ବିରଳ ଜୀବଜନ୍ତୁ ଗଣନା ଆରମ୍ଭ ହେବ

ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରଥମ
ରାଜନଗର,(ଆପ୍ର): ଶନିବାରଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ବନ୍ୟ ଜୀବଜନ୍ତୁ ଗଣନା ଆରମ୍ଭ ହେବ । ହରିଣ, ବାର୍ହା, ହେଟ୍ଟାବାଘ, ଝିଙ୍କ, ସମ୍ବର, ଓଧ, ଫିସିଙ୍ଗ୍ କ୍ୟାଟ୍ ପ୍ରଭୃତି ଜୀବଙ୍କର ଗଣନା କରାଯିବ । ରାଜନଗର ବନ୍ୟପ୍ରାଣୀ ଡିଭିଜନର ତତ୍ୱାବଧାରକ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ କନିକା ରେଂଜ ଅଫିସର ଅକ୍ଷୟ କୁମାର ନାୟକ, ରାଜନଗର ରେଂଜ ଅଫିସର ହରେକୃଷ୍ଣ ମଲ୍ଲିକ, ମହାକାଳପଡା ରେଂଜ ଅଫିସର ବିଜୟ କୁମାର ପରିଡା, ଗହୀରମଥା ରେଂଜ ଅଫିସର ସୁବ୍ରତ କୁମାର ପାତ୍ରଙ୍କ ସମେତ ୬ଜଣ ବନପାଳ, ୨୦ ଜଣ ବନରକ୍ଷୀ ଓ ବନକର୍ମଚାରୀଙ୍କ ଦ୍ୱାରା ଜୀବଜନ୍ତୁଙ୍କ ଗଣନା କାର୍ଯ୍ୟ କରାଯିବ । ଭିତରକନିକା ଜାତୀୟ ଉଦ୍ୟାନରେ ବସବାସ କରୁଥିବା ୮ ପ୍ରକାର ବିଷାକ୍ତ ସାପ ମାନଙ୍କ ମଧ୍ୟରୁ କିଙ୍ଗ୍କୋବ୍ରାର ମଧ୍ୟ ଗଣନା କରାଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମଥର ପାଇଁ ବିସ୍ତୀର୍ଣ୍ଣ ଘଞ୍ଚଜଙ୍ଗଲ ଭିତରେ ବନ୍ୟଜନ୍ତୁ ଗଣନା କରିବା ଏକ ଦୁଃସାହିସିକ କାର୍ଯ୍ୟ ହୋଇଥିବାରୁ ବନକର୍ମଚାରୀମାନଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି । ସମଗ୍ର ଓଡିଶାରେ ୧୯ଟି ଅଭୟାରଣ୍ୟ ଥିବା ବେଳେ ଏକମାତ୍ର ଜାତୀୟ ଉଦ୍ୟାନ ରୂପେ ମାନ୍ୟତା ପ୍ରାପ୍ତ ଭିତରକନିକା ବିରଳ ହେନ୍ତାଳବଣ, ବଉଳାକୁମ୍ଭୀର, ବିଦେଶାଗତ ରଂଗବେରଂଗର ପକ୍ଷୀ, ଆଠ ପ୍ରକାର କିଙ୍ଗ୍ ଫିସର, ୧୧ ପ୍ରକାର ବଗଙ୍କ ସମାବେଶ ଭିତରକନିକାର ଶୋଭାକୁ ଦ୍ୱିଗୁଣିତ କରିଛି । ବିଶେଷକରି ଭିତରକନିକା ଜାତୀୟ ଉଦ୍ୟାନ, ବାଉଁଶଗଡି ନଦୀ ପାଶ୍ୱର୍ବର୍ତ୍ତୀ ସୁନେଇ ରୂପେଇ ସଂରକ୍ଷିତ ଜଙ୍ଗଲ, ବରୁଣେଇ ମୁହାଁଣରେ ଥିବା ଘଞ୍ଚ ଜଙ୍ଗଲ, ଶାସନପେଟାର ବିସ୍ତୀର୍ଣ୍ଣ ଲୁଣା ଜଙ୍ଗଲରେ ବସବାସ କରୁଥିବା ବନ୍ୟଜନ୍ତୁଙ୍କର ଗଣନାକାର୍ଯ୍ୟ କରାଯିବ ବୋଲି ବନବିଭାଗ ସୁତ୍ରରୁ ପ୍ରକାଶ ।