train

୩ ଟ୍ରେନ୍ର ୫ ବଗି ଜଳିଗଲା

755

ପୁରୀ,୧୨ା୧୧(ଆପ୍ର):ପୁରୀ ରେଳଷ୍ଟେସନ ଓ ୱାସିଂୟାଡରେ ଥିବା ତିନିଟି ଟ୍ରେନ୍ର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁ ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ, ପୁରୀ-ତିରୁପତି ଏକ୍ସପ୍ରେସ୍ ଓ ପୁରୀ-ହାୱଡା ଏକ୍ସପ୍ରେସ ଟେନ୍ର ୫ଟି ବଗି ଜଳିଯାଇଛି । ପୁରୀ ରେଳଷ୍ଟେସନରେ ଆଜିର ଏଭଳି ଅଭାବନୀୟ ଘଟଣା ଆରପିଏଫ୍ ଓ ଜିଆରପିର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାତ୍ର ୧ ଘଣ୍ଟା ୪୦ମିନିଟ୍ ମଧ୍ୟରେ ଗୋଟିକ ପରେ ଗୋଟିଏ ଏକ୍ସପ୍ରେସ ଟ୍ରେନ୍ରେ ଅଗ୍ନିକାଣ୍ଡ ଘଟିଥିବାରୁ ଏହା ପଛରେ କୌଣସି ବଡ଼ଧରଣର ଷଡ଼ଯନ୍ତ୍ରଥିବା ଅନୁମାନ କରାଯାଉଛି । ତେବେ ସୌଭାଗ୍ୟ ବଶତଃ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନାହାଁନ୍ତି । ଖବର ପାଇ ୩ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ସେତେବେଳକୁ କେତେକ ବଗି ସମ୍ପୂର୍ଣ୍ଣ ଓ ଅନ୍ୟ କେତେକ ବଗି ଆଂଶିକ ଜଳିଯାଇଥିଲା । ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୁରୀକୁ ଆସିବାକୁ ଥିବା ଏବଂ ପୁରୀରୁ ଛାଡିବାକୁ ଥିବା ସମସ୍ତ ଟ୍ରେନ୍କୁ ସାମୟିକ ଭାବେ ବାତିଲ୍ କରାଯାଇଥିବା ପୂର୍ବତଟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜେପି ମିଶ୍ର କହିଛନ୍ତି । ଘଟଣାର ସମ୍ପୂର୍ଣ୍ଣ ଯାଞ୍ଚ ଏବଂ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ହେବା ପରେ ଟ୍ରେନ୍ ଚଳାଚଳ ଆରମ୍ଭ ହେବ ।
ଏହି ଘଟଣାରେ ଆରପିଏଫ୍ ପଙ୍କଜ ସିଂ ଓ ରବି ନାମକ ୨ଜଣ ଯୁବକଙ୍କୁ ଅଟକ ରଖିଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ନିକଟରୁ ବାଣ ଏବଂ ଦିଆସିଲି ଜବତ ହୋଇଛି । ଆଜି ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ୍ ୪ନମ୍ବର ପ୍ଲାଟ ଫର୍ମରେ ପହଞ୍ଚିଥିଲା । ସମସ୍ତ ଯାତ୍ରୀ ଟ୍ରେନ୍ରୁ ଓହ୍ଲାଇଯାଇଥିଲେ । ଅପରାହ୍ନ ୪ଟା୩୦ମିନିଟରେ ସଂପୃକ୍ତ ଟ୍ରେନ୍ର ୧୧ ଓ ୧୨ ନମ୍ବର ବଗିରୁ ଧୂଆଁ ବାହାରିବା ଦେଖାଯାଇଥିଲା । ଆଖି ପିଛୁଳାକେ ବଗି ଦୁଇଟି ହୁତହୁତ ହୋଇ ଜଳିଥିଲା । ୧୨ ନମ୍ବର ବଗିଟି ସଂପୂର୍ଣ୍ଣ ଜଳିଯାଇଥିବାବେଳେ ୧୧ ନମ୍ବର ବଗିଟି ଅର୍ଦ୍ଧାଧିକ ଜଳିଯାଇଥିଲା । ଅନ୍ୟ ବଗିଗୁଡିକୁ ଅଗ୍ନିକାଣ୍ଡରୁ ରକ୍ଷାକରିବା ଲାଗି ରେଳକର୍ମଚାରୀମାନେ ଟ୍ରେନର ଉଭୟଦିଗରୁ ବଗିଗୁଡ଼ିକୁ ଅଲଗା କରି ଦେଇଥିଲେ । ଅପରାହ୍ଣ ୪ଟା୪୫ମିନିଟ୍ରେ ପୁରୀ-ତିରୁପତି ଏକ୍ସପ୍ରେସ୍ ଆସି ୨ନମ୍ବର ପ୍ଲାଟଫର୍ମରେ ଲାଗିଥିଲା । ଟ୍ରେନ୍ରୁ ଯାତ୍ରୀମାନେ ଓହ୍ଲାଇଯାଇଥିଲେ । ତେବେ ହଠାତ୍ ୫ଟା୧୮ମିନିଟ୍ରେ ଟ୍ରେନର ଏସ୍-୨ ଓ ଏସ୍-୩ରୁ ବଗିରୁ ପ୍ରବଳ ଧୂଆଁ ବାହାରିବା ଦେଖାଯାଇଥିଲା । ଆଖିପୁଛୁଳାକେ ୨ଟି ଯାକ ବଗି ହୁତୁହୁତୁ ହୋଇ ଜଳିଥିଲା । ଦମକଳ ବାହିନୀ ନିଆଁ ଲିଭାଇବା ପାଇଁ ଉଦ୍ୟମ କରୁଥିବାବେଳେରେଳ କର୍ମଚାରୀମାନେ ୨ଟିଯାକ ବଗିକୁ ଉଭୟ ଦିଗରୁ ଟ୍ରେନରୁ ଅଲଗା କରିଦେଇଥିଲେ । ଫଳରେ ଅନ୍ୟ ବଗିଗୁଡିକ ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଥିଲା । କିନ୍ତୁ ପୁଣି ୬ନମ୍ବର ପ୍ଲାଟଫର୍ମରେ (ୱାସିଂୟାଡରେ) ପୁରୀରୁ ଛାଡିବାକୁ ଥିବା ପୁରୀ-ହାୱଡା ଏକ୍ସପ୍ରେସ ଟେନ୍ରେ ସନ୍ଧ୍ୟା ୬ଟା୧୦ମିନିଟ୍ରେ ନିଆଁ ଲାଗିଯିବାରୁ ଏସ୍-୭ନମ୍ବର ବଗିରେ ଜଳିବାକୁ ଲାଗିଥିଲା । ରେଳକର୍ମଚାରୀମାନେ ଏହି ବଗିଟିକୁ ଟେନ୍ରୁ ଅଲଗା କରିଦେଇଥିଲେ । ଫଳରେ ଅନ୍ୟବଗିକୁ ନିଆଁ ବ୍ୟାପିନଥିଲା ।




Powered by odothemes.com