ବିଜୁ ଛାତ୍ର ଜନତା ଦଳର ମେଗା ଛାତ୍ର ସମାବେଶ ୨୩ରେ | ସର୍ବସାଧାରଣ ଖବରକାଗଜ
23tarikharare-biju-chatara-janata-dalara--rajyastriya-mega-chatra-samabesa-purabaru-bjd-party-office-re-ayjita-press-meet-(2)

ବିଜୁ ଛାତ୍ର ଜନତା ଦଳର ମେଗା ଛାତ୍ର ସମାବେଶ ୨୩ରେ

22

ଭୁବନେଶ୍ୱର, ୨୦ ।୧୧(ବୁ୍ୟରୋ): ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତା ୨୩ ତାରିଖ ସୋମବାର ଭୁବନେଶ୍ୱର ୟୁନିଟ-୯ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ରାଜ୍ୟସ୍ତରୀୟ ବିଶାଳ ଛାତ୍ର ସମାବେଶ ଆୟୋଜିତ ହେବ । ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା “ଇଣ୍ଡିଆ ଟୁଡେ’ ତରଫରୁ ୨୦୧୫ ମସିହାରେ କରାଯାଇଥିବା ଏକ ସର୍ଭେରେ ଓଡିଶାକୁ ସାମଗ୍ରୀକ ବିକାଶ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ୫ମ ସ୍ଥାନ ପ୍ରାପ୍ତ ହେବା, ଚଳିତ ବର୍ଷର ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ବିପୁଳ ସଫଳତା, ଛାତ୍ରଛାତ୍ରୀ ଏବଂ ଯୁବଗୋଷ୍ଠୀଙ୍କ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ରୂପାୟନ ଏବଂ ରାଜ୍ୟର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଙ୍ଗୀକାରବଦ୍ଧତାକୁ ପାଥେୟ କରି ନଭେମ୍ବର ୨୩ ତାରିଖରେ ଆୟୋଜିତ ହେବାକୁ ଥିବା ଏହି ମେଗା ଛାତ୍ର ସମାବେଶ ବିଶେଷ ଗୁରୁତ୍ୱ ବହନ କରୁଛି ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଶ୍ରୀ ରାୟ କହିଛନ୍ତି,ଏହି ଅବସରରେ ନଭେମ୍ବର ୨୨ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ରାଷ୍ଟ୍ରଭାଷା ପ୍ରଚାର ସଭା ପଡିଆଠାରେ ଏକ ବିଶାଳ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍ଘାଟିତ ହେବ । ଏହି ବିଶେଷ ଫଟୋ ପ୍ରଦର୍ଶନୀରେ ବିଶିଷ୍ଟ ଜନନାୟକ ତଥା ରାଷ୍ଟ୍ରନୀତିଜ୍ଞ ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଏବଂ ବ୍ୟକ୍ତିଗତ ଜୀବନର ଦୁଃର୍ଲଭ ଫଟୋଚିତ୍ର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ରାଜନୈତିକ ଓ ରାଜ୍ୟର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାର ଫଟୋଚିତ୍ର ପ୍ରଦର୍ଶିତ ହେବ । ଛାତ୍ରଛାତ୍ରୀ ତଥା ସର୍ବସାଧାରଣଙ୍କ ନିମନ୍ତେ ଏହି ପ୍ରଦର୍ଶନୀ ୨୨-୨୪ ନଭେମ୍ବର ପର୍ଯ୍ୟନ୍ତ ଖୋଲା ରହିବ । ୨୦,୦୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ଯୋଗଦାନ ଏହି ମେଗା ସମାବେଶକୁ ଏକ ବିଶେଷ ଉପଲବ୍ଧି ପ୍ରଦାନ କରିବ ଏବଂ ମୁଖ୍ୟମନ୍ତ୍ରୀ ଏହି ବିଶାଳ ଛାତ୍ର ସମାବେଶକୁ ଉଦ୍ବୋଧନ ଦେବେ । ଚଳିତ ମେଗା ଛାତ୍ର ସମାବେଶ ମଧ୍ୟ ଡିଜିଟାଲ ପଦ୍ଧତିରେ ଆୟୋଜିତ ହେବ ଏବଂ ଏହାର ସିଧା ପ୍ରସାରଣ ୱେବସାଇଟ୍ ଜରିଆରେ ପ୍ରସାରିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସମେତ ବିଧାୟକ ପ୍ରଶାନ୍ତ ଜଗଦ୍ଧେବ, ବିଧାୟକ ପ୍ରଣବ ବଳବନ୍ତ ରାୟ, ବିଧାୟକ ଡ. ପ୍ରିୟାଂଶୁ ପ୍ରଧାନ, ଛାତ୍ର ଜନତା ଦଳ ରାଜ୍ୟ ଉପସଭାପତି ଅମରେଶ ପତ୍ରି, ସନ୍ତୋଷ ବେଜ୍, ଅମରଜିତ୍ ସେନାପତି, ମନ୍ଦାକିନୀ କର, ଜିଲ୍ଲା ସଭାପତି ରାଣା ପ୍ରତାପ ପାତ୍ର, ସାଧାରଣ ସଂପାଦକ ରାକେଶ ରାମ, ମାନସ ମଲ୍ଲିକ, ମନୋଜ ସେନାପତି, ରାଜେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସମାବେଶର ମଞ୍ଚ ସଂପୂର୍ଣ୍ଣ ଏଲ୍ଇଡି ଡିସପ୍ଲେ ହେବା ସହିତ ସମାବେଶର ସିଧାପ୍ରସାରଣ ସଭାସ୍ଥଳରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ସ୍କ୍ରିନ୍ ଜରିଆରେ ଦେଖିପାରିବେ । ଏହା ସହିତ ଏହି ଡିଜିଟାଲ୍ ମଞ୍ଚ ମାଧ୍ୟମରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମମୟ ଜୀବନର ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହେବ । ସମାବେଶରେ ରାଜ୍ୟର ଉଚ୍ଚଶିକ୍ଷାର ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯିବ । ଏଥିରେ ବିଜୁ ଛାତ୍ର ଜନତା ଦଳର ସମର୍ଥିତ ସମସ୍ତ ଛାତ୍ର ସଂସଦ ପ୍ରତିନିଧି, ରାଜ୍ୟ ସାଂଗଠନିକ କମକର୍ତା, ଜିଲ୍ଲା ଛାତ୍ର ସଭାପତି ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିନିଧିମାନେ ଉପସ୍ଥିତି ରହିବେ ।




Powered by odothemes.com