡୁଙ୍କ ନେତୃ୍ତ୍ୱରେ ଚୈାଦ୍ୱାର ଡିଏସ୍ପି ସୁଦାମ ଚରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୪ ଜଣ ଡିଏସ୍ପି, ୧୦ରୁ ଊଦ୍ଧ୍ୱର୍ ଇନିସ୍ପେକ୍ଟର, ୧୦୦ରୁ ଊଦ୍ଧ୍ୱର୍ ମହିଳା ଓ ପୁରୁଷ ପୁଲିସ୍ ଅଫିସର, ହୋମଗାର୍ଡ଼, ୨୦ ପ୍ଲାଟୁନ୍ରୁ ଊଦ୍ଧ୍ୱର୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ଶ୍ରୀ ଜିଉଙ୍କର ସମସ୍ତ ନୀତିକାନ୍ତି ସମ୍ପନ୍ନ ପାଇଁ ସ୍ୱତନ୍ତ୍ର ଡଙ୍ଗାର ବ୍ୟବସ୍ଥା କରାଯାଇଥିଲା ବେଳେ ମନ୍ଦିର ମଧ୍ୟରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯାଇଛି । ପୀଠ ମଧ୍ୟରେ ପରିମଳ ବ୍ୟବସ୍ଥା ଦାୟିତ୍ୱ ସ୍ଥାନୀୟ ଗ୍ରାମ ପଞ୍ଚାୟତ, ଆଠଗଡ଼ ଏନ୍ଏସି ଓ ବହୁ ସ୍ୱଚ୍ଛୋସେବୀ ସଂଗଠନ ନେଇଛନ୍ତି । ଏହା ସହିତ ସ୍ଥାନୀୟ ଅନୁଷ୍ଠାନମାନଙ୍କ ଦ୍ୱାରା ଭଜନ ସମାରୋହ ଆଦି ଅନୁଷ୍ଠିତ ହେବ । ପୀଠର ମେଞ୍ଚଶ୍ୱର ପଟ ଘାଟ ଅଞ୍ଚଳରେ ପିଇବା ପାଣିର ବ୍ୟବସ୍ଥା ସ୍ଥାନୀୟ ସରପଞ୍ଚ କଳ୍ପନା ଖଟୁଆଙ୍କ ନେତୃତ୍ୱରେ ବଣ୍ଟନ କରାଯିବ ବୋଲି ଶ୍ରୀମତୀ ଖଟୁଆ ସୂଚନା ଦେଇଛିନ୍ତି ।

ସେଆର କରନ୍ତୁ:



Powered by odothemes.com